ଅଟୋ ଧକ୍କାରେ ଅଙ୍ଗନବାଡି ଛାତ୍ରର ମୃତ୍ୟୁ : କ୍ଷତିପୂରଣ ଦାବିରେ ଫୁଲବାଣୀ-ବ୍ରହ୍ମପୁର ରାଜପଥ ୩ ଘଣ୍ଟା ଅବରୋଧ

ଫୁଲବାଣୀ:ଫୁଲବାଣୀ-ବ୍ରହ୍ମପୁର ରାଜପଥ ପକନାଗାଁ ନିକଟରେ ଅଙ୍ଗନବାଡି ଛାତ୍ରକୁ ଧକ୍କା ‌ଦେଲା ଅଟୋ। ଏଥିରେ ଛାତ୍ରର ମୃତ୍ୟୁ ହୋଇଥିବା ବେଳେ ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଗ୍ରାମବାସୀ ଛାତ୍ରର ମୃତ ଦେହ ରଖି ୩ ଘଣ୍ଟା ଧରି ରାଜପଥ ଅବରୋଧ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ଏହି ଦୁଘର୍ଟଣା ଘଟିଛି। ଗାଁ ଅଙ୍ଗନବାଡି କେନ୍ଦ୍ରରେ ପଢୁଥିବା ଦୈତାରୀ ଦିଗାଲଙ୍କ ୪ ବର୍ଷର ପୁଅ କ୍ରୀଷ୍ଣା ଛୁଟି ପରେ ଅନ୍ୟ ସାଙ୍ଗ ସହ ଘରକୁ ଫେରୁଥିଲା। ସାଙ୍ଗରେ କେନ୍ଦ୍ରର ହେଲପର ବି ଥିଲେ। ଦ୍ରୁତ ଗତିରେ ଫୁଲବାଣୀରୁ ସାରଙ୍ଗଗଡ ଯାଉଥିବା ଏକ ଅଟୋ କ୍ରୀଷ୍ଣାକୁ ପଛରୁ ଧକ୍କା ଦେଇଥିଲା। ଏଥିରେ କ୍ରୀଷ୍ଣା ଗୁରୁତର ଆହତ ହୋଇଥିଲା।ଘଟଣା ପରେ ଅଟୋ ଧରି ପଳାଇ ଯିବାକୁ ଚାଳକ ଉଦ୍ୟମ କରିଥିବା ସମୟରେ ତାକୁ ସ୍ଥାନୀୟ ଲୋକ କାବୁ କରି ନେଇଥିଲେ। ସେହି ଅଟୋରେ ଗୁରୁତର ଆହତ କ୍ରୀଷ୍ଣାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଏଠାରେ କ୍ରୀଷ୍ଣାର ମୃତ୍ୟୁ ହୋଇଥିଲା। ଏହା ଜଣା ପଡିବା ପରେ ଉତ୍ୟକ୍ତ ଗ୍ରାମବାସୀ ରାଜପଥକୁ ଆସି କ୍ଷତିପୂରଣ ଓ ଦୁର୍ଘଟଣାସ୍ଥଳରେ ହମ୍ପସ୍ ନିର୍ମାଣ ଦାବିରେ ଅବରୋଧ କରିଥିଲେ। ଅପରାହ୍ନ ୩ଟା ୩୦ରୁ ୬ଟା ୩୦ପର୍ଯ୍ୟନ୍ତ ରାଜପଥ ଅବରୋଧ ହେବା ପରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଥିଲା। ଫୁଲବାଣୀ ବିଡିଓ ସୁବ୍ରତ କୁମାର ଜେନା, ତହସିଲଦାର ଆଲୋକ କୁମାର ପ୍ରଧାନ ଏବଂ ସଦର ଥାନାଧିକାରୀ ରାଧାକାନ୍ତ ସାହୁ ସେଠାରେ ପହଞ୍ଚି କ୍ଷତିପୂରଣ ରାଶି ଓ ହମ୍ପସ୍ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେବା ପରେ ରାଜପଥ ଅବରୋଧ ହଟିଥିଲା। ଅଟୋକୁ ଫୁଲବାଣୀ ଟାଉନ ପୁଲିସ ଜବତ କରିବା ସହ ଚାଳକକୁ ଗିରଫ କରିଛି।

ସମ୍ବନ୍ଧିତ ଖବର