ଏଟିଏମ ଓ ପାସ୍‌ୱାର୍ଡ଼ ସୁରକ୍ଷିତ, ତଥାପି ଟଙ୍କା ଗାଏବ:ଝାଡ଼ଖଣ୍ଡରୁ ୨ ଥରରେ ଉଠିଛି ୪୦ ହଜାର

ଫୁଲବାଣୀ ପୁଲିସର ତନାଘନା

ଫୁଲବାଣୀ: ଏଟିଏମ୍‌ ସୁରକ୍ଷିତ ଅଛି। ପାସ୍‌ୱାର୍ଡ ମଧ୍ୟ ‌କାହାକୁ ଦିଆଯାଇ ନାହିଁ। ତା’ସତ୍ତ୍ବେ ଏଟିଏମରୁ ଟଙ୍କା ଉଠିଯିବା ବ୍ୟାଙ୍କର ଉତ୍ତମ ସେବା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଫୁଲବାଣୀର ଗଣମାଧ୍ୟମ କ୍ୟାମେରାମ୍ୟାନ ଭାବେ କାମ କରୁଥିବା ଦିନେଶ କୁମାର ମହାପାତ୍ରଙ୍କ ଆକାଉଣ୍ଟରୁ ଦୁଇ ଥରରେ ୪୦ ହଜାର ଟଙ୍କା ଝାଡ଼ଖଣ୍ଡରୁ ଉଠାଯାଇଛି। ଗତକାଲି ରାତି ୧୧ଟାରେ ତାଙ୍କ ମୋବାଇଲକୁ ମେସେଜ୍ ଆସିବା ପରେ ତାଙ୍କ ଏକାଉଣ୍ଟରୁ ୨ ଥରରେ ୨୦ ହଜାର ଲେଖାଏଁ ୪୦ ହଜାର ଟଙ୍କା ଉଠିଥିବା ଦେ ଜାଣିଥିଲେ। ସେ ସଙ୍ଗେ ସଙ୍ଗେ ଏ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏମିତି କି ଫୁଲବାଣୀ ଟାଉନ ପୁଲିସକୁ ବି ଅବଗତ କରିଥିଲେ। ଆଜି ବ୍ୟାଙ୍କକୁ ଯାଇ ଲିଖିତ ଭାବେ ସେ ଜଣାଇଛନ୍ତି। ଏଟିଏମ୍‌ ଓ ପାସ୍‌ୱାର୍ଡ ଗୁପ୍ତ ଥାଇ ଏକାଉଣ୍ଟରୁ ଟଙ୍କା ଗାଏବ ହେବା ଘଟଣାରେ ବ୍ୟାଙ୍କ କର୍ତ୍ତୃପକ୍ଷ ବି ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି। ଏମିତି କେମିତି ହେଲା। ଏ ନେଇ ବ୍ୟାଙ୍କ ପରିଚାଳକ ଉପସ୍ଥିତ ଅଧିକାରୀଙ୍କ ସହ ଆଲୋଚନା ଚଳାଇଥିବା ବେଳେ ଆଜି ସଂଧ୍ୟାରେ ଶ୍ରୀ ମହାପାତ୍ର ଫୁଲବାଣୀ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି। ଏହା ଏକ ସାଇବର ଠକେଇ। ବ୍ୟାଙ୍କ ଓ ଝାଡଖଣ୍ଡ ପୁଲିସ ସହଯୋଗ ନେଇ ଏହାର ପର୍ଦ୍ଦାଫାସ କରାଯିବ ବୋଲି ଥାନାଧିକାରୀ ସତ୍ୟବ୍ରତ ରାଉତ କହିଛନ୍ତି। ନିକଟରେ ସାରଙ୍ଗଗଡ ଅଞ୍ଚଳର ଜଣେ ଶିକ୍ଷକଙ୍କ ଏକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଗାଏବ ହୋଇ ଯାଇଥିବା ବେଳେ ପୁଣି ଏକ ଘଟଣା ଘଟିବା ବ୍ୟାଙ୍କ ଉପଭୋକ୍ତା ଓ ଏଟିଏମଧାରୀଙ୍କ ମଧ୍ୟରେ ଛନକା ପଶିଯାଇଛି।

ସମ୍ବନ୍ଧିତ ଖବର