ଫୁଲବାଣୀ,: ଗଂଜାମ ଜିଲ୍ଲା ଭଂଜନଗର ନିକଟ ହାତିଗଡାକୁ ଇଟାଭାଟିରେ କାମ କରିବାକୁ ଆସିଥିବା ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଡୁଙ୍ଗୁରୁପାଲିର ୧୨ରୁ୧୪ ଜଣ ଶ୍ରମିକ ନିର୍ଯାତନାର ଶିକାର ହୋଇଛନ୍ତି। ଭାଟି ମାଲିକ ତାଙ୍କୁ ଅକଥନୀୟ ନିର୍ଯାତନା ଦେବା ସହ ପାରିଶ୍ରମିକ ନ ଦେଇ ପ୍ରବଳ ମାରପିଟ୍ କରୁଥିଲେ। ଏହାକୁ ସହ୍ୟ ନକରିପାରି ଶ୍ରମିକ ମାନେ ପ୍ରାଣ ବିକଳ ଭୟରେ ବସରେ ପଳାଇବାକୁ ଉଦ୍ୟମ କରିଥିଲେ। ହେଲେ ଇଟାଭାଟି ମାଲିକ ତାଙ୍କୁ ବସରୁ ଭିଡ଼ି ଆଣି ପ୍ରବଳ ମାଡ଼ ମାରିଥିଲେ। ଠିକଣା ସମୟରେ ଶ୍ରମିକ ମାନେ ଥାନାକୁ ଯିବା ପରେ ପୁଲିସ ପକ୍ଷରୁ ପଦକ୍ଷେପ ନିଆଯିବା ସହ କନ୍ଧମାଳ ଜିଲ୍ଲା ଶ୍ରମ ଅଧିକାରୀ ରଂଜନ କୁମାର ବେହେରାଙ୍କ ସହ ଆଲୋଚନା କରାଯାଇଥିଲା। ପରେ ଶ୍ରୀ ବେହେରା ଏ ନେଇ ଗଂଜାମ ଓ ବଲାଙ୍ଗୀର ଜିଲ୍ଲା ଶ୍ରମ ଅଧିକାରୀଙ୍କ ସହ ଫୋନରେ ଯୋଗାଯୋଗ କରିଥିଲେ। ସେମାନଙ୍କୁ ରହିବା ଓ ଖାଇବା ବ୍ୟବସ୍ଥା କରିବା ସହ ରାତିରେ ବିଭାଗୀୟ ଇନସପେକ୍ଟରଙ୍କ ସାଙ୍ଗରେ ବସ ଯୋଗେ ବଲାଙ୍ଗୀର ପଠାଇ ଦେଇଥିବା ସୂଚନା ମିଳିଛି।
ଇଟା ଭାଟିରେ ୧୦୦୦ ଇଟା ତିଆରି କଲେ ୧୦୦୦ ଟଙ୍କା ମିଳିବ। ଏହା ସହ ଖାଇବା ପିଇବା ମାଗଣା ବୋଲି କହି ଇଟାଭାଟି ମାଲିକ ଡୁଙ୍ଗୁରୁପାଲିର କିଛି ଶ୍ରମିକଙ୍କୁ ଆଣି ୩ ମାସ ହେଲା ଖଟାଉ ଥିଲେ। ଭଂଜନଗର ନିକଟ ହାତିଗଡାରେ ଥିବା ଏକ ଇଟାଭାଟିରେ ବିସୁନା ସୁନା, ଦୀନବନ୍ଧୁ ସୁନା, ଡୁଲାମଣି ସୁନା, ଯଦୁମଣି ହରପାଲ, ସାବିତ୍ରୀ ହରପାଲ, ମୋହିନୀ ବିଦ୍ବା, ଜନକୀ ସୁନା ଓ ଅନ୍ୟ ମାନେ କାମ କରୁଥିଲେ। ହେଲେ ୩ ମାସ ହେଲା ସେମାନଙ୍କୁ କେବଳ ଖାଇବାକୁ ଦିଆଯାଉଥିବା ବେଳେ ପାରିଶ୍ରମିକ ଦିଆଯାଉ ନ ଥିଲା। କିଛି ଦିନ ହେଲା ମାଲିକଙ୍କ ନିର୍ଯାତନା ସବୁ ସୀମା ଟପିଯାଇଥିଲା। ମାଲିକ ସେମାନଙ୍କୁ ଗାଳିଗୁଲଜ କରିବା ସହ ଖାଇବାକୁ ଦେଉ ନଥିଲେ। ଗତକାଲି ସଂଧ୍ୟ୍ୟାରେ ଶ୍ରମିକ ମାନେ ପାରିଶ୍ରମିକ ଟଙ୍କା ପାଇଁ ଜିଦ ଧରିବାରୁ ମାଲିକ ନିଜର ସହଯୋଗୀଙ୍କ ସହ ଧମକଚମକ ଦେଇ ଥିଲେ। ଆଉ ଦୁଇଜଣ ପୁରୁଷ ଓ ଜଣେ ମହିଳା ଶ୍ରମିକଙ୍କୁ ପିଟିଥିଲେ। ଜୀବନ ପ୍ରତି ବିପଦ ଥିବାରୁ ଶ୍ରମିକ ମାନେ ଭାଟି ଛାଡ଼ିବାକୁ ନିଷ୍ପତ୍ତି ନେଇ ଥିଲେ। ଆଜି ସକାଳେ ଏକ ବସରେ ଶ୍ରମିକ ମାନେ ବଲାଙ୍ଗୀର ଯାଉଥିବା ଜାଣିବା ପରେ ଇଟାଭାଟି ମାଲିକ ଓ ତାଙ୍କ ସହଯୋଗୀ ପିଛା କରିଥିଲେ। କଳିଙ୍ଗା ନିକଟରେ ବସକୁ ଅଟକାଇ ସେମାନେ ଶ୍ରମିକ ମାନଙ୍କୁ ଭିଡି ଆଣି ପ୍ରବଳ ମାଡ଼ ମାରିଥିଲେ। ତେବେ ଅନ୍ୟ ଯାତ୍ରୀ ମାନେ ପାଟି କରିବାରୁ ଉଭୟ ସେଠାରୁ ଚମ୍ପଟ ମାରି କିଛି ସମୟ ପରେ ପୁଣି ଫୁଲବାଣୀ ପର୍ଯ୍ୟନ୍ତ ବସକୁ ପିଛା କରିଥିଲେ। ସେପଟେ ଖାଇବାକୁ ଶ୍ରମିକ ମାନଙ୍କ ପାଖରେ ପଇସା ନଥିଲା। ଇଟାଭାଟି ମାଲିକ ପିଛା କରୁଥିବା ଜାଣି ଶ୍ରମିକ ମାନେ ଫୁଲବାଣୀରେ ବସରୁ ଓହ୍ଲାଇ ଟାଉନ୍ ଥାନାକୁ ଯାଇ ସୁରକ୍ଷା ଲୋଡ଼ି ଥିଲେ। ପୁଲିସ ସଂଗେ ସଂଗେ ସେମାନଙ୍କୁ ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିକଟକୁ ପଠାଇ ଥିଲା। କନ୍ଧମାଳ ଜିଲ୍ଲା ଶ୍ରମ ଅଧିକାରୀ ରଂଜନ କୁମାର ବେହେରା ନିର୍ଯାତିତ ଶ୍ରମିକ ମାନଙ୍କରହିବା ଓ ଖାଇବା ବ୍ୟବସ୍ଥା କରିବା ସହ ରାତିରେ ବିଭାଗୀୟ ଇନସପେକ୍ଟରଙ୍କ ସାଙ୍ଗରେ ବସ ଯୋଗେ ସୁରକ୍ଷିତ ଭାବେ ବଲାଙ୍ଗୀର ପଠାଇ ଦେଇଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ନିର୍ଯାତିତ ଶ୍ରମିକ ମାନେ ସେମାନଙ୍କ ପାରିଶ୍ରମିକ ପ୍ରାପ୍ୟ କିଭଳି ତୁରନ୍ତ ଫେରିପାଇବେ ଏନେଇ ଗଂଜାମ ଜିଲ୍ଲାପାଳ ଓ ଜିଲ୍ଲା ଶ୍ରମ ଅଧିକାରୀ ପଦକ୍ଷେପ ନେବାକୁ ଦାବି ହୋଇଛି। ନିୟମ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗଂଜାମ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଅବଗତ କରାଯାଇଛି ବୋଲି କନ୍ଧମାଳ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ବେହେରା କହିଛନ୍ତି।
ଇଟାଭାଟି ମାଲିକଙ୍କ ଦାଦାଗିରି:ପାରିଶ୍ରମିକ ଦେଲେନି, ବସରୁ ଭିଡ଼ି ନେଇ ଗୋଡ଼ାଇ ପିଟିଲେ
ଉଦ୍ଧାର କଲା ଶ୍ରମ ବିଭାଗ
/sambad/media/post_attachments/wp-content/uploads/2019/03/man-gangraped_1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)