କନ୍ଧମାଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି, କୋଭିଡ୍ ହସପିଟାଲରେ ଶଯ୍ୟା ନ ବଢିଲେ ପଜିଟିଭ୍ ଯିବେ କିମସ୍

ଫୁଲବାଣୀ : କନ୍ଧମାଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଢୁଛି। ଆଜି ସୁଦ୍ଧା ସଂଖ୍ୟା ୧୩୭ରେ ପହଞ୍ଚିଛି। ସେଥି ମଧ୍ୟରୁ ୩୦ ଜଣ ସୁସ୍ଥ ହୋଇଛନ୍ତି। ବାକି ୧୦୭ ଜଣ ରୋଗୀ ଏବେ ଜିଲ୍ଲା କୋଭିଡ୍ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। କରୋନା ସଂକ୍ରମଣ ସଂଖ୍ୟା ଯେଭଳି ବଢୁଛି ସେ ଦୃଷ୍ଟିରୁ ଜିଲ୍ଲା କୋଭିଡ ହସପିଟାଲରେ ଶଯ୍ୟା ସଂଖ୍ୟା ବୃଦ୍ଧି କରିବା ଜରୁରୀ ହୋଇ ପଡିଛି। ଜିଲ୍ଲା କୋଭିଡ ହସପିଟାଲରେ ଶଯ୍ୟା ସଂଖ୍ୟା ସମୁଦାୟ ୧୨୦। ବର୍ତ୍ତମାନ ୧୦୬ ଜଣ ରୋଗୀ ଅଛନ୍ତି। ଆଉ ଜଣେ କିମସରେ ଚିକିତ୍ସାଧୀନ ଅଛନ୍ତି।

ଆଗକୁ ଆହୁରି ବଢିବାର ରହିଛି। ତେଣୁ ରୋଗୀ ସଂଖ୍ୟା ବଢିଲେ ସେହି ଅନୁପାତରେ ଶଯ୍ୟାର ଅଭାବ ପଡିବ। ଯଦି ଶଯ୍ୟା ବୃଦ୍ଧି କରା ନ ଯାଏ ତାହା ହେଲେ ପୁଣି କନ୍ଧମାଳରୁ କରୋନା ଚିହ୍ନଟ ରୋଗୀଙ୍କୁ ଭୁବନେଶ୍ବର କିମସ କୋଭିଡ ହସପିଟାଲକୁ ପଠାଯିବ। ଚତୁର୍ଥ ଲକ୍ ଡାଉନ ସମୟରେ ଗୋଟିଏ ଓ ଦୁଇଟି ପଝିଟିଭ୍ ବାହାରି ଥିଲା। ସେମାନଙ୍କୁ କିମସକୁ ପଠାଯାଇଥିଲା। ଏମିତି ସମୁଦାୟ ୧୩ ଜଣ ରୋଗୀ କିମସ ଯାଇଥିଲେ। ସମାସ୍ତେ ଅବଶ୍ୟ ସେଠାରୁ ସୁସ୍ଥ ହୋଇ ଫେରିଛନ୍ତି। ହେଲେ ଏତେ ଟଙ୍କା ଖର୍ଚ୍ଚରେ ଉଦଘାଟିତ ହୋଇଥିବା  ଜିଲ୍ଲା କୋଭିଡ ହସପିଟାଲରେ ରୋଗୀଙ୍କୁ ଭର୍ତ୍ତି କରା ଯାଉ ନଥିବାରୁ କେତେକ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଶେଷରେ ଜିଲ୍ଲ ପ୍ରଶାସନ ଚିହ୍ନଟ ଆକ୍ରାନ୍ତଙ୍କୁ କିମସ ନ ପଠାଇ ଏଠାରେ ଭର୍ତ୍ତି କରିଥିଲା। ସେବେଠାରୁ ଆଉ କୌଣସି ରୋଗୀଙ୍କୁ କିମସକୁ ପଠା ଯାଉ ନାହିଁ। ସଂପ୍ରତି ଆକ୍ରାନ୍ତଙ୍କ ସଂଖ୍ୟା ଯେଭଳି ବଢି ଚାଲିଛି ଜିଲ୍ଲା କୋଭିଡ ହସପିଟାଲରେ ଶଯ୍ୟା ଅଭାବ ପଡିବା ନିଶ୍ଚିତ । ତେଣୁ ଜିଲ୍ଲା ପ୍ରଶାସନ ଶଯ୍ୟା ସଂଖ୍ୟା ବୃଦ୍ଧି କରୁଛି ନାଁ ପୂର୍ବଭଳି କିମସ୍ ପଠାଉଛି ଦେଖିବାର କଥା।

ସମ୍ବନ୍ଧିତ ଖବର