କନ୍ଧମାଳରେ ପରିବା ଚାଷକୁ କରୋନା ମାଡ: ବିଲାତି ପାଇଁ ୫ହଜାର ଚାଷୀ ବରବାଦ୍

୫୦ ଟଙ୍କାରେ ବିକ୍ରି କରିଥାନ୍ତେ,୧୦ ଟଙ୍କାରେ କେହି ପଚାରୁ ନାହାନ୍ତି, ସହାୟତା ଦାବି

ଫୁଲବାଣୀ: କରୋନା ମହାମାରୀକୁ ନେଇ ଆମ ରାଜ୍ୟ ଓଡିଶା ସମେତ ସମଗ୍ର ଦେଶରେ ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ସତର୍କତା ଓ କଟକଣା ଜାରି ରହିବ।  କରୋନା କଟକଣା ଲକ୍ ଡାଉନ ଯୋଗୁ ବିଭିନ୍ନ ବର୍ଗର ଲୋକ ବେଶୀ କ୍ଷତିଗ୍ରସ୍ତ ହେଉଛନ୍ତି। ସରକାର ବିଭିନ୍ନ ବର୍ଗଙ୍କୁ ସହାୟତ ଦେଉଛନ୍ତି। ହେଲେ ସବୁଠାରୁ ଅଧିକ କ୍ଷତି ସହୁଛି ପରିବା ଚାଷୀ। ବାଡି ଓ ବଗିଚାରେ ବିଭିନ୍ନ ପ୍ରକାରର ପରିବା ହୋଇଛି। ଲକ୍ ଡାଉନ ଯୋଗୁଁ ସେସବୁ ବିକ୍ରିବଟା ହୋଇ ପାରୁ ନାହାନ୍ତି।

ଯାନବାହାନ ଚଳାଚଳ ବନ୍ଦ। ସମାଜିକ ଦୁରତା ଏମିତି ନିୟମ କଡାକଡା ଲାଗୁ ହୋଉଥିବାରୁ ଚାଷୀ ତାର ଉତ୍ପାଦିତ ପରିବା ବିକ୍ରି କରିବାକୁ ବଜାର ଓ ହାଟକୁ ଆସି ପାରୁ ନାହିଁ। ଅପରପକ୍ଷେ  ଚାଷୀଙ୍କ ବାଡିକୁ ଯାଇ ପରିବା ଆଣୁଥିବା ବେପାରୀମାନେ ପୁଲିସ ଭୟରେ ଆଉ ଆସୁ ନାହାନ୍ତି। ଯାହା ଫଳରେ ପରିବା ସବୁ ତୋଳା ଯାଇ ନ ପାରି ଜମିରେ ସଢୁଛି। ଚାଷୀଙ୍କୁ ସବୁଠାରୁ ବେଶୀ ବରବାଦ କରି ଦେଇଛି ବିଲାତି।

ଜିଲ୍ଲାର ପ୍ରାୟତଃ ୫ହଜାର ଚାଷୀ ଜମିାରେ ବିଲାତି ଚାଷ କରିଛନ୍ତି। ସଂପ୍ରତି ବିଲାତି ବାହାରି ଥିବା ବେଳେ କିଲୋ ପିଲା ଚାଷୀ ୫୦ ଟଙ୍କାରେ  ବିକ୍ରି କରିଥାନ୍ତା। ହେଲେ କରୋନା ପାଇଁ ୧୦ ଟଙ୍କାରେ କେହି ନେବାକୁ ଆସୁ ନାହାନ୍ତି ବୋଲି କହନ୍ତି ଚାଷୀ। ଏମିତି କି ରାଜ୍ୟ ବାହାରକୁ କ୍ବିଣ୍ଟାଲ-କ୍ବିଣ୍ଟାଲ ବିଲାତି ବିକ୍ରି ହେବା ପାଇଁ ଯାଇଥାଏ। କରୋନା ସତର୍କତା ଓ କଟକଣା ଲକ୍ ଡାଉନ ଯୋଗୁଁ ବଜାର ଓ ହାଟ ବନ୍ଦ। ଘରୁ ପଦାକୁ ବାହାରିଲେ ବି ପୁଲିସ ଭୟ। ଏଭଳି ସ୍ଥଳେ  ବିଲାତି ଚାଷୀଙ୍କୁ ବେଶୀ କ୍ଷତି ସହିବାକୁ  ପଡିଛି।

ଧାର କରଜ ଓ ରୁଣ କରି ବିଲାତି ଚାଷ କରିଥିଲେ। ଏବେ କରୋନା ପାଇଁ ବିଲାତି ଜମିରେ ପଚି ସଢୁଛି। ଧାରକରଜ ଓ ରୁଣ ଟଙ୍କା କିଭଳି ସୁଝିବେ ସେ ଚିନ୍ତାରେ ସବୁ ଚାଷୀ। କରୋନା ପାଇଁ ଶ୍ରମିକଠାରୁ ଆରମ୍ଭ କରି ଉଠାଦୋକାନୀ ଓ ଜଗନ୍ନାଥ ମନ୍ଦିର ସେବାୟତଙ୍କ ପାଇଁ ସରକାର ସହାୟତା ଦେବାର ବ୍ୟବସ୍ଥା କରୁଛନ୍ତି। ହେଲେ ସେମାନଙ୍କ କଥା କେହି ବୁଝୁ ନାହାନ୍ତି ବୋଲି କହନ୍ତି କନ୍ଧମାଳର ସବୁ ବିଲାତି ଚାଷୀ। ଏ ନେଇ ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ରାଜ୍ୟ ସରକାରଙ୍କୁ ସହାୟତା ପାଇଁ ସୁପାରିଶ କରିବାକୁ ସାଧାରଣରେ ଦାବି ହେଉଛି।

ବିଲାତି ଚାଷୀଙ୍କ ମୁହଁରୁ

୩ ଏକର ଜାଗ‌ାରେ ବିଲାତି ଚାଷ କରିଥିଲି। ଭଲ ଫଳ ହୋଇଥିଲା। ଆଶା ଥିଲା ୧ ଲକ୍ଷ ଟଙ୍କାରେ ବିକ୍ରି କରିବି। ହେଲେ କରୋନା ସବୁ କିଛି ଛାରଖାର କରି ଦେଲା। ୧୦ ହଜାର ଟଙ୍କା ବି ବିକ୍ରି ହୋଇ ପାରି ନାହିଁ। ବିକ୍ରିବଟା ପାଇଁ ସବୁ ବାଟ ବନ୍ଦ ହେବା ଫଳରେ ବିଲାତି ସବୁ ଜମିରେ ସଡୁଛି। ନାଁ ବିକ୍ରି କରିବାକୁ ବଜାର ହାଟକୁ ଯାଇ ପାରୁଛୁ ନାଁ ବେପାରୀ ଜମିକୁ ଆସି କିଣି ନେଇ ପାରୁଛନ୍ତି। ବିଲାତି କ୍ଷତିର ଭରଣ ପାଇଁ ସରକାର ସହାୟତା ଦିଅନ୍ତୁ। -ନରେଶ ମହାନ୍ତି, ଡାଟପାଜୁ

୨ଏକର ଜମିରେ ବିଲାତି ଚାଷ କରିଥିଲି। ଆଶା ଥିଲା ସବୁ ଖର୍ଚ୍ଚ ଯାଇ ୩୦ ହଜାର ଟଙ୍କା ପାଇବି। ହେଲେ କରୋନା ବିଲାତି ଚାଷକୁ ଉଜାଡି ଦେଲା। ଧାର କରଜ କରି ଚାଷ କରିଥିଲି। ହେଲେ ସେ ଟଙ୍କା କିଭଳି ସୁଝିବି ବୋଲି ଚିନ୍ତା ବଢି ଯାଇଛି। ସରକାର ସହାୟତା ଦେବାକୁ ଅନୁରୋଧ। -ତରଣୀ ବେହେରା, ବଲସକୁମ୍ପା

ବିଲାତି କ୍ଷତି ସରକାର ଭରଣ କରନ୍ତୁ। କରୋନା ସହାୟତା ଦିଅନ୍ତୁ। ନହେଲେ ବରବାଦ ହୋଇ ଯିବୁ। -ଅନାମ କହଁର, ଲୁଇସିଂ

କରୋନା କଟକଣା ଉଠିଲେ ବି ବିଲାତିକୁ କିଛି ଲାଭ ନାହିଁ। କାରଣ ବିଲାତି ସଢିବାକୁ ବସିଲାଣି। ତେଣୁ ସହାୟତା ଦେବା ଜରୁରୀ। -ରେବତୀ ମଲ୍ଲିକ, ବିଲାବାଡି

 

 

ସମ୍ବନ୍ଧିତ ଖବର