କନ୍ଧମାଳରେ ବାଇକ୍‌ ଦୁର୍ଘଟଣାରେ ଦୁଇ ମୃତ୍ୟୁ ଘଟଣା: ଦିନ ତମାମ ବାରଣ୍ଡାରେ ପଡ଼ିରହିଲା ମୃତଦେହ

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ବୁଦୁଲିପଦର ଘାଟିରେ ସୋମବାର ରାତି ସଡ଼କ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ପରେ ଗୋଟିଏ ମୃତଦେହ ପୋଷ୍ଟମର୍ଟମ ସରିଥିବା ବେଳ ତୁମୁଡ଼ିବନ୍ଧ ହସ୍ପିଟାଲରେ ଅନ୍ୟ ମୃତଦେହ ପୋଷ୍ଟମର୍ଟମ ହୋଇ ପାରି ନାହିଁ। ମୃତଦେହଟି ମଙ୍ଗଳବାର ଦିନ ତମାମ ବାରଣ୍ଡାରେ ପଡ଼ିରହିଥିଲା। ତେବେ ଏଠାରେ ଶବକୁ ଅସମ୍ମାନ କରି ଆଜି ଦିନ ତମାମ ବାରଣ୍ଡାରେ ପକାଯାଇ ଥିବା ଅଭିଯୋଗ ହୋଇଛି।

ଏନେଇ ମେଡିକାଲ କର୍ତ୍ତୃପକ୍ଷରୁ କୌଣସି ସୂଚନା ମିଳୁନଥିବା ବେଳେ ଏ ସମ୍ପର୍କରେ ଥାନା ଅଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ ବାଲିଗୁଡାରୁ ଡାକ୍ତର ଆସିଲେ ଏଠାରେ ଶବବ୍ୟବଚ୍ଛେଦ ହୁଏ। ଏଣୁ ସେଠାରେ ଦୁଇଟି ଶବ ବ୍ୟବଛେଦ ଥିବାରୁ ଡାକ୍ତର ଆସିପାରିନାହାନ୍ତି। ଶବବ୍ୟବଚ୍ଛେଦ ବୁଧବାର ହେବ। ତେବେ ମୃତ ବ୍ୟକ୍ତି ମାନଙ୍କର ପରିବାର ଅତି ଗରିବ ହୋଇ ଥିବାରୁ କୌଣସି ରାଜନେତା କିମ୍ବା ଅଧିକାରୀଙ୍କ ଟିକିଏ ବି ଦରଦ ହେଲା ନାହିଁ ବୋଲି ଅଭିଯୋଗ ହେଉଛି। ଏବେ ବି ଶୀତ-କାକରରେ ପରିବାର ଲୋକ ଶବ ନିକଟରେରେ ଜଗି ବସିଛନ୍ତି।

ଘଟଣାରୁ ପ୍ରକାଶ ଯେ ପାରିଗଡ଼ରୁ ଭାଲିଆପାଣି ଯିବା ସମୟରେ ବାଇକ୍‌ରେ ଦୁଇଜଣ ଯାଉଥିବା ସମୟ ରେ ବୁଦୁଲିପଦର ଘାଟି ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡ଼ିଥିଲେ। ସେମାନେ ପଥରରେ ପିଟି ହୋଇ ଯାଇଥିଲେ। ଘଟଣାସ୍ଥଳରେ ଭଳିଆପାଣି ଗାଁର ରମାକାନ୍ତ ମାଲିକଙ୍କର ମୃତ୍ୟୁ ଘଟିଥିବା ବେଳେ ପାରିଗଡ଼ ଗାଁର କନେଲ ପ୍ରଧାନଙ୍କୁ ଗୁରୁତର ଅବସ୍ଥାରେ ତୁମୁଡିବନ୍ଧ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଅଧିକ ଗୁରୁତର ହେବାରୁ ତାଙ୍କୁ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାକୁ ୧୦୮ଆମ୍ବୁଲାନ୍‌ସ ଯୋଗେ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ କନେଲଙ୍କୁ ମୃତ୍ୟୁ ହୋଇଛି। ତୁମୁଡିବନ୍ଧ ପୁଲିସ ଏନେଇ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର