ଫୁଲବାଣୀର ଆଶ୍ଚର୍ଯ୍ୟଜନକ କୂଅ, ପାହାଡ଼ ଉପରେ ହାତ ପାଆନ୍ତାରେ ମିଳେ ପାଣି

ଫୁଲବାଣୀ(ବୋୖଦ୍ଧାୟନ ଆଚାର୍ଯ୍ୟ): ନୂଆବର୍ଷ ଓ ପିକନିକ ଋତୁରେ ଫୁଲବାଣୀ ଯଦି ଯାଉଛନ୍ତି ତେବେ କେବଳ ଦାରିଙ୍ଗବାଡିର ସୌନ୍ଦର୍ଯ୍ୟ ଉପଭୋଗ କରନ୍ତୁ ନାହିଁ | ବରଂ ଏମିତି ଏକ ଅଦ୍ଭୁତ କୂଅକୁ ବି ଦେଖିଆସନ୍ତୁ, ଯାହାକି ଆପଣଙ୍କୁ ପୁରୁଣା ଜ୍ଞାନକୌଶଳ ବାବଦରେ ଥରେ ଭାବିବାକୁ ବାଧ୍ୟ କରିବ | ସମୁଦ୍ର ପତ୍ତନରୁ ଦୁଇ ହଜାର ଫୁଟ ଉପରେ ରହିଛି କନ୍ଧମାଳ ଜିଲ୍ଲା | ଆଉ ଜିଲ୍ଲାକୁ ଯିବାକୁ ହେଲେ ରାଣୀପଥର ଘାଟି ଦେଇ ଯିବାକୁ ହୁଏ | ତେବେ ଏହି ପାହାଡ଼ରେ ରହିଛି ଏମିତି ଏକ କୂଅ ଯାହାକୁ ଖୋଦ ବୌଦ୍ଧ ରାଜା ନିର୍ମାଣ କରାଇଥିଲେ | ଆଉ ଶହ ଶହ ବର୍ଷ ପରେ ବି ଆଜି ମଧ୍ୟ ହାତ ପାଆନ୍ତାରେ ଏଠାରେ ପାଣି ମିଳିଥାଏ |

ଏହି କୂଅଟିର ନିର୍ମାଣ କେବେ ହୋଇଥିଲା ତାହାର କୌଣସି ତଥ୍ୟ ନାହିଁ ସତ କିନ୍ତୁ ରାଜାଙ୍କ ଏହି ନିଆରା ଟେକନିକ ବାବଦରେ ମନେପଡେ | ପୂର୍ବରୁ କୌଣସି ରାସ୍ତାଘାଟ ନଥିବାବେଳେ ପଥଚାରୀଙ୍କୁ ପାଣି ଠୋପେ ଯୋଗାଇଦେବା ପାଇଁ ଏହି କୂଅ ନିର୍ମାଣ କରାଯାଇଥିବାର ଅନୁମାନ କରାଯାଏ | ସ୍ଥାନୀୟ ବାସିନ୍ଦାଙ୍କ କହିବା ମୁତାବକ ଶୀତ-ବର୍ଷା ବା ଖରାଦିନରେ ଅନ୍ୟ କୂଅମାନଙ୍କର ପାଣି ଶୁଖିଯାଉଥିବାବେଳେ ପାହାଡ ଉପରେ ଏହି କୂଅ ଥିଲେ ମଧ୍ୟ ହାତ ପାଆନ୍ତାରେ ସବୁବେଳେ ପାଣି ମିଳିଥାଏ |

ବଡ କଥା ଯେ ଆଧୁନିକ ବିଜ୍ଞାନର ବିଭିନ୍ନ ପ୍ରକ୍ରିୟା ପରେ ବି କିଛି ସ୍ଥାନରୁ ମାଟିତଳୁ ପାଣି ମିଳିବା କାଠିକର ପାଠ ହୋଇଥିବାବେଳେ ଏବେକାର ଭୂତତ୍ୱ ବିଜ୍ଞାନୀମାନେ ମଧ୍ୟ ଏକଥାକୁ ସ୍ୱୀକାର କରୁଛନ୍ତି | ଆଉ ମାଟି ତଳର ପାଣି ଉତ୍ସ କିଭଳି ସେମିତି ରହୁଛି ତାହାକୁ ନେଇ ମଧ୍ୟ ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି | ରାଜାରାଜୁଡ଼ା ଶାସନ ନାହିଁ , କିନ୍ତୁ ସେହି ସନ୍ତକ ସେମିତି ଅଛି | ଆଉ ପାଣି ଛଳଛଳ କୂଅ ମନେ ପକାଇଦେଉଛି ଆମ ପାରମ୍ପରିକ ପ୍ରଯୁକ୍ତିବିଦ୍ୟା କେତେ ଓଜନଦାର ଥିଲା |

ସମ୍ବନ୍ଧିତ ଖବର