ଫୁଲବାଣୀ: ଗରିବ ଓ ଅସହାୟଙ୍କ ପାଇଁ ଇନ୍ଦିରା ଆବାସ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇ ଦିଆଯାଉଛି। ଗ୍ରାମସଭାରେ ହିତାଧିକାରୀ ଚୟନ ପରେ କାର୍ଯ୍ୟାଦେଶ ପ୍ରଦାନ କରାଯାଉଛି। ହେଲେ, କିଛି ସରକାରୀ ବାବୁ ଓ ଶାସକ ଦଳର ନେତାଙ୍କ ସଲାସୁତରା ଯୋଗୁଁ ଯୋଗ୍ୟ ହିତାଧିକାରୀ ଯୋଜନାରୁ ବାଦ୍ ପଡୁଥିବା ବେଳେ ଅଯୋଗ୍ୟ ହିତାଧିକାରୀ ହାତେଇ ନେଉଛନ୍ତି ପକ୍କା ଘର। ଏଭଳିକି ଜଣକ ନାଁରେ ଦୁଇ ଦୁଇଟି ଘର କାର୍ଯ୍ୟାଦେଶ ଦିଆଯାଇଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟରୁ ବ୍ଲକ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନୟାନ୍ତ ହେଉଥିଲେ ବି ପ୍ରକୃତ ହିତାଧିକାରୀ ପକ୍କା ଘରଟିଏ ପାଇବାକୁ ସକ୍ଷମ ହୋଇ ପାରୁ ନାହାନ୍ତି । ଏଭଳି ଏକ ଦମ୍ପତି ହେଲେ କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଛତିଝର ଗାଁର ପରିଣତ ବୟସରେ ପହଞ୍ଚି ସାରିଥିବା ଟିଲୁ ଓ ପୁନି । ସେମାନଙ୍କ କୁଡ଼ିଆ ଘରକୁ ଦେଖିଲେ ସରକାରଙ୍କ ଯୋଜନାର ସଫଳ ରୂପାୟନ କିଭଳି ହେଉଛି ତା’ ଜଳଜଳ କରି ଜଣା ପଡ଼ିିିବ।
ବ୍ଳକ ସଦର ମହକୁମା ଠାରୁ ମାତ୍ର ୨ କିଲୋମିଟର ଦୂରରେ ଅବସ୍ଥିତ ଛତିଝର ଗାଁ । ଏଠାରେ ଗରିବ ଓ ଅସହାୟଙ୍କୁ ପକ୍କା ଘରଟିଏ ମିଳି ପାରିନାହିଁ। ଭଙ୍ଗା ନଡ଼ା ଛପର ଘରେ ଅଧିକାଂଶ ଲୋକ ବସବାସ କରୁଛନ୍ତି। ଟିଲୁ ଭୁକ୍ତା ଓ ପୁନି ଭୁକ୍ତା ମଧ୍ୟ ସେମିତି ଏକ କୁଡ଼ିଆରେ ରହୁଛନ୍ତି । ଟିଲୁଙ୍କ ବୟସ ୭୫ ଓ ପୁନିଙ୍କ ବୟସ ୭୦। ଏମାନଙ୍କର ଜମିବାଡ଼ି ନାହିଁ। ଏହି ବୟସରେ ସେମାନେ ପର ଘରେ କାମ କରି ଚଳୁଛନ୍ତି। ସେମାନଙ୍କର ମୁଣ୍ଡ ଗୁଂଜିବାକୁ ପକ୍କା ଘରଟିଏ ନାହିଁ। ଭଙ୍ଗା ନଡ଼ା ଛପର ଘରେ ଦୁହେଁ ଜୀବନ ବିତାଉଛନ୍ତି। ପକ୍କା ଘରଟିଏ ପାଇଁ ପଞ୍ଚାୟତ କାର୍ଯ୍ୟାଳୟରୁ ବ୍ଳକ କାର୍ଯ୍ୟାଳୟକୁ ଦୀର୍ଘ ୫ ବର୍ଷ ହେଲା ଧାଁଦୌଡ଼ କରୁଛନ୍ତି। ହେଲେ, କେହି ବି ସେମାନଙ୍କ ଦୁଃଖ ବୁଝୁ ନାହାନ୍ତି ବୋଲି କହନ୍ତି ଟିଲୁ ଓ ପୁନି। ଆମମାନଙ୍କ ନିମନ୍ତେ ଏସବୁ ଯୋଜନା କାର୍ଯ୍ୟକାରୀ ହେଉଛି। କେହି କୁଡିଆ ଘରେ ରହିବେ ନାହିଁ ବୋଲି ସରକାର କହୁଛନ୍ତି। ହେଲେ ଆମକୁ ସାହା ଭରସା କେହି ନାହାନ୍ତି ବୋଲି ସେମାନେ କହିଛନ୍ତି।
ଗାଁରେ ଧନୀକ ଶ୍ରେଣୀୟ ଲୋକଙ୍କୁ ପକ୍କା ଘର ମିଳୁଛି। ଜଣଙ୍କ ନାଁରେ ୨/୩ଟା ପକ୍କା ଘର ମଧ୍ୟ ରହିଛି । ହେଲେ, ଆମ ପାଇଁ କିଛି ନାହିଁ ବୋଲି କହିବା ସମୟରେ ଦୁହିଁଙ୍କ ଆଖିରୁ ଛଳଛଳ ହୋଇ ଲୁହ ଝରି ପଡ଼ିିଥିଲା। ଏମିତି ଏହି ଗାଁରେ ଆହୁରି ଯୋଗ୍ୟ ହିତାଧିକାରୀ ଅଛନ୍ତି, ଯେଉଁମାନଙ୍କୁ ଅଦ୍ୟାବଧି ପକ୍କା ଘର ମିଳି ପାରିନାହିଁ। ଏମାନେ ସମସ୍ତେ ପିପିଏଲ ତାଲିକାଭୁକ୍ତ ହୋଇଥିଲେ ବି ସେମାନଙ୍କୁ ସରକାରୀ ଯୋଜନାରେ ସହାୟତା ନ ମିଳିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି।
ଏ ନେଇ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶରତ ଚନ୍ଦ୍ର ପଣ୍ଡାଙ୍କୁ ପଚାରିବାରୁ ସେ କହିଲେ - ଏମିତି ଖବର ଆମ ପାଖକୁ ଆସିନାହିଁ । ତେବେ, ବିଡିଓଙ୍କୁ କୁହାଯିବ ସେହି ଗାଁକୁ ଯାଇ ଅନୁଧ୍ୟାନ କରିବେ। ପ୍ରକୃତ ହିତାଧିକାରୀ ନିଶ୍ଚୟ ଯୋଜନାରେ ସାମିଲ ହେବେ। ଯଦି କେହି ଗୋଟିଏରୁ ଅଧିକ ହାତେଇଛନ୍ତି ତା’ ହେଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/kandhamal-1.jpg)