ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ଯଥା ପୂର୍ବ ତଥା ପର। ପୂର୍ବ ସରକାରଙ୍କୁ କହିକହି ଦାବି କରିକରି ଥଗିଗଲେ ସ୍ଥାନୀୟ ଚାଷୀ। ହେଲେ କିଛି ଲାଭ ମିଳିଲାନି। ସରକାର ବଦଳିବା ପରେ ଆଶା ରଖିଥିଲେ ଚାଷୀଙ୍କ ଭାଗ୍ୟ ବଦଳିବ ହେଲେ ସାଶନକୁ ଆସିବାର ୨୦ମାସ ବିତିଲା କିଛି ବଦଳିଲାନି। ଆଜି ବି କୋମାରେ ଘୁ.ଉଦୟଗିରି ଶୀତଳଭଣ୍ଡାର। ରାଜ୍ୟ ହେଉ କି କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ମାଳମାଳ ଯୋଜନା ପ୍ରସ୍ତୁତ କରିବା ସହ ଚାଷୀ ଏବଂ ଚାଷକୁ ପ୍ରୋତ୍ସାହନ ଦେବା ନିମନ୍ତେ ଅର୍ଥ ବ୍ୟୟ ବରାଦ କରିବା ସହ ସିଧାସଳଖ ଚାଷୀଙ୍କ ଖାତାକୁ ବିଭିନ୍ନ ଯୋଜନା ମାଧ୍ୟମରେ ଅର୍ଥ ପ୍ରଦାନ କରାଯାଉଛି। ହେଲେ ଚାଷୀ କେତେ ଉପକୃତ ହେଉଛନ୍ତି ସରକାର ତୃଣମୂଳ ସ୍ତରରେ କେବେ ବୁଲି ଦେଖି ନାହାନ୍ତି ଏଣୁ ଯେତେ ଯୋଜନା କଲେ ଯେତେ ଟଙ୍କା ଦେଲେ ବି ଚାଷୀର ଉନ୍ନତି ହେଉନି ବରଂ ଚାଷ ପ୍ରତି ଆଜିର ଯୁବ ପିଢ଼ି ବିମୁଖ ହୋଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି।

Advertisment

ସ୍ଥାନୀୟ ଅଞ୍ଚଳର ଚାଷୀ ପରିଶ୍ରମ କରି ଫସଲ ଉତ୍ପାଦନ କରିବା ପରେ ବିକ୍ରି ନିମନ୍ତେ ବଜାର ଅଭାବ ସାଙ୍ଗକୁ ସଞ୍ଚିତ କରି ରଖିବା ନିମନ୍ତେ ଶୀତଳଭଣ୍ଡାର ଅଭାବ।ଶୀଳଭଣ୍ଡାର ଖତ ଖାଉଛି। ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସହରରେ। ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଘୁମୁସର ଉଦୟଗିରି ବହୁ ପୁରାତନ ସହର ଅଟେI ସହରକୁ ପ୍ରବେଶ ପଥର ବାମ କଡ଼େ ଅର୍ଥାତ ଏନଏସି ର ୧ନଂ ୱାର୍ଡ ରେ ରହିଅଛି ଜରାଜୀର୍ଣ୍ଣ ଅବସ୍ଥାରେ ଶୀତଳଭଣ୍ଡାର କନ୍ଧମାଳ ଜିଲ୍ଲାର ବହୁ ପୁରାତନ ଓ ଏକମାତ୍ର ଶୀତଳ ଭଣ୍ଡାର I ଯାହାକି ଅତ୍ୟନ୍ତ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବା ଦେଖୁବାକୁ ମିଳୁଛିI ଶୀତଳଭଣ୍ଡାରକୁ ନେଇ ବାରମ୍ବାର ସ୍ଥାନୀୟ ଜନସାଧାରଣଙ୍କ ଦାବି ଏବଂ ବିଭିନ୍ନ ଖବରକାଗଜରେ ଖବର ପ୍ରକାଶ ସତ୍ୱେ କିଛି ସୁଫଳ ମିଳିଲା ନାହିଁI ସ୍ଥାନୀୟ ଅଞ୍ଚଳର ଚାଷୀ ଓ ଜନସାଧାରଣଙ୍କ ସ୍ୱାର୍ଥ ନିମନ୍ତେ ତତ୍କାଳୀନ କୃଷି ଓ ସମବାୟ ବିଭାଗ ମନ୍ତ୍ରୀ ବାସୁଦେବ ମହାପାତ୍ରଙ୍କ ଦ୍ୱାରା ୨୩ ଏପ୍ରିଲ ୧୯୮୧ ମସିହାରେ ଏହି ଅତ୍ୟାଧୁନିକ ଶୀତଳଭଣ୍ଡାର ଉଦଘାଟନ ହୋଇଥିଲା। କିଛି ବର୍ଷ ଶୀତଳଭଣ୍ଡାର ଚାଲିଲା। ଚାଷୀ ବେଶ ଉପକୃତ ହେଲେ ଚାଷ ପ୍ରତି ଚାଷୀଙ୍କ ଆକୃଷ୍ଟ ବଢ଼ିଲା ଉତ୍ପାଦନ ବଢ଼ିଲା।ଚାଷୀ ଲାଭବାନ ହେଲେ। ପରବର୍ତ୍ତୀ କିଛି ବର୍ଷ ଭିତରେ ଶୀତଳଭଣ୍ଡାରରେ ଆରମ୍ଭ ହେଲା ଅବ୍ୟବସ୍ଥା ସହ ଅଚଳାବସ୍ଥାI

ପରିଚାଳନାଗତ ଅଭାବ

ପରବର୍ତ୍ତୀ ପରିଚାଳନା ନିମନ୍ତେ ଟିକାବାଲି ମାଳ ବାଣିଜ୍ୟ ସମବାୟ ସମିତି ଲିଃକୁ ପରିଚାଳନାପାଇଁ ଦାୟିତ୍ୱ ଦିଆଯାଇଥିଲାI ପରିଚାଳନା ଗତ ତ୍ରୁଟି ଯୋଗୁଁ ଖୁବ କମ ଦିନ ମଧ୍ୟରେ ଉକ୍ତ ଶୀତଳଭଣ୍ଡାରରେ ତାଲା ପଡିଯାଇଥିବା ପୁରୁଖା ଚାଷୀମାନେ ପ୍ରକାଶ କରିଛନ୍ତିI ସମବାୟ ସମିତିର ଦାୟିତ୍ୱ ହୀନତା ଯୋଗୁଁ  ଶୀତଳ ଭଣ୍ଡାରର ମୂଲ୍ୟବାନ ଯନ୍ତ୍ରାଂଶ ସବୁ ଲୁଟ ହୋଇ ଅନ୍ୟତ୍ର ବିକ୍ରୟ କରାଯାଇଥିବାର ଅଭିଯୋଗ ହେଉଛିI ଶୀତଳଭଣ୍ଡାର ଅଧୀନରେ ଥିବା ଜମିଜମା ଏବେ ଜବରଦଖଲ କାରୀଙ୍କ କବଜାରେ ଥିବା ଓ ବିଜ୍ଞାପିତ ଅଞ୍ଚଳ ପରିଷଦ କିଛି ଜମି ଜବରଦଖଲ କରି ଶୌଚାଳୟ,କଲ୍ୟାଣ ମଣ୍ଡପ ଏବଂ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ହୋଇଥିବା ଦେଖିବାକୁ ମିଳୁଛିI ଦୀର୍ଘ ବର୍ଷ ବିତି ଯାଇଥିଲେ ସୁଦ୍ଧା ସମବାୟ ସମିତି ଲିଃ କର୍ତୃପକ୍ଷ ତରଫରୁ କୌଣସି ପ୍ରକାର ଦାୟିତ୍ୱ ନିଆ ନ ଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛିI

ଆହୁରି ପଢ଼ନ୍ତୁ: Humanity: ମାନବିକତା ଦେଖାଇଲେ ଅକ୍ଷୟ, ଟଙ୍କା ପାଇ ଏସ୍‌ପିଙ୍କୁ ଫେରାଇଲେ

ଏକମାତ୍ର ଶୀତଳଭଣ୍ଡା

ଏହି ଶୀତଳଭଣ୍ଡାର ଜିଲ୍ଲାରେ ଏକମାତ୍ର ହୋଇଥିବା ବେଳେ ସମଗ୍ର ଜିଲ୍ଲା ସମେତ ଘୁ.ଉଦୟଗିରି, ଟିକାବାଲି, ଚକାପାଦ, ରାଇକିଆ ଏବଂ ଦାରିଙ୍ଗବାଡିର ଚାଷୀ ବିଗତ ଦିନରେ ନିର୍ଭର କରି ଆସୁଥିଲେI ଅଞ୍ଚଳର ଚାଷୀଙ୍କ ସ୍ୱାର୍ଥ ରକ୍ଷା ନିମନ୍ତେ ୧୨ହଜାର ମେଟ୍ରିକଟନ କ୍ଷମତା ବିଶିଷ୍ଟ ଏହି ଶୀତଳ ଭଣ୍ଡାରକୁ ପୁଣି ଥରେ କାର୍ଯ୍ୟକ୍ଷମ କରାଗଲେ ସମଗ୍ର ଚାଷୀ ଭାଇଙ୍କ ବହୁ ମୂଲ୍ୟବାନ ଉତ୍ପାଦିତ ଫସଲ ନଷ୍ଟ ନ ହୋଇ ସୁରକ୍ଷିତ ହୋଇ ରହି ପାରିଥାନ୍ତା ବୋଲି ସାଧାରଣରେ ଦାବି ଜୋର ହେଉଛିI ସ୍ଥାନୀୟ ଅଞ୍ଚଳରେ ଆଳୁ ମିଶନ ଠିକ ଭାବେ କାର୍ଯ୍ୟ କରୁ ଥିଲେ ମଧ୍ୟ ଏକ ଶୀତଳଭଣ୍ଡାର ଅଭାବରୁ କମ ଦରରେ ବିକ୍ରୟ କରି କ୍ଷତି ସହୁଛନ୍ତି ଏହି ଅଞ୍ଚଳର ଚାଷୀମାନେ। ସ୍ଥାନୀୟ ଅଞ୍ଚଳରେ ପ୍ରଚୁର ପରିମାଣର ଆଳୁ, ବିନସ, ଟମାଟୋ, ବନ୍ଧା କୋବି, ଦେଶୀ ଆଳୁ, ଆମ୍ବ ଅଦା, କଖାରୁ ଆଦାୟ ହେଉଥିଲେ ମଧ୍ୟ ଶୀତଳଭଣ୍ଡାର ଅଭାବରୁ ଚାଷୀ ସେଇ ସାମଗ୍ରୀ ଗୁଡିକୁ ନଷ୍ଟ ହେବା ଭୟରେ କମ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ବର୍ତ୍ତମାନ ରାଜ୍ୟ ସରକାର ଏହି ଜରାଜୀର୍ଣ୍ଣ ଅବସ୍ଥାରେ ପଡିଥିବା ଶୀତଳଭଣ୍ଡାରର ପୁନରୁଦ୍ଧାର କରିବାକୁ ସ୍ଥାନୀୟ ଅଞ୍ଚଳର ଚାଷୀ ସଂଗଠନ ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: Accident: ୫ଜଣିଆ ପରିବାରଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ ଟ୍ରକ୍‌, ୩ଜଣଙ୍କ ମୃତ୍ୟୁ