ଫୁଲବାଣୀ: ବାହାଘର ପାଇଁ ରାଜି ନ ହେବାରୁ ମହିଳା ଶ୍ରମିକଙ୍କୁ ମାଡ ମାରିବା ଘଟଣାରେ ଅଭିଯୁକ୍ତ ରାଜମିସ୍ତ୍ରୀ ପ୍ରକାଶ ଦିଗାଲକୁ ଫୁଲବାଣୀ ଆସିଷ୍ଟାଣ୍ଡ ସେସନ୍ ଜଜ୍ ଅବନୀ କୁମାର ପ୍ରଧାନ ୫ ବର୍ଷ ଜେଲଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥି ସହ ୩ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅର୍ଥ ଆଦାୟ ହେଲେ ଏହା ପୀଡିତା ମହିଳା ଶ୍ରମିକଙ୍କୁ ପ୍ରଦାନ କରାଯିବ ବୋଲି କୋର୍ଟ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁଯାୟୀ ଫୁଲବାଣୀ ସହର ଉପକଣ୍ଠ ଗୁଦାରିର ରାଜମିସ୍ତ୍ରୀ କାମ କରୁଥିବା ପ୍ରକାଶ ଦିଗାଲ ପ୍ରତିଦିନ କାମ କରିବାକୁ ଫୁଲବାଣୀ ଆସିଥାଏ। ତା ସହ ସେହି ଗାଁର କେତେକ ମହିଳା ଶ୍ରମିକ ଆସିଥାନ୍ତି। ସେଥି ମଧ୍ୟରୁ ରବିବାରୀ କହଁର ନାମକ ଜଣେ ମହିଳା ଶ୍ରମିକ ଗତ ୨୦୧୨ ମାର୍ଚ୍ଚ ୬ ତାରିଖରେ ପ୍ରକାଶ ସହ କାମ କରିବାକୁ ଆସି ଆଉ ଘରକୁ ଫେରି ନଥିଲା। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ବି ରବିବାରୀର କୌଣସି ସନ୍ଧାନ ପାଇ ନଥିଲେ। ତାପର ଦିନ ସଂଧ୍ୟାରେ ଗୁଦାରି ଖେଳ ପଡିଆ ନିକଟ ଏକ ଆମ୍ବ ଗଛ ମୂଳେ ରବିବାରୀ ମୁମୁର୍ଷୁ ଅବସ୍ଥାରେ ପଡିଥିବା କେହି ଜଣେ ଦେଖି ତାର ଭାଇ ନିରଞ୍ଜନ କହଁରକୁ ଫୋନ କରି ଜଣାଇଥିଲେ। ତାପରେ ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତାପରେ ବ୍ରହ୍ମପୁର ଓ ପରବର୍ତ୍ତି ସମୟରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା।
ପ୍ରକାଶ ବିବାହିତ। ତାସତ୍ତ୍ୱେ ସେ ରବିବାରୀକୁ ଦ୍ୱିତୀୟ ବିବାହ କରିବାକୁ ଚାହୁଁଥିଲା। ହେଲେ ରବିବାରୀ ଏଭଳି ପ୍ରସ୍ତାବରେ ରାଜି ନ ହେବାରୁ ପ୍ରକାଶ ତାକୁ ମାଡ ମାରି ସେଠାରେ ପକାଇ ପଳାଇ ଯାଇଥିଲା। ଏହାକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ପ୍ରକାଶ ଦିଗାଲକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାର ରାୟ ଆଜି ପ୍ରକାଶ ପାଇଥିବା ବେଳେ ସରକାରଙ୍କ ପକ୍ଷରୁ ଆଡିସନାଲ ପିପି ଧୀରେନ କୁମାର ପଟ୍ଟନାୟକ ମକଦ୍ଦମା ପରିଚାଳନା କରୁଥିଲେ।