ଘୁ.ଉଦୟଗିରି(ସମୀର କୁମାର ପାଢ଼ୀ):କନ୍ଧମାଳଜିଲ୍ଲା ଘୁମୁସର ଉଦୟଗିରି ନିକଟ କଳିଙ୍ଗା ଘାଟିରେ ଗତ ୧୬ତାରିଖ ଦିନ ଅପରାହ୍ନରେ ବାଦଲଫଟା ବର୍ଷା ପରେ  ବଡ଼ଧରଣର ପ୍ରାକୃତିକ ବପର୍ଯ୍ୟୟ ଘଟିଛି। କଳିଙ୍ଗା ଘାଟିର ଅନ୍ଧାରକୋଟ ନିକଟରେ ଥିବା ଏକ ଛୋଟ ଝରଣା ଭୁସ୍ଖଳନ ଯୋଗୁଁ ନୂଆ ରୂପ ନେଇଛି। ପାହାଡ଼ ଶିଖରରୁ ତଳକୁ ପାଣି ପଡ଼ିବାରେ ଲାଗିଛି, ଯେଉଁଠି ଭୁସ୍ଖଳନ ପୂର୍ବରୁ ଛୋଟ ଝରଣା ଟିଏ ଥିଲା ଓ କମ ପାଣି ଝରୁଥିଲା, ବର୍ତମାନ ଉକ୍ତ ସ୍ଥାନ ଜଳପ୍ରପାତ ଭଳି ଦୃଶ୍ୟମାନ ହେଉଛି। ପାହାଡ଼ ଶିଖରରୁ ବାହାରିଥିବା ଛୋଟ ଝରଣାଟି ବିଶାଳ ହୋଇଛି।

Advertisment

ପାହାଡ଼ ଶିଖରରୁ ପ୍ରବଳ ପାଣି ଆସି ବଡ଼ବଡ଼ ପଥର ଏବଂ ମାଟି ଅତଡ଼ା ଖସି ୩୦ମିଟର ରାସ୍ତାକୁ ସମ୍ପୂର୍ଣ୍ଣ ଭସାଇ ନେଇଛି। ରାସ୍ତା ସାରା ମାଟି ପଥର ଆବଦ୍ଧ କରି ରଖିବା ପରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ରାସ୍ତାରେ ପଡ଼ିଥିବା ମାଟି ପଥରକୁ ତଳକୁ ଗଡ଼ାଇ ସଫା କରିବାରେ ଲାଗିଛନ୍ତି।

Kalinga

ପ୍ରବଳ ବର୍ଷା କାରଣରୁ ପାଣି ମାତ୍ରା ବଢ଼ି ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଛି। ଏହି ଦୃଶ୍ୟକୁ କିଛି କ୍ୟାମେରାମ୍ୟାନ୍‌, ୟୁଟ୍ୟୁବର, ନିଜନିଜ କ୍ୟାମେରା ଏବଂ ମୋବାଇଲରେ ରେକର୍ଡ କରି ସୋସିଆଲ ମିଡିଆରେ ସେୟାର କରୁଛନ୍ତି। ଲୋକମାନେ ଏହି ଦୃଶ୍ୟ ଦେଖିବାକୁ ଉତ୍ସାହିତ ହେଉଛନ୍ତି। ଲୋକମାନେ ଏହି ଦୃଶ୍ୟ ଦେଖିବାକୁ ଯାଉଛନ୍ତି। ହେଲେ କଳିଙ୍ଗା ଘାଟି ଆରମ୍ଭରେ ପୁଲିସ ପକ୍ଷରୁ ୨୪ଘଣ୍ଟିଆ ନାକା ଲାଗିଛି। ଘାଟିକୁ ପ୍ରବେଶ ପାଇଁ ବାରଣ କରୁଛନ୍ତି। ଏଣୁ ଆଗ୍ରହୀ ବ୍ୟକ୍ତି ସେଠାରୁ ମନ ଦୁଃଖରେ ଫେରୁଛନ୍ତି।

ପ୍ରକୃତିର ବରଦାନ କଳିଙ୍ଗା ଘାଟି ପ୍ରକୃତି ଛୋଟ ଝରଣା ଟିଏ ଦେଇଥିଲା, ଯାହାକି ସେଲ୍ଫି ପଏଣ୍ଟ ଭାବେ ପରିଚିତ ଥିଲା। ସେଇ ରାସ୍ତାରେ ଯାତାୟତ କରୁଥିବା ପର୍ଯ୍ୟଟକ ସେଇ ଛୋଟ ଝରଣା ପାଖରେ କିଛି ସମୟ ରହି ଫୋଟ ଉଠେଇ ମଜା ଉଥାଉଥିଲେ। ହେଲେ ୧୬ତାରିଖ ମଧ୍ୟାହ୍ନରେ ସେହି ପ୍ରକୃତି ପ୍ରାକୃତିକ ବିପର୍ଯ୍ୟୟ ଘଟେଇ ସବୁ ଛାରଖାର କରିଦେଲା। ଛୋଟ ଝରଣାକୁ ବର୍ତ୍ତମାନ ଏକ ଜଳପ୍ରପାତରେ ପରିଣତ କରିଦେଇଛି। ପ୍ରକୃତରେ ବିଚିତ୍ର ଏ ପ୍ରକୃତି କେତେବେଳେ କେଉଁ ରୂପରେ ଆସି କଣ ସବୁ କରି ଦେଉଛି କେହି ବର୍ଣ୍ଣନା କରିପାରିବେ ନାହିଁ। 

ଭୂସ୍ଖଳନ ଯୋଗୁଁ ଗଞ୍ଜମ ଜିଲ୍ଲା, ପଶ୍ଚିମ ଓଡ଼ିଶାର ବିଭିନ୍ନ ସହର, କନ୍ଧମାଳ ଜିଲ୍ଲା ସହ ଗମନାଗମନ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ କିଭଳି ଶୀଘ୍ର ରାସ୍ତାରେ ଯାତାୟତ ବ୍ୟବସ୍ଥା ହୋଇପାରିବ ତା ବ୍ୟବସ୍ଥା କରିବା ଆରମ୍ଭ କରି ଏକ ଠିକା କମ୍ପାନୀକୁ ସଙ୍ଗେ ସଙ୍ଗେ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦେଶ ଦେଇ କାର୍ଯ୍ୟ ଆରମ୍ଭ କରିଛନ୍ତି। ଇତି ମଧ୍ୟରେ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ଘଟଣାସ୍ଥଳରେ ପହଞ୍ଚି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହ କାର୍ଯ୍ୟ ଅଗ୍ରଗତି ଏବଂ ଅତିଶିଘ୍ର କିଭଳି ରାସ୍ତା ସ୍ବଭାବିକ ହୋଇପାରିବ ତା ଉପରେ ଆଲୋଚନା କରିବା ସହ ସମସ୍ତ ସହଯୋଗ ଯୋଗେଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଘଟଣାକୁ ୪ଦିନ ବିତିଯାଇଥିବା ବେଳେ ଭୁସ୍ଖଳନ ସ୍ଥଳରେ ରାସ୍ତା ଉପରେ ପଡ଼ିଥିବା ବଡ଼ ବଡ଼ପଥର ଏବଂ ମାଟିକୁ ଘାଟିର ବାମପାର୍ଶ୍ଵ ଗର୍ତ୍ତରେ ପକେଇ ରାସ୍ତା ସଫା କାର୍ଯ୍ୟ ଚାଲିଥିବା ବେଳେ କାର୍ଯ୍ୟ ଦାୟିତ୍ୱରେ ଥିବା ଠିକା କମ୍ପାନୀର ପରିଚାଳକ କହିଛନ୍ତି। ଏହି କାର୍ଯ୍ୟ ପାଇଁ ଏକ ହଜାର ଟ୍ରିପ ପଥର ମେଟାଲ ଏବଂ ମାଟି ବାଲିର ଆବଶ୍ୟକ ଅଛି ତାର ବନ୍ଦୋବସ୍ତ ଚାଲିଛି। ରାସ୍ତା ସଫା କାର୍ଯ୍ୟ ସରିଛି। ଆଜି ରାତିରେ ଘାଟିର ଡାହାଣ ପାର୍ଶ୍ଵରେ ଥିବା ବଡ଼ ପଥର ଚଟାଣ ବ୍ଲାଷ୍ଟିଙ୍ଗ କରି ଡାହାଣ ପାର୍ଶ୍ଵରେ ଏକ ପାଖିଆ ରାସ୍ତା ବାହାର କରି ଯାତାୟତ ପାଇଁ ବ୍ୟବସ୍ଥା କରାଯିବ। ଏକ ସପ୍ତାହ ମଧ୍ୟରେ ଗାଡି ଚଳାଚଳ ପାଇଁ ଚଳନୀୟ ରାସ୍ତା ନିର୍ମାଣ କାର୍ଯ୍ୟ ସାରିବାକୁ ଚେଷ୍ଟା କରିବୁ ବୋଲି କହିଛନ୍ତି।

ଅନ୍ୟପକ୍ଷରେ କାର୍ଯ୍ୟ ଚାଲିଥିବା ବେଳେ ବର୍ଷା ବାଧକ ସାଜିଛି। ପ୍ରତ୍ୟକ ଦିନ ପ୍ରବଳ ବର୍ଷା ଯୋଗୁଁ କାର୍ଯ୍ୟ ସ୍ଥଳରେ କାର୍ଯ୍ୟରତ ପ୍ରୋକଲେନ ମେସିନ ଏବଂ ଶ୍ରମିକମାନେ ମଧ୍ୟ ବର୍ଷା ହେଲେ ଭୟରେ ନିଜ କାର୍ଯ୍ୟ ସ୍ଥଳ ଛାଡି ସୁରକ୍ଷିତ ସ୍ଥାନକୁ ଚାଲିଯାଉଛନ୍ତି, ଯଦ୍ୱାରା କାର୍ଯ୍ୟ ମନ୍ଥର ହୋଇପଡୁଛି। ଜାତୀୟ ରାଜପଥ କତ୍ତୃପକ୍ଷ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରୁଥିବା ବେଳେ କିଭଳି ଶୀଘ୍ର ଯାତାୟତ ବ୍ୟବସ୍ଥା ହୋଇପାରିବ ତା ପାଇଁ ଚେଷ୍ଟା ଚଳେଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି।

Kalinga ghati | Kandhamal