ଫୁଲବାଣୀ : କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳର ଜଣେ ନାବଳିକାଙ୍କୁ ଗତ ୨୦୧୫ ସେପ୍ଟେମ୍ବର ୨୯ରେ ଅପହରଣ କରାଯିବା ପରେ ଘୁ.ଉଦୟଗିରି ଥାନା ଅଧୀନ ଶ୍ରୀରାମପଦା ଜଙ୍ଗଲରେ ଗଣଦୁଷ୍କର୍ମ କରାଯିବା ଘଟଣା ସାରା ଜିଲ୍ଲାରେ ଆଲୋଡ଼ନ ଖେଳାଇ ଦେଇଥିଲା। ଏହି ମାମଲାର ରାୟ ଆଜି ପ୍ରକାଶ ପାଇଛି। ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଫୁଲବାଣୀ ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସୁଶାନ୍ତ ପଟେଲ ୪ ଜଣ ଅଭିଯୁକ୍ତ ଘୁ.ଉଦୟଗିରିର ସଂଜୟ ନାୟକ, ଲୋକନାଥ ଭୋଇ ଓ ବିଷ୍ଣୁପ୍ରସାଦ ପ୍ରଧାନ ଏବଂ ସାରଙ୍ଗଗଡ଼ ଥାନା ଅଞ୍ଚଳର ଚିକୁନ ପ୍ରଧାନଙ୍କୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏହାସହ ପ୍ରତ୍ୟେକଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ରାୟରେ ଦର୍ଶାଯାଇଛି। ଜରିମାନା ଅର୍ଥ ଅନାଦେୟ ସ୍ଥଳେ ପ୍ରତ୍ୟେକଙ୍କୁ ଆଉ ବର୍ଷେ ଲେଖାଏଁ ଜେଲ୍ଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଦାୟ ଜରିମାନା ଅର୍ଥ ପୀଡ଼ିତାଙ୍କୁ ପ୍ରଦାନ କରାଯିବ ବୋଲି କୋର୍ଟ ପକ୍ଷରୁ କୁହାଯାଇଛି।
ମାମଲାର ବିବରଣୀ ଅନୁସାରେ, ୨୦୧୫ ସେପ୍ଟେମ୍ବର ୨୯ ଅପରାହ୍ନ ୫ଟାରେ ରାଇକିଆ ଥାନା ଅଞ୍ଚଳର ଦଶମ ଶ୍ରେଣୀ ପଢୁଥିବା ଏହି ନାବାଳିକା ରାଇକିଆ ବଜାରକୁ ବହି କିଣିବାକୁ ଆସିଥିଲେ। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସଂଜୟ ନାୟକ ସଂପୃକ୍ତ ନାବାଳିକାକୁ ଧମକଚମକ ଦେଇ ଘୁ.ଉଦୟଗିରି ଆସୁଥିବା ଏକ ଘରୋଇ ବସ୍ରେ ଅପହରଣ କରି ନେଇ ଆସିଥିଲା। ବସ ରାଇକିଆରୁ ଘୁ.ଉଦୟଗିରି ଆସିବା ବାଟରେ ଶ୍ରୀରାମପଦା ଜଙ୍ଗଲ ନିକଟରେ ନାବାଳିକାକୁ ବସରୁ ଓହ୍ଲାଇ ଜଙ୍ଗଲ ଭିତରକୁ ନେଇ ସଂଜୟ ଦୁଷ୍କର୍ମ କରିଥିଲା। ତା’ପରେ ସେ ଫୋନ୍ କରି ତା’ର ସାଙ୍ଗ ଲୋକନାଥ, ବିଷ୍ଣୁପ୍ରସାଦ, ଚିକୁନ ଓ ଜଣେ ନାବାଳକ ଅଭିଯୁକ୍ତକୁ ସେଠାକୁ ଡକାଇଥିଲା। ଏମାନେ ସେଠାରେ ପହଞ୍ଚି ଜଣକ ପରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିଲେ। ତା’ପରେ ନାବାଳିକାଙ୍କୁ ଘୁ.ଉଦୟଗିରି ବସ୍ଷ୍ଟାଣ୍ଡରେ ଛାଡ଼ି ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିଲେ।
ବସ୍ଷ୍ଟାଣ୍ଡରେ ପୀଡ଼ିତା ନାବାଳିକା ଜଣକ କାନ୍ଦୁଥିବା ଦେଖି ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ। ଘୁ.ଉଦୟଗିରି ପୁଲିସ ପହଞ୍ଚି ପୀଡ଼ିତା ନାବାଳିକାଙ୍କୁ ଉଦ୍ଧାର କରିବା ସହ ସ୍ଥାନୀୟ ସୁଭଦ୍ରା ମହତାବ ନାମକ ଏକ ସ୍ୱେଚ୍ଛାସେବୀ ଗୃହରେ ରଖିଥିଲା। ଏହାକୁ ନେଇ ପୀଡ଼ିତାର ମା’ ଘଟଣା ପରଦିନ ୩୦ ତାରିିଖରେ ରାଇକିଆ ଥାନାରେ ଅଭିଯୋଗ କରିଥିଲେ। କେସ ନଂ ୯୫/୨୦୧୫ରେ ପୁଲିସ ମାମଲା ରୁଜୁ କରି ନାବାଳିକା ଅପହରଣ ଓ ଗଣଦୁଷ୍କର୍ମ ମାମଲାରେ ସମସ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୫ ଅଭିଯୁକ୍ତଙ୍କ ମଧ୍ୟରୁ ଆଜି ୪ ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ହୋଇଥିବା ବେଳେ ଅନ୍ୟତମ ନାବାଳକ ଅଭିଯୁକ୍ତର ମାମଲା ଜୁଭେନାଇଲ୍ କୋର୍ଟରେ ବିଚାରଧୀନ ରହିଛି। ଏହି ମାମଲାରେ ସମୁଦାୟ ୮ ଜଣ ସାକ୍ଷ୍ୟ ପ୍ରଦାନ କରିଥିବା ବେଳେ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଅସୀମ କୁମାର ପ୍ରହରାଜ ମକଦ୍ଦମା ପରିଚାଳନା କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/plbjan15-life-4-accused.jpg)