ଫୁଲବାଣୀ ବିଧାନସଭା: ୩ ଜଣଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର

ଚାପରେ ମୁଣ୍ଡ ନୁଆଁଇଲେ ବୀରେନ୍ଦ୍ର

ଫୁଲବାଣୀ: ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ହୋଇଛି। ଫୁଲବାଣୀ ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର କାଏମ ରହିଥିବା ୧୧ଜଣଙ୍କ ମଧ୍ୟରୁ ୩ ଜଣ ପ୍ରତ୍ୟାହାର କରି ନେଇଛନ୍ତି। ସେମାନେ ହେଲେ ବୀରେନ୍ଦ୍ର କହଁର, ଚକ୍ରଧର କହଁର ଓ ହେମନ୍ତ କହଁର।
ବୀରେନ୍ଦ୍ର କହଁର ପୁଲିସ ଚାକିରି ଛାଡ଼ି ରାଜନୀତି ମଇଦାନକୁ ଓହ୍ଲାଇଥିଲେ। ସେ ବର୍ତ୍ତମାନ ଖଜୁରୀପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ଥିବା ବେଳେ ବିଧାୟକ ପ୍ରାର୍ଥୀ ହେବାକୁ ୨ ବର୍ଷ ହେଲା ଅଣ୍ଟା ଭିଡ଼ିଛନ୍ତି। ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ସେ ବିଜେଡିରୁ ବିଦ୍ରୋହୀ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତାଙ୍କର ଲୋକ ସମ୍ପର୍କ ଭଲ ଥିବାରୁ ବିଜେଡି ପ୍ରାର୍ଥୀଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ ବୋଲି ଦଳୀୟ ନେତୃବୃନ୍ଦ ନିଶ୍ଚିତ ଥିଲେ। ଏଣୁ, କଳେବଳେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ନିମନ୍ତେ ତାଙ୍କ ଉପରେ ଚାପ ପଡ଼ିଥିଲା। ଏମିତିକି ପ୍ରାର୍ଥୀପତ୍ର ପ୍ରତ୍ୟାହାର ନ କଲେ ଅନାସ୍ଥାରେ ଅଧ୍ୟକ୍ଷ ପଦରୁ ହଟାଯିବ ବୋଲି ପରୋକ୍ଷରେ ଚେତାବନୀ ଦିଆ ଯାଇଥିଲା। ଶେଷରେ ବୀରେନ୍ଦ୍ର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଛନ୍ତି।
ଅନ୍ୟ ଜଣେ ନାମାଙ୍କନ ଦାଖଲ କରିଥିବା ବିଧାୟକ ପ୍ରାର୍ଥୀ ନବୀନ କହଁର କୌଣସି ଚାପକୁ ଖାତିର ନ କରି ସ୍ବାଧୀନ ଭାବେ ଲଢିବେ ବୋଲି ନିଷ୍ପତ୍ତି ନେଇ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନାହାନ୍ତି। ନବୀନ ବ୍ୟାଙ୍କ ଚାକିରି ଛାଡି ରାଜନୀତି ମଇଦାନକୁ ଓହ୍ଲାଇଥିଲେ। ତାଙ୍କୁ ଟିକେଟ ମିଳିବ ବୋଲି ବାହାର ଜିଲ୍ଲାରେ ରାଜନୀତି କରୁଥିବା ଜଣେ ନେତା ପ୍ରତିଶ୍ରୁତି ଦେଇଥିବା ବେଳେ ଶେଷ ମୁହୁର୍ତ୍ତରେ ତାଙ୍କୁ ଧୋକା ଦେଇଥିଲେ। ଫଳରେ ଅସନ୍ତୁଷ୍ଟ ହୋଇ ସେ ପ୍ରାର୍ଥୀପତ୍ର ଦାଖଲ କରି ମଇଦାନକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଛନ୍ତି। ସେ ଫୁଲଦମରେ ଲାଗିବେ। ଜିତିବା ପାଇଁ ଲଢିବେ ବୋଲି କହିଛନ୍ତି।
୩ ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେବା ପରେ ଏବେ ନିର୍ବାଚନ ମଇଦାନରେ ସମୁଦାୟ ୮ ଜଣ ରହିଛନ୍ତି । ସେମାନେ ହେ‌ଲେ ବିଜେଡିର ଅଙ୍ଗଦ କହଁର, ବିଜେପିର ଦେବ ନାରାୟଣ ପ୍ରଧାନ, କଂଗ୍ରେସର କିଶୋର କହଁର, କଳିଙ୍ଗସେନାର ଅନନ୍ତ କହଁର, ସ୍ବାଧୀନ ଭାବେ ନବୀନ କହଁର, ପ୍ରେମଶିଳା ଝାଙ୍କର, କୃଷ୍ଣ କହଁର ଓ ଜଗଦୀଶ ପ୍ରଧାନ।
ନବୀନ ପ୍ରାର୍ଥୀପତ୍ର ପ୍ରତ୍ୟାହାର ନ କରିବା ବିଜେଡି ପ୍ରାର୍ଥୀଙ୍କ ପାଇଁ ନିଶ୍ଚୟ ଅଡୁଆ ପରିସ୍ଥିତି ସୃଷ୍ଟି କରିବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ତାଙ୍କୁ ଅସନ୍ତୁଷ୍ଟ ବିଜେଡି ନେତା ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମର୍ଥନ ମିଳିବ ବୋଲି ଆଶା କରାଯାଉଥିବା ବେଳେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ନିମନ୍ତେ ବିଜେଡିର ଆଗାମୀ ରଣନୀତି କଣ ହେଉଛି ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର