କନ୍ଧମାଳ ଜିଲ୍ଲାରେ ପୁଣି କୋଟିଏ ଟଙ୍କା ଗଞ୍ଜେଇ ଚାଷ ନଷ୍ଟ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଅଞ୍ଚଳରେ ଗଞ୍ଜେଇ ଚାଷ ନଷ୍ଟ ଜାରି ରହିଛି। ଆଜି ପ୍ରାୟ ୧୫ ଶହ ଏକର ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ଜଣାଯାଇଛି। ଆଜି ପୁଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଚଢ଼ଉ କରି ଗୁଦ୍ରା ସାହି, ବାଲିପଦର ମେଡ଼ିପଙ୍ଗା ଆସି ଅଞ୍ଚଳରେ ଗଞ୍ଜେଇ ଚାଷ ନଷ୍ଟ କରିଥିବା ଜଣାପଡ଼ିଛି। ଏହାର ଆନୁମାନିକ ମୂଲ୍ୟ ପାଖାପାଖି ଏକ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।
ସୂଚନାଯୋଗ୍ୟ, କିଛି ଦିନ ତଳେ କ.ନୂଆଗାଁ ପୁଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଚଢ଼ଉ କରି କୁଡୁତୁଲି ପଞ୍ଚାୟତର ସାରକେତା, ସିକେସରୁ ଓ ଡକରଗାଁ ଆଦି ଗ୍ରାମର ସରକାରୀ ଜଙ୍ଗଲ ଜମିରେ ବେଆଇନ ଭାବେ ଲଗାଯାଇଥିବା ୯୫ ଏକର ଗଞ୍ଜେଇ ଗଛକାଟି ପୋଡ଼ି ନଷ୍ଟ କରିଥିଲେ। ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ପାଖାପାଖି ଦେଢକୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଥିଲା।
ଗଞ୍ଜେଇ ଚାଷ ନଷ୍ଟ ଅଭିଯାନରେ କ.ନୂଆଗାଁ ଥାନା ଅଧିକାରୀ କୁମର ମୁଦୁଲି ସମେତ ମାଜିଷ୍ଟ୍ରେଟ ଭାବେ ଅତିରିକ୍ତ ତହସିଲଦାର ବନମାଳୀ ଶତପଥୀ, ଆର୍.ଆଇ ଶାନ୍ତନୁ ବେହେରା, ଅବକାରୀ ବିଭାଗ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବେହେରା, ସ୍ଥାନୀୟ ପୁଲିସ ଅଧିକାରୀ ସୌମ୍ୟରଞ୍ଜନ ପତିଙ୍କ ସମେତ ଅନ୍ୟ ଅବକାରୀ ଓ ପୁଲିସ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଗଞ୍ଜେଇ କାଟି ପୋଡ଼ି ଥିଲେ। ଏନେଇ କ.ନୂଆଗାଁ ଥାନାରେ କେସ ନଂ ୧୧୧/୨୨ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା।

ସମ୍ବନ୍ଧିତ ଖବର