ଦେଢ଼ ବର୍ଷ  ଶିଶୁ ଦୁଷ୍କର୍ମ ମାମଲା : ଅଭିଯୁକ୍ତ ନାବାଳକ ଗଲା ଜୁଭେନାଇଲ କୋର୍ଟ

ତୁମୁଡିବନ୍ଧ/କୋଟଗଡ : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳର ଦେଢ଼ ବର୍ଷର ଶିଶୁକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ନାବାଳକୁ ପୁଲିସ ଧରିବାରେ ସକ୍ଷମ ହୋଇଛି । ଅଭିଯୁକ୍ତ ନାବାଳକକୁ ପୁଲିସ ଧରିବା ପରେ ଡାକ୍ତରୀମଇନା ପାଇଁ ପଠାଇଥିଲା। ଡାକ୍ତରୀ ମାଇନା କରିବା ପରେ ନାବାଳକକୁ ଜୁଭେନାଇଲ କୋର୍ଟକୁ ପଠାଯାଇଥିବା ଏସଡିପିଓ ନିତିନ କୁଶଲକର ଦାଗଡୁ ସୂଚନା ଦେଇଛନ୍ତି। ପୁଲିସ ପକ୍ଷରୁ ପୀଡିତା ପରିବାରକୁ ୫ଲକ୍ଷ ଟଙ୍କା ସହାୟତା କରାଯିବ ପାଇଁ ସୁପାରିଶ କରା ଯାଇଥିବା କହିଛନ୍ତି । ଏହାସହ ମାମଲାରେ ତୁରନ୍ତ ତଦନ୍ତ ସାରି ୨୦ ଦିନ ଭିତରେ ଚାର୍ଜସିଟ ଦାଖଲ ପାଇଁ ଉଦ୍ୟମ କରାଯିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ବାଲିଗୁଡା ଥାନା ବାରଖମା ଠାରେ ଗତ ୧୦ ତାରିଖ ଦିନ ଜଣେ ଦେଢ ବର୍ଷ ଶିଶୁକନ୍ୟାକୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ ହୋଇଥିଲା। ପରିବାର ଲୋକେ ଏନେଇ ଜାଣିବା ପରେ ଗୁରୁତର ଅବସ୍ଥାରେ ବାଲିଗୁଡା‌ ମେଡିକଲରେ ଭର୍ତ୍ତି କରିଥିଲେ । ପରେ ଶିଶୁଟିକୁ ଫୁଲବାଣୀ ଜିଲ୍ଲା ଚିକିତ୍ସାକେନ୍ଦ୍ରକୁ ପଠାଯାଇଥିଲା । ଏନେଇ ସ୍ଥାନୀୟ ଜନସାଧାରଣ ଓ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଅଭିଯୁକ୍ତକୁ ଧରିବା ପାଇଁ ରାସ୍ତାରୋକ କରିଥିଲେ। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନେତ୍ର ମାନସେଠ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ମଧ୍ୟ ଦାବି ରଖିଥିଲେ । ଏହାପରେ ପୁଲିସ ତିନୋଟି ଟିମ ଗଠନ କରି ଅଭିଯୁକ୍ତ ଧରିବା ପାଇଁ ଅଭିଯାନ ଆରମ୍ଭ କରିଥିଲା। ଶେଷରେ ଏହି ମାମଲାରେ ଅଭିଯୁକ୍ତ ନାବାଳକ ଧରିବାରେ ପୁଲିସ ସକ୍ଷମ ହୋଇଛି।

ସମ୍ବନ୍ଧିତ ଖବର