କ.ନୂଆଗାଁ : ସାଙ୍ଗସାଥୀ ହୋଇ ଦଳବଦ୍ଧ ଭାବେ ଜଙ୍ଗଲକୁ ଶିକାର ପାଇଁ ଯାଇଥିଲେ। ହେଲେ, ସେମାନଙ୍କ ମଧ୍ୟରୁ ଗୁଳିମାଡ଼େର ଜଣକର ମୃତ୍ୟୁ ହୋଇଛି। ୧୮ଦିନ ପରେ ଏହି ଘଟଣା ଜଣାପଡ଼ିଥିବାବେଳେ ୬ ଜଣ ଶିକାରୀଙ୍କୁ ପୁଲିସ୍ ଗିରଫ କରିଛି। କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ସିର୍ତିଗୁଡ଼ା ପଞ୍ଚାୟତ ବଣ୍ଡାଗୁଡ଼ା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।
ମୃତ ଯୁବକ ଜଣକ ହେଉଛନ୍ତି, ନରେନ୍ଦ୍ର ଦିଗାଲ (୩୦)। ଗତ ୮ ତାରିଖରେ ପବିତ୍ର ସାହୁ ନିଜ ଦେଶୀ ବନ୍ଧୁକ ସହ ଗ୍ରାମର ୧୦ରୁ ୧୨ଜଣ ଯୁବକଙ୍କୁ ନେଇ ନିକଟ ଜଙ୍ଗଲକୁ ବିରୁଡ଼ି ଶିକାର କରିବାକୁ ଯାଇଥିଲେ। କିନ୍ତୁ ଫେରିବା ବେଳକୁ ସାଥୀରେ ନରେନ୍ଦ୍ରଙ୍କ ଗୁଳିବିଦ୍ଧ ଶବ ନେଇ ଫେରିଥିଲେ। ଏହା ଦେଖି ନରେନ୍ଦ୍ରଙ୍କ ପରିବାର ଲୋକେ ଚକିତ ହୋଇଯାଇଥିଲେ। ପତ୍ନୀ ଲିସାଙ୍କୁ ଗ୍ରାମବାସୀଙ୍କ ଉପସ୍ଥିତରେ ବୁଝାସୁଝା କରି ନରେନ୍ଦ୍ରଙ୍କ ଶବକୁ ସତ୍କାର କରି ଦେଇଥିଲେ। କିନ୍ତୁ ସମସ୍ତଙ୍କ ଗତିବିଧି ଦେଖି ଲିସାଙ୍କ ମନରେ ସନ୍ଦେହ ହୋଇଥିଲା। ନରେନ୍ଦ୍ରଙ୍କ ପତ୍ନୀ ଲିସା ଗତ ୨୪ ତାରିଖରେ ଥାନାରେ ଏତଲା ଦେଇଥିଲେଃ ଏହାକୁ ଆଧାର କରି କେସ୍.ନଂ୫୫ ଅନୁସାରେ ଏକ ହତ୍ୟା ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇ ଆଜି ୬ ଜଣଙ୍କୁ ଗିରଫ କରିଛି। ଗିରଫ ମାନେ ହେଲେ ସେହି ଗ୍ରାମର ପବିତ୍ର ସାହୁ, ଗୋପୀନାଥ ସାହୁ, ବୃଷଭ ସାହୁ, ଭାସ୍କର ସାହୁ, ସଦାନନ୍ଦ ମଳିକ ଏବଂ ନିରଜ ମଳିକ। ଦୁର୍ଘଟଣାବଶତଃ ଗୁଳି ଫୁଟିଯିବାରୁ ପବିତ୍ରଙ୍କ ମୃତ୍ୟୁ ହୋଇଥିବା ସେମାନେ କହିଛନ୍ତି। ତେବେ ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ଚାନ୍ଦମଣି ସିଂ ସୂଚନା ଦେଇଛନ୍ତି। ଥାନା ଅଧିକାରୀ ଚାନ୍ଦମଣିଙ୍କ ନେତୃତ୍ବରେ ଏକ ଟିମ୍ ଗ୍ରାମରେ ଚଢଉ କରି ୬ ଜଣଙ୍କୁ ଗିରଫ କରିବା ସହ ବ୍ୟବହୃତ ଦେଶୀ ବନ୍ଧୁକକୁ ଜବତ କରାଯାଇଛି। ତେବେ ଏହି ଘଟଣା ପଛର ରହସ୍ୟ କ’ଣ ରହିଛି ଏହାକୁ ନେଇ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/bam-1.jpg)