ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତରେ ପ୍ରାକୃତିକ ସୌନ୍ଦର୍ଯ୍ୟଭରା କଲିନାଜୁ ଡ଼୍ୟାମ ଏକ ପୂରାତନ ଡ଼୍ୟାମ, ଯେଉଁଠାରେ ବର୍ତ୍ତମାନ ଯୁବ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଜମୁଛି। ବିଶେଷ କରି ଏହି ଡ଼୍ୟାମର ଚତୁଃପାଶ୍ୱର୍ରେ ପର୍ବତ ପାହାଡ଼ ଘେରା ଉପତ୍ୟକା ସହ ସୂର୍ଯ୍ୟଉଦୟ ଓ ସୂର୍ଯ୍ୟାସ୍ତର ପ୍ରାକୃତିକ ଅପରୂପ ମନ ମୁଗ୍ଧ କର ସୌନ୍ଦର୍ଯ୍ୟ ମନ ମୋହୁଛି। ଏଠାରେ ଯୁବ ପିଢ଼ିଙ୍କ ବିଭିନ୍ନ ୟୁଟୁବ, ରିଲ୍ସ, ଫଟୋ ଉତ୍ତୋଳନ ଏବଂ ରାତ୍ରୀ କ୍ୟାମପେନିଙ୍ଗ ପାଇଁ ବେଶ୍ ଉପଯୁକ୍ତ ସ୍ଥାନ ପାଲଟିଛି।

Advertisment

କାଚ ପରି ନୀଳ ବର୍ଣ୍ଣ ଜଳ ସହ ପର୍ବତ ଘେରା କାଶ୍ମୀରର ଡାଲ ହ୍ରଦ ଦୃଶ୍ୟ ଭଳି ଅନୁଭୂତି ଦେଇ ଏକ ନିଆରା ଅପୂର୍ବ ଦୃଶ୍ୟରାଜି ଆତ୍ମ ବିଭୋର କରୁଛି। ଏହାର ଅନ୍ୟ ଏକ ପାର୍ଶ୍ଵରେ ବଣଭୋଜି ପାଇଁ ବେଶ ଉପଯୋଗୀ ସ୍ଥାନ ଥିବା ହେତୁ ଗ୍ରୀଷ୍ମ ଋତୁ ହେଉ ବା ଶୀତ ଋତୁରେ ବିଭିନ୍ନ ଅଞ୍ଚଳରୁ  ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସି ଅତି ଆନନ୍ଦରେ ଏଠାରେ ବଣଭୋଜି କରିଥାନ୍ତି। ବର୍ଷା ଦିନରେ ଜଳପୂର୍ଣ୍ଣ ହୋଇ ଏହାର ସୁଉଚ୍ଚ ସରପ୍ଲେସ ମଧ୍ୟ ଦେଇ  ବହି ଯାଉଥିବା ପାଣିର ପତନ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଥାଏ। ଏହି ଡ଼୍ୟାମର ଉତ୍ତରକୁ କନ୍ଧମାଳର ଉଚ୍ଚତମ ପର୍ବତ ଡଡା ପର୍ବତ ଥିବାବେଳେ ପଶ୍ଚିମ ଦିଗରେ ବାପଲା ପାହାଡ଼ ଏବଂ ଦକ୍ଷିଣ ଦିଗକୁ ଡଙ୍ଗାତାପା ପର୍ବତ ରହିଅଛି।

ମୂଖ୍ୟତଃ ଏହି ତିନୋଟି ପର୍ବତର ପାଦଦେଶରେ ଏହି ଡ଼୍ୟାମ ରହିଥିବାରୁ ଏହାର ଜଳରାଶି ସହ ପର୍ବତର ଅବିକଳ ଚିତ୍ରର ପ୍ରତିଛବି  ସୌନ୍ଦର୍ଯ୍ୟକୁ ବହୁଗୁଣିତ କରୁଥିବା ଦେଖାଯାଏ। ଏହି ପର୍ବତ ଗୁଡ଼ିକର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କ ମନକୁ ବିମୋହିତ କରିଥାଏ। ପ୍ରତିଦିନ ଏହି ସ୍ଥାନରେ ଶହଶହ ଲୋକମାନଙ୍କ ସମାଗମ ଦେଖାଯାଏ। ଏହାର ପୂର୍ବକୁ ବିସ୍ତିର୍ଣ୍ଣ ସବୁଜିମା କ୍ଷେତ, ଝିମାଙ୍ଗିଆ, ପଡ଼ିକିଆ ଓ ରଟିଙ୍ଗିଆ ଗ୍ରାମଗୁଡିକ ଦୃଶ୍ୟମାନ ହେଉଥିବା ବେଳେ,ପଶ୍ଚିମକୁ ତୁମୁସିଙ୍ଗିଆ,ଓ ସରୁସିନାଙ୍ଗିଆ ଗ୍ରାମ ଓ ଏହି ଦୁଇ ଗ୍ରାମ ମଝିରେ ଥିବା ଛୋଟ ବଡ଼ ପ୍ଳିହେରି ଓ ମାଡିମାହ ୱାଟର ଫାଲ ଏବଂ ସୋପାନ କ୍ଷେତ ଗୁଡିକର ଦୃଶ୍ୟ ଅତ୍ୟନ୍ତ ସୁମନୋହରl

ଏହା ଘୁ.ଉଦୟଗିରି ସହର ସମେତ ଦୂର ପାହାଡ଼ର ସୁନ୍ଦରତା ମନ ମୁଗ୍ଧ କରିଥାଏ। ଏହି ସ୍ଥାନରେ ସକାଳ ଓ ସନ୍ଧ୍ୟା ସମୟରେ ଅତ୍ୟନ୍ତ ମନୋରମ ଦୃଶ୍ୟ ପ୍ରସ୍ପୁଟିତ ହୋଇଥାଏ ଓ ଏଠାରେ ବହୁଥିବା ସୁଲୁସୁଲିଆ ପବନ ପର୍ଯ୍ୟଟକଙ୍କୁ ଏକ ଅକଳ୍ପନୀୟ ଶାନ୍ତି ଓ ଆନନ୍ଦ ଦେଇଥାଏ। ଏହି ଡ୍ୟାମ ଜଳରାଶିର ଉଭୟ ପାର୍ଶ୍ୱରେ ରାସ୍ତା ଓ ଗ୍ରାମ ଗୁଡ଼ିକ ଥିବାରୁ ଏଠାରେ ବିଷଧର ଜଳଚର ବା ସରୀସୃପ ପ୍ରାଣୀଙ୍କର ଭୟ ନ ଥାଏl ଯୁବପିଢ଼ି ଏଠାରେ ନିର୍ଭୟ ଓ ସୁରକ୍ଷିତ ଭାବରେ ପଂହଁଚି ପ୍ରକୃତିର ମଜା ନେଇଥାନ୍ତି।

ଏହି ସ୍ଥାନକୁ ଆସିବାକୁ ହେଲେ ଘୁ.ଉଦୟଗିରି ସହରଠାରୁ ମାତ୍ର ସାତ କିଲୋମିଟର ପଡ଼େl ଏହା ରଟିଙ୍ଗିଆ ପଞ୍ଚାୟତର ଜୀବନରେଖା କହିଲେ ଭୁଲ ହେବନାହିଁ କାରଣ ଏହାର କେନାଲ ଜଳରେଝିମାଙ୍ଗିଆ, ପଡ଼ିକିଆ, ଡକେଡ଼ି, କଲିନାଜୁ, ପାଙ୍ଗାନାଜୁ ଓ ଆର.ପଡ଼ିକିଆ ଗ୍ରାମର ଜମି ଗୁଡ଼ିକ ଜଳ ସେଚିତ ହେଉଅଛି କିନ୍ତୁ ଅତ୍ୟନ୍ତ ପରିତାପର ବିଷୟ ଯେ - ଏହି ସ୍ଥାନକୁ କୌଣସି ସରକାରଙ୍କ ତରଫରୁ ଏହାର ରକ୍ଷଣ ବେକ୍ଷଣ ବା ମରାମତି ପାଇଁ ପଦକ୍ଷେପ ନିଆଯାଇ ନାହିଁl 

1002698861

ଡ୍ୟାମ ସୁରକ୍ଷା ଦୃଷ୍ଟିରୁ ପଛ ପାର୍ଶ୍ୱ ସଫା କରି ଓ ବର୍ଷ ତମାମ ଜଳ ଧାରଣ ଦୃଷ୍ଟିରୁ କେନାଲ ଦ୍ୱାର ମରାମତି କରି ଏହି ସ୍ଥାନକୁ ସରକାରଙ୍କ ତରଫରୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇ ଭିତ୍ତିଭୂମିର ବିକାଶ କଲେ ଏହି ଅଞ୍ଚଳର ଯୁବ ପିଢ଼ିଙ୍କ ପାଇଁ ଏକ ରୋଜଗାର ସୃଷ୍ଟି କରିବା ସହ ଏହାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ ବୋଲି ବୁଦ୍ଧିଜୀବି ମତ ପ୍ରକାଶ କରିଛନ୍ତି। ଏହାର ବିକାଶ କରିବା ପାଇଁ ଆଲୋକିକରଣ, ବୋଟିଂ ବ୍ୟବସ୍ଥା,ସରପ୍ଲେସ ପାର୍ଶ୍ୱ ସ୍ଥାନରେ ଖୋଲା ଜିମ ଏବଂ ଡ଼୍ୟାମର ହୁଡାରେ ବିଭିନ୍ନ ଫୁଲ ଗଛ ସହିତ ବିଭିନ୍ନ ଔଷଧିୟ ଗଛ ଲଗାଇଲେ ଏହାର ସୌନ୍ଦର୍ଯ୍ୟ ଆହୁରି ବୃଦ୍ଧି ପାଇବ। ସରକାରଙ୍କ ଦ୍ଵାରା ଏହି ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇ ଆବଶ୍ୟକୀୟ ଭିତ୍ତିଭୂମି ତିଆରି କରିବା ନିମନ୍ତେ ରଟିଙ୍ଗିଆ ପଞ୍ଚାୟତର ସାଧାରଣ ନାଗରିକ କମିଟି ପକ୍ଷରୁ ଦାବି କରାଯାଇଅଛି l

Kandhamal