ଘୁ.ଉଦୟଗିରି: ଗଞ୍ଜାମକନ୍ଧମାଳ ଜିଲ୍ଲାର ଲୋକଙ୍କ ଲାଇଫ ଲାଇନ୍‌ କୁହାଯାଉଥିବା ୧୫୭ ନମ୍ବର ଜାତୀୟ ରାଜପଥର କଳିଙ୍ଗା ଘାଟିରେ ଯାନବାହନ ଠପ୍‌ ହୋଇଯାଇଛି। ଭୁସ୍ଖଳନ ଯୋଗୁଁ ୩୦ଫୁଟ ରାସ୍ତା ଧୋଇ ହୋଇଯିବା ଯୋଗୁଁ ଏହି ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ଚକାପାଦ ଦେଇ ବର୍ତ୍ତମାନ ଯାତ୍ରୀବାହୀ ଏବଂ ମାଲବାହୀ ଗାଡ଼ି ଯାତାୟତ କରୁଛି। ଏହି କାରଣରୁ ଅଧିକ ୫୫କିମି ଦୂରତା ପଡୁଛି। ଏହା ସମୟ ସାପେକ୍ଷ ହେବା ସହ ଆର୍ଥିକ କ୍ଷତି ସହିବାକୁ ପଡୁଛି।

Advertisment

ସାଧାରଣ ଲୋକ ୪୦କିମି ବଦଳରେ ୯୦କିମି ରାସ୍ତା ଯିବାକୁ ପଡୁଛି। କଳିଙ୍ଗା ଘାଟିରେ ଗୋଟିଏ ସ୍ଥାନରେ ଦୁଇଦୁଇ ଥର ଭୁସ୍ଖଳନ ଘଟି ପରିସ୍ଥିତି ଅଣାୟତ କରିଥିବା ବେଳେ ଖୁବ କମ ସମୟ ଭିତରେ ଜାତୀୟ ରାଜପଥ କତ୍ତୃପକ୍ଷ ଅସ୍ଥାୟୀ ରାସ୍ତା ନିର୍ମାଣ କରିବା ନେଇ ଅଞ୍ଚଳବାସୀ ଆଶା ବାନ୍ଧି ବସିଥିବା ବେଳେ ଇତି ମଧ୍ୟରେ ୧୫ଦିନ ବିତିଗଲାଣି ରାସ୍ତା କାମ ସରିନି କି ଆଗାମୀ ଦଶ ଦିନ ପର୍ଯ୍ୟନ୍ତ ସରିବା ଆଶା କ୍ଷୀଣ।

IMG_20250928_101822

କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ଇତି ମଧ୍ୟରେ ଦୁଇ ଥର କଳିଙ୍ଗା ଘାଟି ଭୁସ୍ଖଳନ ସ୍ଥଳ ବୁଲି ତଦାରଖ କରିଗଲେଣି। ଗତ ୨୨ତାରିଖ ଦିନ ଦ୍ୱିତୀୟ ଭୁସ୍ଖଳନ ପରେ କନ୍ଧମାଳ ଜିଲ୍ଲାପାଳ ନିଜ ପ୍ରତିକ୍ରିୟାରେ କହିଥିଲେ ୩୦ତାରିଖ ପର୍ଯ୍ୟନ୍ତ ଏହି ରାସ୍ତାରେ ଯାନବାହନ ଯାତାୟତ କରିବ ନାହିଁ। ଏହାର ଅର୍ଥ ଲୋକ ଆଶା କରିଥିଲେ ୩୦ତାରିଖ ଭିତରେ କାର୍ଯ୍ୟ ସମାପ୍ତ ହୋଇଯିବ। ରାସ୍ତାରେ ଗାଡ଼ି ଗଡ଼ିବ।

ଇତି ମଧ୍ୟରେ ଦ୍ୱିତୀୟ ଭୁସ୍ଖଳନ ପରେ ରାସ୍ତା ପାର୍ଶ୍ଵ ପାହାଡ଼ରେ ବଡ଼ବଡ଼ ପଥର ବିପଦ ସଂକୁଳ ଅବସ୍ଥାରେ ଝୁଲି ରହିଛି। ରାସ୍ତାରେ କଂକ୍ରିଟ ପକା କାର୍ଯ୍ୟ ସରିବା ସହ ପରିକ୍ଷମୂଳକ ଭାବେ କାର୍ଯ୍ୟରତ କମ୍ପାନିର ଗାଡ଼ି ଚଳାଚଳ କରିଛି। ଏବେ କଂକ୍ରିଟ ରାସ୍ତା ଉପରେ ହ୍ୟୁମ ପାଇପ ପକାଯାଇ ତା ଉପରେ କଂକ୍ରିଟ ଢ଼ଳେଇ କରି ରାସ୍ତା ପ୍ରସ୍ତୁତ କରାଯିବ ହେଲେ ଏବେ ପାର୍ବଣ ଋତୁ ଦୁର୍ଗାପୂଜା ଯୋଗୁଁ କାର୍ଯ୍ୟ ଧିମେଇ ଯାଇଛି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦେଖା ମିଳୁନି। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କେବେ ପ୍ରସ୍ତୁତ ହେବ ରାସ୍ତା କେବେ ଯାତାୟତ କରିବ ଗାଡ଼ି ମୋଟର? କଳିଙ୍ଗା ଘାଟି ରାସ୍ତା ବନ୍ଦ ଯୋଗୁଁ ସମସ୍ତେ ପ୍ରଭାବିତ ହେବା ସହ ଆର୍ଥିକ କ୍ଷତିର ସମ୍ମୁଖୀନ ହେବାରେ ଲାଗିଛନ୍ତି। ବିଶେଷ ଭାବେ ଦୁର୍ଗାପ୍ରସାଦ ଏବଂ କଳିଙ୍ଗା ର ହୋଟେଲ, ଢ଼ାବା, ପାନ ଚା’ ଦୋକାନି ବେଶୀ କ୍ଷତିଗ୍ରସ୍ତ ହୋଇ ନିଜ ନିଜ ବ୍ୟବସାୟ ବନ୍ଦ କରି ହାତଯୋଡି ବସିଛନ୍ତି। ଅପେକ୍ଷା କରିଛନ୍ତି କେବେ ଗଡ଼ିବ ଗାଡ଼ି କେବେ ଆରମ୍ଭ ହେବ ଆମ ବ୍ୟବସାୟ।

Kandhamal | Kalinga ghati

ରିପୋର୍ଟ: ସମୀର କୁମାର ପାଢ଼ୀ