କନ୍ଧମାଳର ବୋହୂ ସାଜିଲେ ସ୍ୱେଡେନର ଝିଅ: ଗୋଆ ହୋଟେଲରୁ ପ୍ରେମ ଆରମ୍ଭ, ୩ ବର୍ଷ ପରେ ବାହାଘର

ଫୁଲବାଣୀ: ସ୍ୱେଡେନର ଝିଅ ହେମା କନ୍ଧମାଳର ବୋହୂ ସାଜିଛନ୍ତି।  ସେ କନ୍ଧମାଳର ଏମଡି.ରିଆଜଙ୍କୁ ବିବାହ କରିଛନ୍ତି। ଫୁଲବାଣୀରେ ଦୁଇ ଜଣଙ୍କ ବାହାଘର ଶନିବାର ଧୂମଧାମରେ ସଂପର୍ଣ୍ଣ ହୋଇଛି। କଲ୍ୟାଣ ମଣ୍ଡପରୁ ବରଯାତ୍ରୀଙ୍କ ଗହଣରେ ଏକ କାରରେ ଦୁହେଁ ଅମଲପଡାକୁ ଯାଇଥିଲେ। ଏଥିରେ ଫୁଲବାଣୀ ସହରର ସବୁ ବର୍ଗର ଲୋକ ସାମିଲ ହୋଇଥିଲେ। ଏମିତି କି ୩୦-୪୦ ଜଣ ହେମାଙ୍କ ପରିବାର ଓ ସମ୍ପର୍କୀୟ ବି ବରଯାତ୍ରୀ ଦଳରେ ସାମିଲ ହୋଇ ନାଚିଥିଲେ।

ଏମଡି ରିଆଜ ଗୋଆର ଏକ ‌ହୋଟେଲରେ କାମ କରନ୍ତି। ୩ ବର୍ଷ ପୂର୍ବେ ହେମା ଓ ତାଙ୍କ ପରିବାର ଗୋଆ ବୁଲିବାକୁ ଆସିଥିବା ବେଳେ ସମସ୍ତେ ସେହି ‌ହୋଟେଲରେ ରହିଥିଲେ। ରହଣି ସମୟରେ ଏମଡି ରିଆଜଙ୍କ ସହ ହେମାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ତାପରେ ହେମାଙ୍କ ପକ୍ଷରୁ ବାହାଘର ପ୍ରସ୍ତାବ ଆସିଥିଲା। ପ୍ରଥମେ ଏମଡି ରିଆଜ ରାଜି ହୋଇ ନଥିଲେ। କାରଣ ହେମ ବଡ ଘରର ଝିଅ ଥିବା ‌ବେଳେ ସେ ଏକ ଗରୀବ ଘରର ପୁଅ। ଏହି କାରଣରୁ ସେ ହେମାଙ୍କ ପ୍ରସ୍ତାବରେ ରାଜି ହୋଇ ନଥିବା ବେଳେ ପରବର୍ତ୍ତୀ ସମୟରେ ଦୁହେଁ ବାହା ହେବାକୁ ନିଷ୍ପତ୍ତି ନେଇ ଥିଲେ। ହେଲେ ଏମଡି ରିଆଜ ଜନ୍ମମାଟି କନ୍ଧମାଳ ଫୁଳବାଣୀରେ ବାହାଘର ହେବ ବୋଲି ଜିଦ ଧରି ବସିଥିଲେ।

ଏଥିରେ ହେମା ଓ ତାଙ୍କ ପରିବାର ଲୋକ ମଧ୍ୟ ରାଜି ହୋଇଥିଲେ।  ହେମା ଓ ତାଙ୍କ ପରିବାର ଲୋକ ଶୁକ୍ରବାର ଆସି ଏଠାରେ ପହଞ୍ଚିଥଲେ। ଆଜି ଦୁହିଁଙ୍କ ମଧ୍ୟରେ ମୁସଲିମ ସମ୍ପ୍ରଦାୟ ପାରମ୍ପରିକ ରୀତିରେ ବାହାଘର ହୋଇଥିଲା। ବରଯାତ୍ରୀ ଓ ସାହିବାସୀଙ୍କ ପାଇଁ ଭୋଜନର ମଧ୍ୟ ବ୍ୟବସ୍ଥା ହୋଇଥିଲା। ଓଡିଶା ଓ କନ୍ଧମାଳର ପୁଲବାଣୀର ପରିବେଶ ଭଲ ଲାଗୁଛି। ଏଠାରେ ଜଣେ ଘରର ବୋହୂ ଭଳି ରହିବେ ବୋଲି ହେମା କହିଛନ୍ତି।  

ସମ୍ବନ୍ଧିତ ଖବର