କରୋନା ମାଡ଼ : ମନରେଗା କାମ ବନ୍ଦ ଯୋଗୁଁ ଭୋକରେ ଶ୍ରମିକ , କନ୍ଧମାଳରେ ହାତବାନ୍ଧି ବସିଛନ୍ତି ୧ ଲକ୍ଷ ୪୩ ହଜାର ଜବକାର୍ଡଧାରୀ

ଫୁଲବାଣୀ(ଇମିସ): ଲକଡାଉନ ଯୋଗୁଁ ମନରେଗା କାମ ବନ୍ଦ ଯୋଗୁଁ ଶ୍ରମିକ ବିଶେଷକରି ଦିନ ମଜୁରିଆମାନେ ଗୁଜୁରାଣ ମେଣ୍ଟାଇବା କଷ୍ଟକର ହୋଇପଡ଼ିଛି ।

ମନରେଗାରେ କାମ କଲେ ଦିନକୁ ମିଳୁଥିଲା ୧୮୮ ଟଙ୍କା। ପରବର୍ତ୍ତି ସମୟରେ ମଜୁରି ବଢି ୨୦୭ ଟଙ୍କା ହୋଇଛି। ସଂପ୍ରତି କରୋନା କଟକଣା ଲକ୍ ଡାଉନ ଫଳରେ ୨ ସପ୍ତାହରୁ ଅଧିକ ଦିନ ହେଲା ସାମାଜିକ ଦୂରତା ରକ୍ଷା ନିମନ୍ତେ ରାଜ୍ୟ ସରକାର ସବୁ ଗୋଷ୍ଠୀଗତ କାମ ବନ୍ଦ କରି ଦେଇଛନ୍ତି। ଯାହା ଫଳରେ କନ୍ଧମାଳରେ ଲକ୍ଷାଧିକ ଜବକାର୍ଡଧାରୀ ହାତବାନ୍ଧି ବସି ଘରେ ଅଛନ୍ତି। ସେମାନଙ୍କ ପରିବାର ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ।

ଏହି ଯୋଜନାରେ କନ୍ଧମାଳରେ ୧ ଲକ୍ଷ ୪୩ ହଜାର ଜଣଙ୍କୁ ଜବକାର୍ଡ ମିଳିଛି। ଜବକାର୍ଡଧାରୀ ଶ୍ରମିକ ଓ ଦିନମଜୁରିଆ ବିଭିନ୍ନ ଗୋଷ୍ଠୀଗତ କାମ ରାସ୍ତା, ପୋଖରୀ, ପୋଲ,କେନାଲ ଏବଂ ସରକାରଙ୍କ ପକ୍ଷରୁ ଚାଲୁଥିବା ବିଭିନ୍ନ ବଡ ପ୍ରକଳ୍ପ କାର୍ଯ୍ୟରେ ସାମିଲ ହୋଇଥାନ୍ତି। କାମ କରିବାର ୨-୩ ଦିନ ମଧ୍ୟରେ ସମସ୍ତଙ୍କ ଏକାଉଣ୍ଟକୁ ମଜୁରି ପାରିଶ୍ରମିକ ଟଙ୍କା ଯାଇଥାଏ। ଶ୍ରମିକ ଓ ଦିନମଜୁରିଆଙ୍କ ସୁବିଧା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ବ ଦେଇ ଆସୁଛନ୍ତି। ବର୍ଷକୁ ଅତି କମରେ ୧୦୦ ଦିନର କାମ ଯୋଗାଇବାର ବ୍ୟବସ୍ଥା କରିଛନ୍ତି।  ପୂର୍ବରୁ ଜବକାଡର୍ଧାରୀଙ୍କୁ ଦିନକୁ ୧୮୮ ଟଙ୍କା ମିଳୁ ଥିଲା।  ଏବେ ମଜୁରି ବୃଦ୍ଧି କରି ୨୦୭ ଟଙ୍କା ଦିଆଯାଉଛି। ସଂପ୍ରତି ଗୋଷ୍ଠୀଗତ ଓ ଅନ୍ୟାନ୍ୟ ବଡ ପ୍ରକଳ୍ପ କାମ କରୋନା କଟକଣା  ଲଡଡାଉନ ଯୋଗୁ ବନ୍ଦ ରହିଛି। ୨ ସପ୍ତାହରୁ ଉର୍ଦ୍ଧ୍ବ ହେବ। ଜବକାର୍ଡଧାରୀମାନେ କାମଧନ୍ଦା ନ ପାଇଁ ଘରେ ବସି ରହିଛନ୍ତି। ଏହାକୁ ନେଇ ଶ୍ରମିକ ଓ ଦିନମଜୁରିଆଙ୍କ ଚିନ୍ତା ବଢି ଯାଇଛି। ଜିଲ୍ଲାର ନିର୍ମାଣ ଶ୍ରମିକଙ୍କୁ ସରକାର କରୋନା ସହାୟତା ଦେଲେ। ହେଲେ ଆମକୁ ଟଙ୍କାଟିଏ ସହାୟତା ମିଳିଲା ନାହିଁ ବୋଲି କହନ୍ତି ମନରେଗା ଜବକାର୍ଡଧାରୀ ଲୁଇସିଂ ଅଞ୍ଚଳର ଦୀନବନ୍ଧୁ କହଁର ଓ ଆର୍ତ୍ତତ୍ରାଣ ବେହେରା। କାମ କରି ପେଟ ପୋଷୁ। ମିଳୁଥିବା ଅର୍ଥରେ ପରିବା ଚଳେ। ବାକି ସବୁ କାମ ବି ମଜୁରି ଅର୍ଥରୁ ଚଳି ଯାଏ। ୧୫ ଦିନ ହେଲା କାମ ବନ୍ଦ ଯୋଗୁଁ ଦିଓଳି ଭଲ ଭାବେ ଖାଇବାକୁ ପାଉ ନାହୁଁ ବୋଲି କହନ୍ତି ବିଲାବାଡି ଅଞ୍ଚଳର ଜବକାର୍ଡଧାରୀ ମମତା ନାଏକ ଓ ସବିତା ବିନ୍ଧାଣି ।

କରୋନା କଟକଣା ଲକ ଡାଉନ ପାଇଁ ଗୋଷ୍ଠୀଗତ କାମ ବନ୍ଦ। ଜବକାର୍ଡଧାରୀ ଶ୍ରମିକ ଓ ଦିନ ମଜୁରିଆଙ୍କୁ ବ୍ୟକ୍ତିଗତ ଯଥା କୂଅ,ଗୁହାଳ ନିର୍ମାଣ ଭଳି କାମ ଯୋଗାଇ ଦେବାକୁ ସରକାର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ନିର୍ଦ୍ଦେଶ ପାଳନ କରିବାକୁ ପ୍ରଶାସନ ରାଜି ନୁହଁ। କାରଣ ସଂପ୍ରତି କରୋନା ସାଙ୍ଗକୁ ମୁଣ୍ଡଫଟା ଖରା ଆରମ୍ଭ ହୋଇ ଯାଇଥିବାରୁ ଯଦି କାହାର କିଛି ହୋଇଗଲା ଏଥି ପାଇଁ ରିକ୍ସ ନେବାକୁ ପ୍ରଶାସନ ଧରାଛୁଆଁ ଦେଉ ନଥିବା ଜଣା ପଡିଛି। କନ୍ଧମାଳର ମନରେଗା ସମସ୍ତ ଜବକାର୍ଡଧାରୀ ଶ୍ରମିକ ଓ ଦିନମଜୁରିଆଙ୍କ ପେଟପାଟଣା କଥାକୁ ଗୁରୁତ୍ବ ସହ ବିଚାର କରି ତୁରନ୍ତ ପଦକ୍ଷେପ ନେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

ସମ୍ବନ୍ଧିତ ଖବର