ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ପୂରା ଦେଶରେ ପ୍ରକୃତି ତାଣ୍ଡବ ରଚିବାରେ ଲାଗିଛି। ଓଡ଼ିଶାରେ ମଧ୍ୟ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ଭଳି ପରିସ୍ଥିତି ଦେଖାଯାଇଛି। କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟିରେ ଆଜି ବଡ଼ଧରଣର ଭୂସ୍ଖଳନ ଦେଖିବାକୁ ମିଳିଛି। ଜାତୀୟ ରାଜପଥରେ ପ୍ରକୃତିର ଏହି ତାଣ୍ଡବ ଯୋଗୁଁ ଶହଶହ ଯାନବାହନ ଅଟକି ରହିଛି। ଭୂସ୍ଖଳନ ଯୋଗୁଁ ୩ଟି ରାଜ୍ୟ (ଓଡ଼ିଶା, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ)କୁ ଯାନବାହନ ଚଳାଚଳ ଅଟକି ଯାଇଛି।
ସୂଚନାଯୋଗ୍ୟ, ୧୫୭ ନମ୍ବର ବିଜୟୱାଡ଼ା-ରାଞ୍ଚି ରାଜପଥରେ କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, ବରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଂଗପୁର ଲୋକେ ଯାତାୟତ କରିଥାନ୍ତି। ଏହି ରାସ୍ତା ଅବରୋଧ ହେବା ଦ୍ବାରା ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ଲୋକେ ପ୍ରଭାବିତ ହୋଇଛନ୍ତି।
ଲଗାଣ ବର୍ଷା ଯୋଗୁଁ ଆଜି ଅପରାହ୍ନ ପ୍ରାୟ ୩ଟାରେ କଳିଙ୍ଗା ଘାଟିର ଅନ୍ଧାରକୋଟ ନିକଟରେ ଭୂସ୍ଖଳନ ଘଟିଛି। ଏଠାରେ ଦୀର୍ଘ ମାସ ହେଲା ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା ଏକ ଠିକା ସଂସ୍ଥା ରାସ୍ତା ଚଉଡ଼ା କାର୍ଯ୍ୟ ଜାରି ଥିଲା। ଏହି ସ୍ଥାନରେ ପ୍ରାୟ ୨୦ରୁ ୩୦ମିଟର ପର୍ଯ୍ୟନ୍ତ ରାସ୍ତାରେ ଭୂସ୍ଖଳନ ହେବା ଦୃଶ୍ୟ ଦେଖିବାକୁ ମିଳିଛି। ପାହାଡ଼ରୁ ବିରାଟ ପଥର ଓ ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହଶହ ବସ୍, ଟ୍ରକ୍ ଓ କାର ଅଟକି ରହିଛି। ଯାତ୍ରୀମାନେ ଆତଙ୍କିତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳୁଛି।
#କଳିଙ୍ଗା_ଘାଟିରେ_ଭୂସ୍ଖଖଳନ
— Sambad (ସମ୍ବାଦ) (@sambad_odisha) September 16, 2025
-କନ୍ଧମାଳ ଜିଲ୍ଲା ଜି ଉଦୟଗିରିର କଳିଙ୍ଗା ଘାଟିରେ ଭୂସ୍ଖଳନ
-ପାହାଡ଼ରୁ ମାଟି, ପଥର ଖସିଲା
-ବିଜୟୱାଡ଼ା-ରାଞ୍ଚି ରାଜପଥରେ ଯାତାୟତ ପ୍ରଭାବିତ
-ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଯାନବାହନ
-ଘଟଣାସ୍ଥଳରେ ଅଗ୍ନିଶବ ବାହିନୀ, ପୁଲିସ ଉପସ୍ଥିତ#Sambad#Kandhamal#KalingaGhatipic.twitter.com/IX5JGztpFQ
ପଥର ଓ ମାଟି ଅତଡ଼ା ଖସିବା ଫଳରେ ରାସ୍ତା ବନ୍ଦ ହୋଇଯିବା ଯୋଗୁଁ ଗଞ୍ଜମ ଜିଲ୍ଲାରୁ କନ୍ଧମାଳ ସହ ପଶ୍ଚିମ ଓଡିଶାର ବିଭିନ୍ନ ସହରକୁ ଯାତାୟତ ଠପ ହୋଇଯାଇଛି। ରାସ୍ତା କେତେବେଳେ ଖୋଲିବ କହିବା ଅସମ୍ଭବ। କାରଣ ଯେଉଁଭଳି ଭାବେ ବିପଦପୂର୍ଣ୍ଣ ଅବସ୍ଥାରେ ଏହି ରାସ୍ତା ରହିଛି, ଏଠାରେ ଆବର୍ଜନା କାଢ଼ିବା ବିପଦପୂର୍ଣ୍ଣ ରହିଥିବା ଏବଂ ସଂକୀର୍ଣ୍ଣ ରାସ୍ତା ପୁରା ମାଟି ଓ ପଥର ଭରି ହୋଇ ରହିଛି। ସୌଭାଗ୍ୟ ବଶତଃ କୌଣସି କ୍ଷୟ କ୍ଷତି ହୋଇନଥିବା ବେଳେ ଖବର ପାଇ ସ୍ଥାନୀୟ ପୁଲିସ ଏବଂ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି।
ସୂଚନାଯୋଗ୍ୟ, ଚଳିତ ବର୍ଷ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ବିଭିନ୍ନ ସମୟରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ ହୋଇଛି। ଏହି କାରଣରୁ ଅନେକଙ୍କ ଧନଜୀବନକୁ କ୍ଷତି ପହଞ୍ଚାଉଛି।
landslides