କନ୍ଧମାଳରେ ପୁଣି ତାପମାତ୍ରା ୪୨ ଛୁଇଁଲା:ଜଳସ୍ତର ହ୍ରାସ ସାଙ୍ଗକୁ ଲୋ ଭୋଲଟେଜ୍‌

ଚିନ୍ତା ବଢାଇଲା ପାଣି ସମସ୍ୟା

ଫୁଲବାଣୀ,: ପୁଣି ବଢିଲା ତାପମାତ୍ରା। ୩-୪ ଦିନ ପୂର୍ବେ କନ୍ଧମାଳରେ ତାପମାତ୍ର ୩୮ରୁ ୪୦ ଡିଗ୍ରୀ ମଧ୍ୟରେ ଥିଲା। ଗତକାଲି ଏହା ବଢି ୪୧ ଥିବା ବେଳେ ଆଜି ୪୨ ଡିଗ୍ରୀ ଛୁଇଁଛି।

ଖରା ସାଙ୍ଗକୁ ତାତି। ସକାଳ ୧୦ଟା ହେଲେ ପଦାକୁ ବାହାରିବା ମୁସ୍କିଲ ହୋଇ ପଡୁଛି। ଅପରାହ୍ନ ୪ଟା ପର୍ଯ୍ୟନ୍ତ ବଜାର ଓ ରାସ୍ତାଘାଟ ଶୂନଶାନ। ଜିଲ୍ଲା ସଦର ମହକ୍‌ୁମା ଫୁଲବାଣୀ ସମେତ ବାଲିଗୁଡା, ଜି.ଉଦୟଗିରି, ଦାରିଙ୍ଗବାଡି, ଖଜୁରୀପଡା, ଟିକାବାଲି ଆଦିର ବ୍ଳକ ସଦର ମହକୁମାା ଆଜି ଖାଁ ଖାଁ ହୋଇ ପଡ଼ିଥିଲା। ଏପଟେ ମୁଣ୍ଡଫଟା ଖରା। ସେପଟେ ବିଭିନ୍ନ ଦାବି ନେଇ ରାଜସ୍ୱ ଅମଲା କର୍ମଚାରୀମାନେ ଆନ୍ଦୋଳନ ଜାରି ରଖିଛନ୍ତିି। କୌଣସି ସରକାରୀ କାର୍ଯ୍ୟକ୍ରମରେ ଦୂରଦୂରାନ୍ତରୁ ଆସୁଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଆଜି କନ୍ଧମାଳରେ ସତେ ଯେମିତି ଅଗ୍ନିବର୍ଷା ହୋଇଛି। ଜିଲ୍ଲା ସଦର ମହକୁମା ଫୁଲବାଣୀରେ ଆଜି ପ୍ରବଳ ଖରା ଓ ତାତି ଅନୁଭୂତ ହୋଇଥିଲା। ସହରରେ ନାରାୟଣୀ ଯାତ୍ରା ଓ ଚନ୍ଦନ ଯାତ୍ରା ଚାଲିଥିବା ବେଳେ ସକାଳଠୁ ରାତି ପର୍ଯ୍ୟନ୍ତ ଗହଳି ଚହଳି ଲାଗି ରହିବା କଥା। ହେଲେ ସଂଧ୍ୟା ପର୍ଯ୍ୟନ୍ତ ବଜାର ଘାଟ ସବୁ ଶୁନଶୂନ ଥିବା ଦେଖିବାକୁ ମିଳିଥିଲା। କେତେକ ସ୍ଥାନରେ ପୌର ପରିଷଦ ପକ୍ଷରୁ ଜଳଛତ୍ର ଖୋଲା ଯାଇଛି। ଏହା ଯଥେଷ୍ଟ ହେଉ ନଥିବାରୁ ଆହୁରି ଜଳଛତ୍ର ଖୋଲିବା ଜରୁରୀ ହୋଇ ପଡ଼ିଛି। ଏପଟେ ଖରା ଯୋଗୁଁ କନ୍ଧମାଳ ଜିଲ୍ଲାରେ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଏହା ସାଙ୍ଗକୁ ବିଦ୍ୟୁତ ଲୋଭେଲଟେଜ୍‌ ସମସ୍ୟା। ଗାଁରୁ ସହର। ସବୁଠି ପାଣି ସମସ୍ୟା। ଗ୍ରାମାଞ୍ଚଳରେ ଉତ୍କଟ ପାଣି ସମସ୍ୟା ଯୋଗୁଁ ନଦୀ ଓ ପୋଖରୀ ଶୁଖିବାକୁ ବସିଲାଣି। ଲୋକଙ୍କ ଭରସା ବର୍ତ୍ତମାନ ନାଳ ଓ ଝରଣା ପାଣି ଉପରେ। କୌଣସି ବିକଳ୍ପ ବ୍ୟବସ୍ଥା ନଥିବାରୁ ଲୋକମାନେ ବାଧ୍ୟ ହୋଇ ସେହି ଦୂଷିତ ପାଣିକୁ ବ୍ୟବହାର କରୁଛନ୍ତି। ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ବିଦ୍ୟୁତ ବିଭ୍ରାଟ ଓ ଲୋ-ଭୋଲଟେଜ ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାଣି ପମ୍ପ ମୋଟର କାମ କରୁ ନାହିଁ। ଫଳରେ, ଜଳଯୋଗାଣ ପ୍ରକଳ୍ପ ଥାଇ ବି କାମରେ ଆସି ପାରୁ ନାହିଁ।

କନ୍ଧମାଳରେ ୧୫ ହଜାରରୁ ଉର୍ଦ୍ଧ୍ୱ କୂପ ଥିବା ବେଳେ ୧୧୦୦ରୁ ଉର୍ଦ୍ଧ୍ୱ ନଳକୂପ ରହିଛି। ଜଳସ୍ତର ହ୍ରାସ ଯୋଗୁ ଏହି ସବୁ ମଧ୍ୟରୁ ଅଧିକାଂଶ ନଳକୂପରୁ ଆବଶ୍ୟକତାନୁସାରେ ପାଣି ବାହାରି ପାରୁନାହିଁ। ଶତକଡା ୪୦ ପ୍ରତିଶତ ନଳକୂପରୁ ମୁନ୍ଦାଏ ମୁନ୍ଦାଏ ପାଣି ବାହାରୁଛି । ୧୫ ପ୍ରତିଶତ ନଳକୂପ ଅଚଳ ହୋଇ ପଡ଼ିଛି। ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷ ବ୍ୟବସ୍ଥା ଗହଣ କରିବା ସକାଶେ ଦାବି କରାଯାଇଛି। ଆଉ କିଛି ଦିନ ଖରା ଓ ତାତି ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିବା ବେଳେ ଏଥି ଯୋଗୁଁ ପରିସ୍ଥିତି ଆହୁରି ଗମ୍ଭୀର ହେବାର ଆଶଙ୍କା ଦେଖା ଦେଇଛି।

ସମ୍ବନ୍ଧିତ ଖବର