ଘୁ. ଉଦୟଗିରି: ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ: ୩ ଘଣ୍ଟା ରାସ୍ତା ଅବରୋଧ

ଘୁ. ଉଦୟଗିରି: ସୋମବାର ସକାଳେ ଉଦୟଗିରି ସହରର କନବାଗେରି ଅନ୍ତର୍ଗତ ମୁଖ୍ୟ ସଡ଼କରେ ଗାଡ଼ି ଧକ୍କାରେ ମୃତ ଜଣେ ବ୍ୟକ୍ତିଙ୍କର ଶବ ପଡ଼ିଥିବା ଦେଖାଯାଇଛି।
ମୃତ ବ୍ୟକ୍ତିଜଣକ ହେଉଛନ୍ତି ୪୦ ବର୍ଷିୟ ବିଘ୍ନରାଜ ପ୍ରଧାନ। ତାଙ୍କ ଘର ରାଇକଲା ପଞ୍ଚାୟତ ଅନ୍ତର୍ଗତ କଟଡ଼ଗଣ୍ଡା ଗ୍ରାମରେ। ଗତ ରାତିରେ କୌଣସି ଗାଡ଼ି ତାଙ୍କୁ ଧକ୍କା ଦେଇଥିବା ଅନୁମାନ କରାଯାଉଛି।
ଆଜି ସକାଳେ ଲୋକେ ତାଙ୍କର ଶବ ଦେଖିବା ପରେ ଉତ୍ତେଜିତ ହୋଇ ଉଠିଥିଲେ। ସେମାନେ ପଥର ଖଣ୍ଡ ରଖି ରାସ୍ତା ଅବରୋଧ କରି ଯାନବାହନ ଯାତାୟାତ ବନ୍ଦ ରଖିଥିଲେ। ଫଳରେ ଘୁ.ଉଦୟଗିରି ଠାରୁ ବାଲିଗୁଡ଼ା ରାଇକିଆ ଏବଂ ମାଳୁଗୁଡ଼ା, ରାଇକିଆରୁ ବ୍ରହ୍ମପୁର ଏବଂ ଭୁବନେଶ୍ୱରକୁ ଗାଡ଼ିଘୋଡ଼ା ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା।
ଖବର ପାଇ ଏସ୍‌ଡିପିଓ ଜୟକୃଷ୍ଣ ବେହେରା ଏବଂ ଆଇଆଇସି ଜୀବନାନନ୍ଦ ଜେନା ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାଶୁଝା କରିଥିଲେ।
ମୃତ ବିଘ୍ନରାଜଙ୍କ ପରିବାରକୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେବା ପରେ ପ୍ରାୟ ୩ ଘଣ୍ଟା ଧରି ଚାଲିଥିବା ରାସ୍ତା ଅବରୋଧ ହଟିଥିଲା।
ପୁଲିସ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିିଛି।

ସମ୍ବନ୍ଧିତ ଖବର