ଚରିତ୍ର ସନ୍ଦେହରୁ କୁରାଢିରେ ହାଣି ପତ୍ନୀକୁ ହତ୍ୟା କଲା ସ୍ୱାମୀ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରିପଡା ଥାନା ଦଳପଡା ପଞ୍ଚାୟତ ପ୍ରଧାନପଡାରେ ଚରିତ୍ର ସନ୍ଦେହରେ ପତ୍ନୀକୁ ହତ୍ୟା କରିଛି ସ୍ୱାମୀ। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଘଟଣା ପରେ ଅଭିଯୁକ୍ତ ଗାଁରୁ ଫେରାର ହୋଇ ଯାଇଥିବା ବେଳେ ଏ ନେଇ ଗ୍ରାମବାସୀଙ୍କ ନିକଟରୁ ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି। ପ୍ରଧାନପଡାର ନିରାକର ମଲ୍ଲିକ ପତ୍ନୀ ସୁଶିଲାଙ୍କ ଚରିତ୍ର ଉପରେ ସନ୍ଦେହ କରି ଆସୁଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅଧିକାଂଶ ସମୟରେ କଳି ଝଗଡା ହୁଏ। ଏମିତି କି ମାମଲା ଥାନାକୁ ଅନେକବାର ଯାଇଛି। ଗତକାଲି ଦୁହିଁଙ୍କୁ ପୁଲିସ ଥାନାକୁ ଡକାଇ ବୁଝାସୁଝା କରି ବିଦା କରିଥିଲା। ହେଲେ ବିଳମ୍ବିତ ରାତିରେ ପୁଣି ସେହି ପୁରୁଣା କଥାକୁ ନେଇ ନିରାକର ଓ ସୁଶିଲାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତାପରେ ସମସ୍ତେ ଶୋଇ ପଡିଥିଲେ।

ଖଟରେ ୬ ଓ ୨ ବର୍ଷର ୨ ଝିଅଙ୍କ ସହ ସୁଶିଲା ଶୋଇଥିବା ବେଳେ ନିରାକାର ଏକ କୁରାଢି ଆଣି ସୁଶିଲାଙ୍କୁ ବେକକୁ ୨ଚୋଟ ମାରିଥିଲା। ଏଥିରେ ସୁଶିଲାଙ୍କର ମୃତ୍ୟୁ ହୋଇଥିଲା। ଘଟଣା ପରେ ନିରାକାର ସେଠାରୁ ଫେରାର ହୋଇ ଯାଇଥିଲା। ନିଦରେ ଶୋଇଥିବା ୬ ଓ ୨ ବର୍ଷର ୨ ଝିଅ ବଡି ଭୋରରେ ବହୁତ କାନ୍ଦି ଥିଲେ। ତାପରେ ଗ୍ରାମବାସୀ ପହଞ୍ଚି ଦେଖିଲା ବେଳକୁ ଏଭଳି ଘଟଣା ଘଟିଛି। ଅପରାହ୍ନରେ ଖଜୁରିପଡା ତହସିଲଦାର ଶୁଭଶ୍ରୀ ରଥ ଓ ଥାନାଧିକାରୀ ଅନିତା କିଡୋ ସାଇଣ୍ଟଫିକ ଟିମ ସହ ସେଠାରେ ପହଞ୍ଚିଥିଲେ। ହତ୍ୟାରେ ବ୍ୟବହୃତ କୁରାଢି ଜବତ କରିବା ସହ ସୁଶିଲାଙ୍କ ମୃତ ଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଛେଦ ନିମନ୍ତେ ପଠାଯାଇଛି। କେଶ ନଂ ୫୯/୨୦୧୮ ଦଫା ୩୦୨ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି। ୮ ବର୍ଷ ପୂର୍ବେ ନିରାକର ଓ ସୁଶିଲାଙ୍କ ମଧ୍ୟରେ ବିବାହର ହୋଇଥିଲା। ଫେରାର ନିରାକରକୁ ଗିରଫ ନିମନ୍ତେ ଉଦ୍ୟମ ଜାରି ରହିଛି ବୋଲି ଥାନାଧିକାରୀ ଶ୍ରୀମତୀ କିଡୋ କହିଛନ୍ତି।

ସମ୍ବନ୍ଧିତ ଖବର