କନ୍ଧମାଳ: ଗୁରୁତର ଅବସ୍ଥାରେ ଉଦ୍ଧାର ନାବାଳିକାର ମୃତ୍ୟୁ

ଫୁଲବାଣୀ: ଚାଇଲ୍‌ଡଲାଇନ୍‌ ଫୁଲବାଣୀ ଦ୍ୱାରା ଉଦ୍ଧାର କରାଯାଇଥିବା ଜଣେ ନାବାଳିକାର ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ମୃତ୍ୟୁ ଘଟିଛି। ଫୁଲବାଣୀ ବ୍ଲକ୍‌ ଅନ୍ତର୍ଗତ କେରେଡି ଗ୍ରାମପଞ୍ଚାୟତର କିରାବିରା ଗ୍ରାମରୁ ଶୁକ୍ରବାର ଗୁରୁତର ଅସୁସ୍ଥା ଥିବା ଜଣେ ୧୩ ବର୍ଷର ନାବାଳିକାକୁ ସଦର ପୁଲିସ ସହିତ ମିଳିତ ଉଦ୍ୟମରେ ଚାଇଲ୍‌ଡଲାଇନ୍‌ ଉଦ୍ଧାର କରି ସଦର ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ନାବାଳିକାର ସ୍ୱାସ୍ଥ୍ୟାବସ୍ଥା ପରବର୍ତ୍ତି ସମୟରେ ଅଧିକ ବିଗିଡ଼ିବାରୁ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ଚିକିତ୍ସାଧିନ ଥିବା ଅବସ୍ଥାରେ ଆଜି ସକାଳ ୫.୧୩ରେ ନାବାଳିକାର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ନାବାଳିକାର ମୃତଦେହ ବ୍ରହ୍ମପୁର ଠାରୁ ଅଣାଯାଇ ନିଜଗ୍ରାମରେ ଅନ୍ତିମ ସଂସ୍କାର କରାଯାଇଛି।

ନାବାଳିକା ଦୀର୍ଘଦିନ ହେଲା ଅସୁସ୍ଥ ଥିଲା କିନ୍ତୁ ତାକୁ ଡାକ୍ତରୀ ଚିକିତ୍ସା ନକରି ଅନ୍ଧବିଶ୍ୱାସକୁ ଆପଣେଇ ଗୁଣିଗାରେଡି କରାଯାଉଥିଲା। ପରିବାର ଲୋକେ ଏଥି ପାଇଁ ପାଖାପାଖି ୧୦,୦୦୦ରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ। ଏହାପରେ ନାବାଳିକା ଗୁରୁତର ହୋଇଯାଇଥିଲା। ସୁଚନା ପାଇ ଚାଇଲ୍‌ଡଲାଇନ୍‌ ଉକ୍ତ ଗ୍ରାମରେ ପହଞ୍ଚି ପରିବାର ସଦସ୍ୟଙ୍କୁ ବୁଝାସୁଝା କରି ନାବାଳିକାକୁ ଚିକିତ୍ସାକରିବା ପାଇଁ ଉଦ୍ୟମ କରିଥିଲା। ନାବାଳିକାର ଉଦ୍ଧାର ଠାରୁ ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ସହଯୋଗ ଚାଇଲ୍‌ଡଲାଇନ୍‌ ପକ୍ଷରୁ କରାଯାଇଥିଲା।

ସମ୍ବନ୍ଧିତ ଖବର