ନାବାଳିକାକୁ ଗଣଦୁଷ୍କର୍ମ

ଫୁଲବାଣୀ/ଖଜୁରିପଡା : କନ୍ଧମାଳ ଜିଲ୍ଲା ଖଜୁରିପଡା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ! ହାଟରୁ ଫେରୁଥିବା ୧୫ ବର୍ଷର ଜଣେ ନାବାଳିକାକୁ ଜଙ୍ଗଲକୁ ନେଇ ୨ ଯୁବକ ଗଣଦୁଷ୍କର୍ମ କରିଛନ୍ତି। ଏନେଇ ପୀଡ଼ିତା ନାବାଳିକା ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଦୁଷ୍କର୍ମ ବେଳେ ବ୍ୟବହୃତ ଅଟୋକୁ ପୁଲିସ ଜବତ କରିଛି ।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ନାବାଳିକା ଜଣକ ନିଜ ପାଞ୍ଚବର୍ଷର ସାନଭଉଣୀ ସହ ଲାଇନପଡା ସାପ୍ତାହିକ ହାଟକୁ ଯାଇଥିଲେ । ହାଟ ସାରି ଫେରିବା ବାଟରେ ସଂଧ୍ୟା ହୋଇ ଯାଇଥିଲା। ସାନଭଉଣୀ ସହ ନାବାଳିକା ଜଣକ ଚାଲି ଚାଲି ଆସିବା ସମୟରେ ସେହି ବାଟ ଦେଇ ଅଟୋ (ଓଡି୧୨ସି୩୨୭୬) ଚଳାଇ ଆସୁଥିବା ସଂପୃକ୍ତ ଅଞ୍ଚଳର ଟେପୁ ସେଠୀ ଓ ପେଟୁ ସେଠୀ ନାମକ ଦୁଇ ଯୁବକ ଘର ଛାଡି ଦେବେ ବୋଲି କହି ଉଭୟଙ୍କୁ ଡାକିଥିଲେ। ନାବାଳିକାକୁ ପାଖ ଜଙ୍ଗଲକୁ ନେଇ ସେଠାରେ ତାକୁ ଟେପୁ ଓ ପେଟୁ (ଅଟୋ ଡ୍ରାଇଭର) ଦୁଷ୍କର୍ମ କରିଥିଲେ। ତା’ର ପାଞ୍ଚବର୍ଷର ସାନଭଉଣୀ କାଳେ ପାଟି କରି ଦେବ, ସେହି ଭୟରେ ତା’ ମୁହଁକୁ କପଡ଼ାରେ ବାନ୍ଧି ଅଟୋରେ ଜବରଦସ୍ତ ବସାଇ ଦେଇଥିଲେ।

ଦୁଇ ଅଭିଯୁକ୍ତ ନାବାଳିକାକୁ ଦୁଷ୍କର୍ମ କରିବା ପରେ ରାତି ୯ଟା ବେଳେ ଅନ୍ଧାରରେ ନାବାଳିକା ଓ ତାର ସାନଭଉଣୀକୁୁ ଛାଡି ପଳାଇଯାଇଥିଲେ। ନାବାଳିକା ଜଣକ ବାଟ ଖୋଜି ରାତିରେ ଘରେ ପହଞ୍ଚି ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ କହିଥିଲା। ଗତକାଲି ରାତିରେ ଏ ନେଇ ପରିବାର ପକ୍ଷରୁ ଖଜୁରିପଡା ଥାନାରେ ଅଭିଯୋଗ ହୋଇଥିଲା। କେସ୍‌ ନଂ ୪୫/୨୦୧୮ରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା।

ସମ୍ବନ୍ଧିତ ଖବର