କନ୍ଧମାଳ: ବିବାହ ପ୍ରସ୍ତାବରେ ରାଜି ନହେଲେ ଝାନସୀରେ ବିକି ଦେବୁ କହିଲେ ମା’, ଥାନାରେ ପହଞ୍ଚିଲା ନାବାଳିକା

ଫୁଲବାଣୀ: ବିବାହ ପ୍ରସ୍ତାବରେ ରାଜି ନହେଲେ ଝାନସୀରେ ବିକି ଦେବୁ ବୋଲି ମା’ କହିବା ପରେ ଜଣେ ନାବାଳିକା ନିଜର ସୁରକ୍ଷା ପାଇଁ ଥାନାରେ ପହଞ୍ଚିଛି। ଏକ ପାରଂପରିକ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖାନ କରିବା ପରେ ଜଣେ ନାବାଳିକା ନିଜର ଜନ୍ମଦାତ୍ରୀ ମା’ଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇଛି। ପରିବାର ଲୋକଙ୍କ ଦ୍ୱାରା କଲେଜ ପଢୁଆ ଝିଅ ବାରମ୍ବାର ନିର୍ଯାତନାର ଶିକାର ହେବା ପରେ ଶେଷରେ ଅନ୍ୟ ଉପାୟ ନପାଇ ଥାନାର ଆଶ୍ରୟ ନେଇଛି। କନ୍ଧମାଳ ଜିଲ୍ଲାର ଫୁଲବାଣୀ ଟାଉନ୍‌ ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଗୁରୁବାର ଦେଖିବାକୁ ମିଳିଛି।

ରିପୋର୍ଟ ଅନୁସାରେ ନାବାଳିକାକୁ ବିବାହ କରିବା ପାଇଁ ମା’ ନିର୍ଯାତନା ଦେଇ ଆସୁଥିଲେ। ନିର୍ଯାତନାର ଶିକାର ହୋଇଥିବା ନାବାଳିକା ଯୁକ୍ତ୨ ଦ୍ୱିତୀୟ ବର୍ଷର ଛାତ୍ରୀ। ଆଜି କୌଣସି ପ୍ରକାରରେ ପରିବାର ଲୋକଙ୍କ ଠାରୁ ଖସିଆସି ଥାନାରେ ପହଞ୍ଚି ଥିଲା। ପରେ ସୂଚନା ପାଇ ଚାଇଲ୍‌ଡଲାଇନ୍‌ ଟିମ୍‌ ନାବାଳିକାକୁ ଉଦ୍ଧାର କରିଛି।

ପ୍ରାଥମିକ ସ୍ତରରେ ନାବାଳିକାକୁ କାଉନେ୍‌ସଲିଂ କରାଯାଇଛି। ରିପୋର୍ଟ ଅନୁସାରେ ବୌଦ୍ଧ ଜିଲ୍ଲାର ମଥୁରା ଗ୍ରାମରୁ ବିବାହ ପ୍ରସ୍ତାବ ନେଇ ବୁଧବାର ଦୁଇ ଜଣ ଲୋକ ଆସିଥିଲେ। ନାବାଳିକା ବିବାହ କରିବାକୁ ସିଧା ମନା କରି ଦେଇଥିଲା। ପିତାମାତା ଯେତେ ଯାହା କହିଲେ ମଧ୍ୟ ଝିଅ ଶୁଣି ନଥିଲା। ଏହାପରେ ଅତିଥିମାନେ ସକାଳୁ ଫେରିିଯାଇଥିଲେ।

ଅତିଥିମାନେ ଫେରିଯିବା ପରେ ମା’ ନିର୍ଯାତନା ଦେବା ଆରମ୍ଭ କରି ଦେଇଥିଲା। ମା’ ଚେତାବନୀ ଦେଇଥିଲେ ଯେ, ବିବାହ ପ୍ରସ୍ତାବରେ ରାଜି ନହେଲେ ଉତ୍ତର ପ୍ରଦେଶର ଝାନ୍‌ସୀରେ ବିକ୍ରିକରିଦେବୁ। ଏହା ପରେ ମା’ ନିଜ କଲେଜ ପଢୁଆ ଝିଅକୁ ମାଡ ମାରିଥିଲେ। ଶେଷରେ ନାବାଳିକା ମା’ଙ୍କ ଠାରୁ ଖସି ଯାଇ ପୁଲିସ ଥାନାରେ ପହଞ୍ଚି ଥିଲା। ଚାଇଲ୍‌ଡଲାଇନ୍‌ ତରଫରୁ ନାବାଳିକାକୁ ଶିଶୁମଙ୍ଗଳ କମିଟିରେ ହାଜର କରାଯାଇ ଆଦେଶ ଅନୁସାରେ ଅସ୍ଥାୟୀ ଭାବେ ଶିଶୁ ଯତ୍ନ ଅନୁଷ୍ଠାନ ସାଧନରେ ଥଇଥାନ କରାଯାଇଛି।

ସମ୍ବନ୍ଧିତ ଖବର