ପାରିବାରିକ କଳହର କରୁଣ ପରିଣତି: ପୁଅ ଓ ଝିଅକୁ କୂଅକୁ ଠେଲିଦେଲା ମା

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ରାଇକିଆର ଆଲିମାହାରେ ଘଟିଛି ଏକ ଅଭାବନୀୟ ଘଟଣା। ପୁଅ ଓ ଝିଅକୁ କୂଅକୁ ଠେଲି ଦେଲା ମା। ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହକୁ ନେଇ ଏଭଳି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି।

ସୂଚନା ଅନୁସାରେ ସ୍ବାମୀ ରାଜେଶ ପାତ୍ର ଏବଂ ସ୍ତ୍ରୀ ଭାଗ୍ୟଲକ୍ଷ୍ମୀ ପାତ୍ର ରାଇକିଆ ଅଞ୍ଚଳ ଖ୍ରୀଷ୍ଟିୟାନ ସାହିରେ ବସବାସ କରୁଥିଲେ । ଦୀର୍ଘ ଦିନ ହେଲା ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଲାଗିରହିଥିଲା। ତେବେ ଗତକାଲି କଳହ ଚରମ ସୀମାରେ ପହଞ୍ଚିଥିଲା । ଫଳରେ ସ୍ତ୍ରୀ ଭାଗ୍ୟଲକ୍ଷ୍ମୀ ରାଗିଯାଇ ଅପରାହ୍ନ ୪ ଟାବେଳେ ପୁଅ ଏବଂ ଝିଅକୁ ଧରି ଘରୁ କୁଆଡେ ଚାଲିଯାଇଥିଲେ। ତେବେ ମା ଭାଗ୍ୟଲକ୍ଷ୍ମୀ ପୁଅ ଏବଂ ଝିଅକୁ ଆଲିମା ନିକଟସ୍ଥ ଏକ କୂଅକୁ ଠେଲି ନିଜେ କୂଅକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ସୌଭାଗ୍ୟବଶତଃ ସ୍ଥାନୀୟ ଲୋକଙ୍କ ସହାୟତରେ ମା କୁ ଉଦ୍ଧାର କରିଥିଲେ ଏବଂ ଦମକଳ ବାହିନୀ ପହଞ୍ଚି ଉଭୟ ଛୁଆକୁ ଉଦ୍ଧାର କରିଥିଲେ। ତେବେ ରାଇକିଆ ଡାକ୍ତର ଖାନାରେ ଦୁଇ ଛୁଆକୁ ଡାକ୍ତର ମୃତ ଘୋଷଣ କରିଥିଲେ । ମା କୁ ଚିକିତ୍ସା ପାଇଁ ରାଇକିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରାଇକିଆ ପୁଲିସ ଘଟଣା ଏନେଇ ମାମଲା ରୁଜୁ କରି ତଦନ୍ତ କରୁଛି । ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏହା ବାଲିଗୁଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର