ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିକାଶ ନାରାରେ ରହିଯାଉଛି। କନ୍ଧମାଳ ଜିଲ୍ଲାରେ ଆଜିବି ଏମିତି ଗାଁ ଅଛି ଯେଉଠିକି ଯିବାକୁ ପକ୍କା ରାସ୍ତାଟିଏ ନାହିଁ। ରାସ୍ତା ନଥିବା ଯୋଗୁଁ ରୋଗୀଙ୍କୁ ଖଟିଆରେ ବୁହା ହେଉଛି। ଏଭଳି ଦୃଶ୍ୟ ଦେଖୁବା ପରେ ସ୍ପଷ୍ଟ ବାରି ହେଉଛି ଏହି ଜିଲ୍ଲାର ବିକାଶ ଯେଭଳି ଆଣ୍ଠେଇଯାଇଛି।
ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ର ୧ନଂ ୱାର୍ଡର ଗଦିଙ୍ଗିଆ ଗାଁ ଯାହାକି କଳିଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ୫କିମି ଦୂରରେ ଅବସ୍ଥିତ। ଏହି ଗାଁକୁ ଆଜିବି ପକ୍କା ରାସ୍ତାଟିଏ ନାହିଁ। ୧୫୭ ନମ୍ବର ଜାତୀୟ ରାଜପଥ ଠାରୁ ୪କିମି ଦୂର ଚାଲିଚାଲି ଯିବାକୁ ପଡ଼େ ଏହି ଗାଁକୁ। ଏହି ଗାଁ ବିକାଶ ଠାରୁ ବହୁ ଦୂରରେ।ଜଙ୍ଗଲ ପାହାଡ଼ ପର୍ବତ ଘେରା ଗଦିଙ୍ଗିଆ ଗାଁ। ଗ୍ରାମରେ ମୋଟ ୩ଗୋଟି ସାହିରେ ୪୦ପରିବାରର ୧୬୦ଜନସଂଖ୍ୟା। ସମସ୍ତେ ଆଦିବାସୀ ହରିଜନ ସମ୍ପ୍ରଦାୟର।ଜଙ୍ଗଲ ପାହାଡ଼କୁ ଲାଗି ରହିଛି ଏହି ଗାଁ।
ଗ୍ରାମର ସମସ୍ତ ବାସିନ୍ଦା ଚାଷ ଉପରେ ନିର୍ଭର କରୁଥିବା ବେଳେ ବର୍ଷ ତମାମ ଜଙ୍ଗଲ ଉପରେ ନିର୍ଭରଶୀଳ। ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ତାକୁ ପାଖ ବଜାରରେ ବିକ୍ରି କରି ନିଜ ନିଜ ପରିବାର ପ୍ରତିପୋଷଣ କରିଥାନ୍ତି। ପ୍ରତ୍ୟକ ଦିନ ଭୋରରୁ ଜଙ୍ଗଲକୁ ଯାଇ କାଠ ସଂଗ୍ରହ କରିବା ଏବଂ ତାକୁ ବିକ୍ରି କରିବା ନିତିଦିନିଆ ବ୍ୟବସାୟ ଏହାସହ ଜଙ୍ଗଲରୁ ଶାଳ ଏବଂ ଶିଆଳି ପତ୍ର ସଂଗ୍ରହ କରି ସେଥିରେ ଖଳି ଦନା ପ୍ରସ୍ତୁତ କରି ବିକ୍ରି କରିଥାନ୍ତି। ଋତୁ ଅନୁସାରେ ଜଙ୍ଗଲରୁ ମହୁଲ, ଶାଳ ମଞ୍ଜି, ଗରା, ତେନ୍ତୁଳି, ଆମ୍ବ, ପଣସ ସଂଗ୍ରହ କରି ବଜାରରେ ବିକ୍ରି ନିଜ ନିଜ ପରିବାର ଚଳେଇଥାନ୍ତି।କହିବାକୁ ଗଲେ ଏହି ଗାଁର ଲୋକ ଏକ ପ୍ରକାର ଜଙ୍ଗଲୀ ମଣିଷଙ୍କ ଭଳି ଜୀବନ ବିତାଇଥାନ୍ତି।
ଆଜିର ମଣିଷ ଚନ୍ଦ୍ର ପୃଷ୍ଠରେ ରହିବାକୁ ଯୋଜନା କଲେଣି। ହେଲେ ଗଦିଙ୍ଗିଆ ଗାଁକୁ ରାସ୍ତାଟିଏ ନାହିଁ। ପ୍ରତ୍ୟକ ବର୍ଷ ଏମଜିଏନଆରଜିଏସ ଯୋଜନାରେ ଲକ୍ଷଧିକ ଟଙ୍କା ଅନୁଦାନ ଆସୁଛି। ଏହି ଗାଁ ରାସ୍ତା କାମ ପାଇଁ ରାସ୍ତାକଡ଼ରୁ ମାଟି କାଢି ରାସ୍ତା ଉପରେ ପକାଇ ଦିଆଯାଉଛି। ଗୋଟିଏ ଦୁଇଟି ମାସ ପରେ ବର୍ଷା ହେଲେ ସେଇ ମାଟି ପୁଣି ଭାସି ଯାଉଛି ପୂର୍ବରୁ ଯେମିତି ରାସ୍ତା ଥିଲା ପୁଣି ସେଇ ଅବସ୍ଥା। ଗ୍ରାମର ପୁରୁଷ ଓ ମହିଳାମାନେ ନିଜ ନିଜ ପ୍ରତିକ୍ରିୟାରେ କହିଛନ୍ତି ଆମେ ଏହି ଜଙ୍ଗଲ ପାହାଡ଼ ଭିତରେ ରହୁଛି ବାରମ୍ବାର ଲିଖିତ ଭାବେ ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ଆମ ଗାଁ ରାସ୍ତା ନିର୍ମାଣ ନିମନ୍ତେ ଜଣାଉଛି ହେଲେ କେହି ଆମ କଥା ଶୁଣୁନାହାନ୍ତି।
ଆମ ଗାଁର କୌଣସି ବ୍ୟକ୍ତି ରୋଗ ଗ୍ରସ୍ତ ହେଲେ ଆମ୍ବୁଲାନ୍ସ ଡାକିଲେ ଆସୁନି ୪କିମି ଦୂର ମୁଖ୍ୟ ସଡ଼କରେ ଆମ୍ବୁଲାନ୍ସ ରହିଯାଉଛି ଆମେ ଖଟିଆରେ ରୋଗୀଙ୍କୁ ବୋହି ବୋହି ନେବାକୁ ପଡୁଛି ସେଇଭଳି ଗର୍ଭବତୀ ମା ମାନଙ୍କୁ ମଧ୍ୟ ସେମିତି ନେବାକୁ ପଡୁଛି। ଏହି ଦୁର୍ଗମ ଗାଁର ବିକାଶ ପାଇଁ ଏବଂ କିଛି ପରିବର୍ତ୍ତନ ପାଇଁ ପ୍ରଶାସନ ପକ୍ଷରୁ ଦୁଇ ବର୍ଷ ତଳେ ପରିବର୍ତନ ମେଳା ନାଁରେ ଏକ ମେଳା ଆୟୋଜନ କରାଯାଇଥିଲା ଯେଉଁଠି ସମସ୍ତ ବିବଜଗୀୟ ଅଧିକାରୀ ଯୋଗ ଦେଇଥିଲେ ଗ୍ରାମବାସୀ ଆଶା ରଖିଥିଲେ ଏହି ପରିବର୍ତ୍ତନ ମେଳା ପରେ କିଛି ପରିବର୍ତ୍ତନ ହେବ ହେଲେ ଯଥା ପୂର୍ବ ତଥା ପର।
ଗ୍ରାମବାସୀଙ୍କ କହିବା ପ୍ରକାରେ ଆମେ ମାନେ ଏକ ଅଭିଶପ୍ତ ଜୀବନଯାପନ କରୁଛୁ। ନିର୍ବାଚନ ଆସିଲେ ନେତା ମାଳ ମାଳ ଆସୁଛନ୍ତି ବଡ଼ବଡ଼ ପ୍ରତିଶ୍ରୁତି ଦେଉଛନ୍ତି ନିର୍ବାଚନ ସରିଗଲେ ଆଉ ଦେଖାଦେଉନାହାନ୍ତି। ସାଧାରଣ ନିର୍ବାଚନରେ ଗ୍ରାମବାସୀ ଭୋଟ ବର୍ଜନ କରିଥିଲେ। ଆମେ ଚାଷ ବାସ କରୁଛୁ ଉତ୍ପାଦିତ ଦ୍ରବ୍ୟ ବିକ୍ରି କରିବା ନିମନ୍ତେ ଆମକୁ ଚାରି କିମି ରାସ୍ତା ଚାଲି ଚାଲି ଜିଣିସ ବୋହି ନେବାକୁ ପଡୁଛି। ଚାଷ ପରିଶ୍ରମ ଠାରୁ ଉତ୍ପାଦିତ ସାମଗ୍ରୀ ବୋହିନେବା କଷ୍ଟ ବଳି ପଡୁଛି। ଗୁପ୍ତେଶ୍ଵର ନାୟକ, ନାରାୟଣଲକ୍ଷ୍ମୀ ପ୍ରଧାନ, ଉତ୍ସବ ପ୍ରଧାନ ଦାବି କରିଛନ୍ତି ଗଦିଙ୍ଗିଆ ଛକ ୧୫୭ ନମ୍ବର ଜାତୀୟ ରାଜପଥ ଠାରୁ ଗଦିଙ୍ଗିଆ ଦେଇ ଚକାପାଦ ବ୍ଲକର ମୁଣ୍ଡାଗାଁ ପର୍ଯ୍ୟନ୍ତ୮କିମି ରାସ୍ତା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ କରାଯାଇ ପକ୍କା ରାସ୍ତା ନିର୍ମାଣ କରାଯାଉ।
Kandhamal