ଘୁ.ଉଦୟଗିରି: କନ୍ଧମାଳଜିଲ୍ଲା ସର୍ବପୁରାତନ ଘୁ.ଉଦୟଗିରି ଏନ୍ଏସି ଓ ବ୍ଲକ ରାଜ୍ୟର ଏମିତି ଏକ ଅଞ୍ଚଳ ଯେଉଁଠି ଦେଶ ସ୍ଵାଧୀନତାର ୭୮ ବର୍ଷ ବିତିଲାଣି କିନ୍ତୁ ଦୁର୍ଭାଗ୍ୟର ବିଷୟ ଆଜି ବି ଏହି ଅଞ୍ଚଳ ବିକାଶ ଠାରୁ ଯୋଜନ ଯୋଜନ ଦୁରରେ। ସବୁ ଅଛି ହେଲେ କିଛି ନାହିଁ।। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଆମ ଅଞ୍ଚଳ ସବୁ କ୍ଷେତ୍ରରେ ତଥା ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ପାନୀୟଜଳ, ପର୍ଯ୍ୟଟନ ଏପରି ଜନସାଧାରଣଙ୍କ ବିଭିନ୍ନ ଆବଶ୍ୟକତା ପୂରଣ କରିବାରେ ରାଜ୍ୟର ସମସ୍ତ ବ୍ଲକ ଓ ଏନଏସି ଠାରୁ ବହୁ ପଛରେ ଥିବା ନେଇ ଅଞ୍ଚଳବାସୀ ଅନୁଭବ କରୁଥିବା ବେଳେ ବାହାରୁ ଆସୁଥିବା ପର୍ଯ୍ୟଟକ ମଧ୍ୟ ଏହି ଅଞ୍ଚଳର ଛବି ଦେଖି ନାକ ଟେକୁଛନ୍ତି ଅନ୍ୟ ସହରର ବିକାଶ ତୁଳନାରେ ଏହି ସହର କାଣିଚାଏ ମଧ୍ୟ ବିକାଶ ହୋଇନଥିବା କହିଛନ୍ତି।
ପ୍ରକୃତରେ ଏହି ସହରରେ ଆଜି ପର୍ଯ୍ୟନ୍ତ ଆଖି ଦୃଷ୍ଟିଆ ବିକାଶ ସ୍ପର୍ଶ କରିନି। ୪୦ ହଜାରରୁ ଊର୍ଦ୍ଧ୍ବ ଜନସଂଖ୍ୟା ବସବାସ କରୁଥିବା ଏହି ଅଞ୍ଚଳରେ କୋଟି କୋଟି ଟଙ୍କା ବ୍ୟୟରେ ସୁନ୍ଦର ଡାକ୍ତରଖାନାଟିଏ ଅଛି। ସମସ୍ତ ଆନୁସାଙ୍ଗିକ ଭିତ୍ତିଭୂମି ଅଛି ହେଲେ ବିଶେଷଜ୍ଞ ଡାକ୍ତର ନାହାଁନ୍ତି। ଦିନେ କି ଦୁଇ ଦିନ ହେଲା ନୁହେଁ ଦୀର୍ଘ ବର୍ଷ ହେଲା ବିନା ବିଶେଷଜ୍ଞ ଡ଼ାକ୍ତରରେ ଚାଲିଛି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର। ୨ ହଜାରରୁ ଊର୍ଦ୍ଧ୍ବ ଛାତ୍ରୀଛାତ୍ର ପଢ଼ୁଥିବା କଲେଜରେ ସ୍ଥାୟୀ ଅଧ୍ୟକ୍ଷ ନାହାନ୍ତି। ଦୀର୍ଘ ବର୍ଷ ହେଲା ଭାରପ୍ରାପ୍ତ ଅଧ୍ୟକ୍ଷରେ କାମ ଚାଲିଛି। ବହୁ ପୁରାତନ ବାଳିକା ଓ ବାଳକ ଉଚ୍ଚ ବିଦ୍ୟାଳୟରେ ବହୁ ବର୍ଷ ହେଲା ପ୍ରଧାନଶିକ୍ଷକ ନାହାଁନ୍ତି। ଅତିରିକ୍ତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଛି ହେଲେ ଜଣେ ମଧ୍ୟ କେହି କର୍ମଚାରୀ ନାହାଁନ୍ତି।
/sambad/media/media_files/2025/01/07/img-20221029-wa0075.jpg)
ମିନି ଷ୍ଟାଡିୟମ ଟିଏ ଦୀର୍ଘ ବର୍ଷ ହେଲା ଅଧପନ୍ତରିଆ ହୋଇ ପଡିଛି। କାହାର କାର୍ଯ୍ୟରେ ଲାଗୁନି। ସ୍ଥାନୀୟ ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମାଞ୍ଚଳର ସଡ଼କ ଅବସ୍ଥା ଶୋଚନୀୟ, ଆଜିବି ଏମିତି ଗାଁ ଅଛି ଯେଉଁଠିକି ପକ୍କା ସଡ଼କ ନାହିଁ, ୪୫ ବର୍ଷର ଏନଏସି ସହରର ମୁଖ୍ୟ ସଡ଼କ କଥା ନ କହିବା ଭଲ, ସହର ପାଇଁ ଅତି ଆବଶ୍ୟକ ବାଇପାସ୍ ସଡ଼କ ହୋଇପାରୁନି, ପାନୀୟଜଳ ସମସ୍ୟା ଲାଗିରହିଛି। ଡ୍ରେନ୍ ମରାମତି ହୋଇପାରୁନାହିଁ ଯାହାଫଳରେ ବିଭିନ୍ନ ସମୟରେ ଡ୍ରେନ୍ ପାଣି ଲୋକଙ୍କ ଘରେ ପଶିବା ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସହରରେ ଥିବା ସାଲୁଙ୍କି ନାଳ ଓ ପୋଖରୀ ପାଣି ବ୍ୟବହାର ଯୋଗ୍ୟ ନାହିଁ।
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ଭିତ୍ତିଭୂମି ଠିକ୍ ନାହିଁ ପରିଣାମ ସ୍ୱରୂପ ସ୍ଥାନୀୟ ଅଞ୍ଚଳର ଯୁବପିଢି କାମଧନ୍ଦା ଅଭାବରୁ ଦାଦନ ଖଟିବାକୁ ସୁଦୂର କେରଳ, ତାମିଲନାଡୁ, ସୁରଥ, ବେଙ୍ଗାଲୁରୁ ଭଳି ବାହାର ରାଜ୍ୟରେ ପରିବାର ପ୍ରତିପୋଷଣ ପାଇଁ ହାଡ଼ଭଙ୍ଗା ପରିଶ୍ରମ କରୁଛନ୍ତି। ଏପରି ଅନେକ ସମସ୍ୟା ରହିଛି ଯାହାର ସମାଧାନ ହୋଇପାରୁନାହିଁ।ସରକାରୀ ସ୍ତରରେ ଯାହା ବିକାଶ ହେଉଛି ତାହା କେବଳ କାଗଜ କଲମରେ ବାସ୍ତବରେ ବିକାଶ କିଛି ହୋଇ ନ ଥିବା ଅଭିଯୋଗ ହୋଇଛି।
ନିରୀହ ଜନସାଧାରଣଙ୍କ ନିଷ୍ପତ୍ତିରେ କେତେ ଯେ ଜନପ୍ରତିନିଧି ନିର୍ବାଚିତ ହୋଇ ନିଜ କାର୍ଯ୍ୟକାଳ ସାରିଲେଣି କିନ୍ତୁ ବିକାଶ ର ଫଳାଫଳ ଶୂନ ବୋଲି ଅଭିଯୋଗ ହେଉଛି ହେଲେ କିଛି ଲାଭ ମିଳି ପାରିନାହିଁ। ଲାଗୁଛି ଯେମିତି କାହା ଅଭିଶାପ ରେ ଅଭିଶପ୍ତ କି ଆମ ଅଞ୍ଚଳ ନା ଭୁଲ ରହୁଛି ଆମ ଜନସାଧାରଣଙ୍କ ନିଷ୍ପତ୍ତି। ଦୀର୍ଘ ବର୍ଷ ମଧ୍ୟରେ କେତେ ଯେ ସରକାରୀ ଅଧିକାରୀ, କର୍ମଚାରୀ ତଥା ସମସ୍ତଙ୍କ ଠାରୁ ମୁଖ୍ୟ ଏନଏସି, ବ୍ଲକ, ବିଧାନସଭା, ସଂସଦୀୟ କ୍ଷେତ୍ର ଜନପ୍ରତିନିଧିମାନେ ଜନତାଙ୍କୁ ଅଞ୍ଚଳ ପାଇଁ ବିକାଶର ପ୍ରତିଶ୍ରୁତି ଦେଇ ନିର୍ବାଚିତ ହୋଇ ଆସିଲେଣି କିନ୍ତୁ ଅଞ୍ଚଳର ଆବଶ୍ୟକ ଅନୁଯାୟୀ ବିକାଶ ହୋଇପାରିନାହିଁ, ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ରହି ଯାଇଛି କିନ୍ତୁ ସେମାନଙ୍କର ବ୍ୟକ୍ତିଗତ ଭାବେ ଯଥେଷ୍ଠ ଉନ୍ନତି ହୋଇଥିବା ନେଇ ଆଲୋଚନା ହେଉଛି ହେଲେ, ଏଥିପାଇଁ ଦାୟୀ କିଏ ? ଆମେ ସାଧାରଣ ଜନତା ନା ସରକାରୀ ଅଧିକାରୀ ନା ନିର୍ବାଚିତ ଜନ ପ୍ରତିନିଧି।
ଏହି ଅଞ୍ଚଳର ବିକାଶ ଅପେକ୍ଷା ନିଜ ବ୍ୟକ୍ତିଗତ ସ୍ୱାର୍ଥ ହାସଲରେ ଲାଗିଥିବା ନିର୍ବାଚିତ ପ୍ରତିନିଧି ସହରର ବିକାଶ କୁ ପଛରେ ପକେଇ ନିଜେ ଠିକାଦାର ପାଲଟି ଅର୍ଥ ଉପାର୍ଜନ ରେ ମାତିଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କ ନିଷ୍କ୍ରିୟତା ସହରର ବିକାଶ ରେ ବାଟ ଉଗାଳି ରହିଛି। ବାଡ଼ ଯଦି ଫସଲ ଖାଇବ ତାହାହେଲେ ଫସଲ ଜଗିବ କିଏ? ସେଇ ନ୍ୟାୟରେ ନିର୍ବାଚିତ ପ୍ରତିନିଧି ଯଦି ଠିକାଦାର ପାଲଟିବେ ତାହାହେଲେ ବିକାଶ ଚିନ୍ତା କରିବ କିଏ?। ଅନ୍ୟପକ୍ଷରେ ସ୍ଥାନୀୟ ଅଞ୍ଚଳରେ ଦୃଢ଼ ନେତୃତ୍ୱ ଅଭାବ ଯୋଗୁଁ ଆଜି ଏହି ଅଞ୍ଚଳ ସବୁ କ୍ଷେତ୍ରରେ ଅବହେଳିତ ହୋଇରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/01/07/img20241212121246.jpg)