ବାଲିଗୁଡ଼ା: ପଶୁ ମାଂସ ଆଶାରେ ଜଙ୍ଗଲକୁ ଯାଇଥିବା ଜଣେ ଶିକାରୀ ଅନ୍ୟ ଜଣେ ଶିକାରୀର ଗୁଳିର ଶିକାର ହୋଇଛନ୍ତି। ୧୦ ଦିନ ପରେ ଏହି ଘଟଣା ଲୋକଲୋଚନକୁ ଆସିଛି। କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଦେଖାଯାଇଛି। ମିଳିଥିବା ସୂଚନା ଅନୁସାରେ କ. ନୂଆଗାଁ ଥାନା ଅନ୍ତର୍ଗତ ସିର୍ତ୍ତିଗୁଡ଼ା ପଞ୍ଚାୟତ ଅଧିନ ବଣ୍ଡାଗୁଡ଼ା ଗାଁର କିଛି ଲୋକଙ୍କୁ ନେଇ ଶିକାରୀମାନେ ଗତ ସେପ୍ଟେମ୍ବର ୧୭ରେ ଜଙ୍ଗଲକୁ ପଶୁ ଶିକାର ଆଶାରେ ଯାଇଥିଲେ। ଜଙ୍ଗଲରେ ଶିକାର ଆଶାରେ ବୁଲୁଥିବା ବେଳେ ଜଣେ ଶିକାରୀ ବଣ୍ୟ ଜନ୍ତୁ ଭାବି ଅନ୍ୟ ଜଣେ ଶିକାରୀ ଉପରକୁ ଗୁଳି ଚଳାଇ ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଜଣେ ଲୋକଙ୍କର ଜୀବନ କିଛି କ୍ଷଣ ମଧ୍ୟରେ ଚାଲି ଯାଇଥିଲା। ସମସ୍ତେ ଏକାଠି ହେବା ବେଳକୁ ଶିକାରୀ ନରେନ୍ଦ୍ର ଦିଗାଳ ଆଖି ବୁଜି ସାରିଥିଲା।

Advertisment

publive-image

ମଧ୍ୟ ରାତ୍ରି ହେବା ପରେ ଜଙ୍ଗଲରୁ ନରେନ୍ଦ୍ରଙ୍କ ମୃତଦେହ ନେଇ ଶିକାରୀମାନେ ଗାଁକୁ ଆସିଲେ। ରାତି ପାହିବା ପରେ ସେପ୍ଟେମ୍ବର ୧୮ରେ ଶବକୁ ଅନ୍ତିମ ସଂସ୍କାର ଦିଆଯାଇଥିଲା। ସମସ୍ତେ ଭାବିଥିଲେ ଘଟଣାର ଅନ୍ତ ଘଟିଲା କିନ୍ତୁ ନରେନ୍ଦ୍ରଙ୍କ ସ୍ତ୍ରୀ ଲିସା ଦିଗାଳ ସେପ୍ଟେମ୍ବର ୩୫ରେ କେ. ନୂଆଗାଁ ଥାନାରେ ଅଭିଯୋଗ ଆଣିବା ପରେ ପୁଲିସ ୬ଜଣଙ୍କୁ ଗିରଫ କରିଛି।

ଥାନା ଅଧିକାରୀ ଚାନ୍ଦମଣୀ ସିଂହ କହିଛନ୍ତି, ଗୁଳିକାଣ୍ଡ ଘଟଣାରେ ପବିତ୍ର ସାହୁ, ଗୋପୀନାଥ ସାହୁ, ବୃଷଭ ସାହୁ, ଭାସ୍କର ସାହୁ, ସଦାନନ୍ଦ ମଲ୍ଲିକ ଓ ନିରୋଜ ମଲ୍ଲିକ ଗିରଫ ହୋଇଛନ୍ତି। ସେ କହିଛନ୍ତି ୪ରୁ ୫ ଜଣ ଫେରାର ଅଛନ୍ତି। ପୁଲିସ ଏକ ଦେଶୀ ବନ୍ଧୁକ ଜବତ କରିଛି। ଘଟଣାର ଅଧିକ ତଦନ୍ତ ଚାଲିଛି।