କନ୍ଧମାଳ: ମୃତ୍ୟୁ ଖବର ଦେଇ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ବାଲିଗୁଡ଼ା: ମୃତ୍ୟୁ ଖବର ଦେଇ ସାରି ଘରକୁ ଫେରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କର ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ସିରିଙ୍ଗଡା ଠାରେ ପାଣି ଟାଙ୍କି ଟ୍ରାକ୍ଟର ଓଲଟି ପଡ଼ିବାରୁ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି) ଅନ୍ତର୍ଗତ ମୁଣ୍ଡାସାହି ନିବାସୀ ଦିପକ ନାୟକ(୨୦)ଙ୍କ ମୃତ୍ୟୁ ଘଟିଥିବା ବେଳେ ପଣସପଡ଼ି ସାହିର ସାଗର ଗନ୍ତାୟତ ଗୁରୁତର ହୋଇଛନ୍ତି। ସାଗରକୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା। ପରେ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ବାଲିଗୁଡ଼ା ଏନଏସି ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କର ଶୁକ୍ରବାର ସକାଳୁ ମୃତ୍ୟୁ ହୋଇଥିଲା। ଏହି ଖବର ମୃତ ବ୍ୟକ୍ତିଙ୍କର ଜଣେ ସମ୍ପର୍କୀୟଙ୍କୁ ଜଣାଇବା ପାଇଁ ଦିପକ ଓ ସାଗର ବାଇକ ଯୋଗେ ସିନ୍ଦ୍ରିଗାଁକୁ ଯାଇଥିଲେ। ନିଜ କାମ ସାରି ସେମାନେ ଫେରୁଥିବା ବେଳେ ସିରିଙ୍ଗଡ଼ା ନିକଟରେ ଥିବା ଖଡଙ୍ଗ ପୋଲଠାରେ ପାଣି ଟାଙ୍କି ଟ୍ରାକ୍ଟର ଧକ୍କା ଦେଇଥିଲା।

ଅପରାହ୍ନ ପ୍ରାୟ ୨ଟାରେ ହୋଇଥିବା ଦୁର୍ଘଟଣା ଖବର ମିଳିବା ମାତ୍ରେ ପୁଲିସ ଘଟଣାସ୍ଥଳକୁ ପହଞ୍ଚିଛି। ଗୁରୁତର ଆହତ ସାଗରକୁ ଚିକିତ୍ସା ପାଇଁ ବ୍ରହ୍ମପୁର ପଠାଇ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର