ପାଇପ ବିଚ୍ଛା ହେବାରେ ୩ ବର୍ଷ:ତଥାପି ଶଗଡିଆ ସାହିବାସୀଙ୍କୁ ମିଳିଲାନି ପାଣି

ଆନ୍ଦୋଳନ ଧମକ ପରେ କାର୍ଯ୍ୟକ୍ଷମ ପ୍ରତିଶ୍ରୁତି

ଫୁଲବାଣୀ: ଫୁଲବାଣୀ ସହର ୯ ନମ୍ବର ୱାର୍ଡ ଗୋପାଳସାହିରେ ପାଣି ସମସ୍ୟା। ୩ ବର୍ଷ ହେଲା ଉକ୍ତ ସାହିକୁ ପିଏଚଡି ପକ୍ଷରୁ ଜଳ ଯୋଗାଣ ନିମନ୍ତେ ପାଇପ ପଡିଛି। ହେଲେ ଆଜି ସୁଦ୍ଧା ପାଇପ ଯୋଗେ ପାଣି ଯୋଗାଣ ହୋଇ ନଥିବାରୁ ସାହିବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ବିଭାଗୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ବହୁବାର ଜଣା ଯାଇଛି। ହେଲେ କେହି ବି ଶୁଣୁ ନାହାନ୍ତି , କି କିଛି ପଦକ୍ଷେପ ନେଉ ନାହାନ୍ତି ବୋଲି ଅଭିଯୋଗ ହୋଇଛି। ଏହାକୁ ନେଇ ଅସନ୍ତୁଷ୍ଟ ସାହିବାସିନ୍ଦା ଆଜି ବିଭାଗୀୟ କାର୍ଯ୍ୟାଳୟକୁ ଯାଇ ସମ୍ମୁଖରେ ବହୁ ସମୟ ଧରି ବସି ରହିଥିଲେ। ପରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଦାବି ପତ୍ର ଦେଇଥିଲେ। ୧୫ ଦିନ ମଧ୍ୟରେ ପାଇପ ଯୋଗେ ପାଣି ଛଡା ନ କଲେ ଆନ୍ଦୋଳନ କରାଯିବ ବୋଲି ସତର୍କ କରାଇ ଦେଇଥିଲେ। ଆସନ୍ତା ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକ୍ଷମ ହେବା ନେଇ ସବୁ ପ୍ରକାର ଉଦ୍ୟମ କରାଯିବ ବୋଲି ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ପ୍ରଶାନ୍ତ କୁମାର ଦାସ ପ୍ରତିଶ୍ରୁତି ଦେଇଥିଲେ। ସାହିବାସିନ୍ଦା ସେଠାରୁ ଆସି ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଦାବି ପତ୍ର ପ୍ରଦାନ କରିଥିଲେ। ଶେଷରେ ଫୁଲବାଣୀ ଟାଉନ ଥାନାକୁ ଯାଇ ମଧ୍ୟ ଏକ ଦାବିପତ୍ର ଦେଇଥିଲେ। ପ୍ରତିଶ୍ରୁତି ଅନୁଯାୟୀ ମାର୍ଚ୍ଚ ସୁଦ୍ଧା ପାଇପ ଯୋ‌ଗେ ପାଣି ନ ଛାଡିଲେ ଗୋପାଳସାହିର ସମସ୍ତ ବାସିନ୍ଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବାକୁ ବାଧ୍ୟ ହେବେ ବୋଲି ସାହି କମିଟି ସଭାପତି ଗୋବିନ୍ଦଚନ୍ଦ୍ର ଘଟାଲ କହିଛନ୍ତି। ଶଶ୍ମିତା ଦୀପ, ଜୟନ୍ତୀ ବେହେରା, ମମତାଜ ବେଗମ୍, ଶଶି ବେହେରା, ନନ୍ଦିନୀ ନାୟକ,ପୁଷ୍ପା ଭୋଇ, ନମିତା ଘଟାଲ, ପ୍ରମିଳା ପାତ୍ର, ସୁମିତ୍ରା ଘଟାଲ, ମଧୁସ୍ମିତା ବେହେରା, ସତ୍ୟଭାମା ଘଟାଲ, ମଂଜୁଳା ପାତ୍ର, ରୀତା ବଗର୍ତ୍ତି, ସରସ୍ବତୀ ଜାଲ, ସୁକାନ୍ତୀ ବିନ୍ଧା‌ଣୀ, ସେବତୀ ଦେହୁରୀ, ରଶ୍ମିତା ସାହୁଙ୍କ ସମେତ ସାହିର ଶତାଧିକ ପୁରୁଷ ଓ ମହିଳା ଏହି କାର୍ଯ୍ୟକ୍ରମରେ ‌ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର