କମିଛି କତିଙ୍ଗିଆ ବିନ୍‌ସ ଉତ୍ପାଦନ: ଚାଷ ଆରମ୍ଭରୁ ଦାଉ ସାଧିଥିଲା କରୋନା ଓ ଅଦିନିଆ ବର୍ଷା

ଘୁ.ଉଦୟଗିରି: ସାରା ଓଡ଼ିଶାରେ କନ୍ଧମାଳ ଜିଲ୍ଲାର ବିନ୍‌ସର ଚାହିଦା ଢେର ଅଧିକ ରହିଛି। ଜୈବିକ ପଦ୍ଧତିରେ ଏହି ଜିଲ୍ଲାରେ ବିନ୍‌ସ ଚାଷ କରାଯାଇଥାଏ। ଦେଖିବାକୁ ସୁନ୍ଦର ଏବଂ ସତେଜ ରହୁଥିବା ଏହି ବିନ୍‌ସ ସ୍ୱାଦିଷ୍ଟ ଯୋଗୁଁ ଏହାର ଚାହିଦା ରହିଛି। କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ପାହାଡ଼ ପର୍ବତ ଘେରା କତିଙ୍ଗିଆ ପଂଚାୟତର ବିଭିନ୍ନ ଗ୍ରାମରେ ଶହଶହ ଏକର ଜମିରେ ବିନ୍‌ସ ଚାଷ ବହୁଳ ଭାବେ ଚାଷ ହୋଇଥାଏ। ଆବାହନ କାଳରୁ ଜୈବିକ ଉପାୟରେ ନିଜ ଜମିରେ ବିନ୍‌ସ ଚାଷ କରି ବେଶ ଭଲ ରୋଜଗାର କରିଥାନ୍ତି। ବର୍ଷରେ ଦୁଇ ଥର ବିନ୍‌ସ ଚାଷ ହୋଇଥାଏ। ଶହଶହ ଏକର ଜମିରେ କେବଳ ବିନ୍‌ସ ଚାଷ ହୁଏ। ନିଜ ଉତ୍ପାଦିତ ବିନ୍‌ସକୁ ଚାଷୀ ମାନେ ସ୍ଥାନୀୟ ଅଂଚକରେ ବିକ୍ରି କରିବା ସହ ଭୁବନେଶ୍ୱର, କଟକ, ନୟାଗଡ଼, ବ୍ରହ୍ମପୁର, ହିଂଜିଳିକାଟୁ, ଆସ୍କା ଓ ଭଞ୍ଜନଗର ପ୍ରଭୃତି ଅଞ୍ଚଳକୁ ପଠେଇଥାନ୍ତି। ବାହାର ଜିଲ୍ଲାର ବହୁ ବ୍ୟବସାୟୀ ଗାଡି ଧରି ଆସି ବିନ୍‌ସ କିଣି ନେଇଥାନ୍ତି।

ହେଲେ ଚଳିତ ବର୍ଷ ମାର୍ଚ୍ଚ ମଧ୍ୟ ଭାଗରୁ କରୋନା କଟକଣା ସାଙ୍ଗକୁ ଅନିୟମିତ ବର୍ଷା କତିଙ୍ଗିଆ ପଂଚାୟତରେ ବିନ୍‌ସ ଫସଲ ଆଦୟରେ ପ୍ରଭାବିତ ହୋଇଛି। ବିଗତ ବର୍ଷ ମାନଙ୍କରେ ଯେଉଁ ପରିମାଣରେ ବିନ୍‌ସ ଆଦାୟ ହେଉଥିଲା ଚଳିତ ବର୍ଷ ତାର ପଚାଶ ପ୍ରତିଶତ ଆଦାୟ ହୋଇନି। ଚାଷୀ ନିଜ ପରିଶ୍ରମର ମୂଲ୍ୟ ବି ପାଇପାରିନି। ବର୍ତ୍ତମାନ ବିନ୍‌ସର ମୂଲ୍ୟ ବଜାରରେ ୫୦ଟଙ୍କା ରହିଥିବା ବେଳେ ଚାଷୀଙ୍କ ଜମିରେ ଉତ୍ପାଦନ କମିଯାଇଛି। ଜମିରେ ହଳ କରିବା ଠାରୁ ଆରମ୍ଭ କରି ବିନ୍‌ସ ଆଦାୟ ପର୍ଯ୍ୟନ୍ତ ଅନିୟମିତ ବର୍ଷା ସବୁ ଉଜାଡ଼ି ଦେଇଛି। ବିନ୍‌ସ ଚାଷରେ ଚାଷୀଙ୍କୁ ବହୁତ ପରିଶ୍ରମ କରିବାକୁ ପଡିଥାଏ।ହଳ କରିବା,ହୁଡା କରିବା, ମଞ୍ଜି ଲଗେଇବା ଜଙ୍ଗଲକୁ ଯାଇ ରଞ୍ଜା ଆଣି ଗଛ ମୂଳେ ପୋତିବା, ଖଟଦେବା ଭଳି ହାଡ଼ଭଙ୍ଗା ପରିଶ୍ରମ ପରେ ଚାଷୀଙ୍କୁ ନିଜ ପରିଶ୍ରମର ଉଚିତ ମୂଲ୍ୟ ମିଳିଥାଏ। କିନ୍ତୁ ଚଳିତ ବର୍ଷ ସବୁ ଓଲଟ ପାଲଟ କରିଦେଇଛି ଅଦିନିଆ ମେଘ ପବନ ବର୍ଷା। କତିଙ୍ଗିଆ ପଂଚାୟତର ବୁଡେଡିପଡା, ଋଷିଗୁଡା, ଟିଆଙ୍ଗିଆ ଓ କତିଙ୍ଗିଆଭଳି ଗାଁ ମାନଙ୍କରେ ଶହଶହ ଏକ ଜମିରେ ବିନ୍‌ସ ଚାଷ କରି ନିଜ ପରିବାର ପ୍ରତିପୋଷଣ କରୁଥିବା ବେଳେ ଚଳିତ ବର୍ଷ ଏହି ଚାଷ ପ୍ରଭାବିତ ହେବା ଯୋଗୁଁ ଚାଷୀମାନଙ୍କ ମୁଣ୍ଡରେ ଚଡକ ପଡିଛି। ବଜାରରେ ବିନ୍‌ସ ଦର ଭଲ ରହିଛି ହେଲେ ଆଦାୟ କମିଯାଇଛି ଫଳରେ ଚାଷୀ ଏକ ପ୍ରକାରର ଲାଭରୁ ବଞ୍ଚିତ ହୋଇଛନ୍ତି।

ସମ୍ବନ୍ଧିତ ଖବର