ଦୋକାନ ଗୃହ ଲିଜ୍ ନବୀକରଣ ପାଇଁ ୧୫ ହଜାର ଲାଞ୍ଚ:ପଡ଼ିଲେ ବାଲିଗୁଡ଼ା ଏଆରସିଏସ୍‌ ସମ୍ପାଦକ

ଫୁଲବାଣୀ: ଦୋକାନ ଗୃହ ନବୀକରଣ ନିମନ୍ତେ ଜଣେ ଦୋକାନୀଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନସ ଜାଲରେ ପଡିଛନ୍ତି ବାଲିଗୁଡା ଆଞ୍ଚଳିକ ସମବାୟ ସମିତିର ସମ୍ପାଦକ ସିତେଶ ର˚ଜନ ଦାସ। ଲାଞ୍ଚ ଟଙ୍କା ଭିଜିଲାନସ ଟିମ୍‌ ଜବତ କରିବା ସହ ଶ୍ରୀ ଦାସଙ୍କୁ ଗିରଫ କରିଛି।

ରାଇକିଆ ବଜାରରେ ବିଭାଗର କେତେକ ଦୋକାନ ଗୃହ ରହିଛି। ଏହି ସବୁ ଦୋକାନ ଦୋକାନୀଙ୍କୁ ବର୍ଷିକିଆ ଲିଜରେ ଆବଣ୍ଟନ କରାଯାଇଛି। ବର୍ଷକୁବର୍ଷ ଏହାର ନବୀକରଣ ହେବାର ନିୟମ ଥିବା ବେଳେ ୨ଟି ଦୋକାନ ନେଇଥିବା ବସନ୍ତ କୁମାର ବେହେରା ଲିଜ୍ ନବୀକରଣ ପାଇଁ ଶ୍ରୀ ଦାସଙ୍କୁ କହିଥିଲେ। ଏଥିପାଇଁ, ଶ୍ରୀ ଦାସ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏତେ ଟଙ୍କା ଦେଇ ହେବ ନାହିଁ ବୋଲି ଶ୍ରୀ ବେହେରା କହିବାରୁ ନବୀକରଣ ହୋଇ ପାରିବ ନାହିଁ। ଦୋକାନ ଖାଲି କରିବାକୁ ପଡ଼ିବ ବୋଲି କୁଆଡ଼େ ଶ୍ରୀ ଦାସ କହିଥିଲେ। ଶେଷରେ ବୁଝାମଣା ହୋଇ ୧୫ ହଜାର ଟଙ୍କା ଦେବାକୁ ଛିଡ଼ିଥିଲା। ଏ ନେଇ ଶ୍ରୀ ବେହେରା ଫୁଲବାଣୀ ଭିଜିଲାନସ ବିଭାଗକୁ ଜଣାଇଥିଲେ।

ଯୋଜନା ମୁତାବକ ଆଜି ରାଇକିଆ ସ୍ଥିତ ବିଭାଗୀୟ କାର୍ଯ୍ୟାଳୟରେ ଶ୍ରୀ ଦାସଙ୍କୁ ଶ୍ରୀ ବେହେରା ୧୫ ହଜାର ଟଙ୍କା ଦେଇଥିଲେ। ପୂର୍ବରୁ ସେଠାରେ ସଜାଗ ରହିଥିବା ଫୁଲବାଣୀ ଭିଜିଲାନସ ଡିଏସପି ରବିକାନ୍ତ ସୁନା ଓ ଇନସପେକ୍ଟର ପୁଲସ୍ତି ଛତ୍ରିଆ ଚଢାଉ କରି ୧୫ ହଜାର ଟଙ୍କା ଜବତ କରିବା ସହ ଶ୍ରୀ ଦାସଙ୍କୁ ଗିରଫ କରି ବିଭାଗୀୟ କାର୍ଯ୍ୟାଳୟକୁ ଆଣିଥିଲେ। ଚଢାଉରେ ଭିଜିଲାନସ ବିଭାଗ କର୍ମଚାରୀ ମନୋଜ କୁମାର ନାୟକ, ଦିଲ୍ଲୀପ କୁମାର ପ୍ରଧାନ ଓ ରାମଚନ୍ଦ୍ର ସାହୁ ସାମିଲ ଥିଲେ।

ସମ୍ବନ୍ଧିତ ଖବର