ଘୁ. ଉଦୟଗିରି: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣ ମାନଙ୍କ ଗମନାଗମନର ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପ୍ରଣୟନ କରି ପ୍ରତିବର୍ଷ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀ ଏବଂ ଠିକାଦାର ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହେବା ସହ ନିମ୍ନମାନର କାର୍ଯ୍ୟ ହେଉଛି । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଳକ୍ ଅନ୍ତର୍ଗତ ତଲାରିମାହା ଗ୍ରାମପଞ୍ଚାୟତରେ । ତଲାରିମାହାଠାରୁ ରେଡ଼ାସିଂ ପର୍ଯ୍ୟନ୍ତ ୬.୭୫ କି.ମି ରାସ୍ତା ନିର୍ମାଣ ପାଇଁ ୨ କୋଟି ୧୯ ଲକ୍ଷ ୮୦ ହଜାର ଟଙ୍କା ବ୍ୟୟରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ମାଧ୍ୟମରେ ରାସ୍ତା ନିର୍ମାଣ କରାଯାଇଛି । ଗତ ୨୬-୦୬-୨୦୧୮ ମସିହାରେ ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୫-୦୫-୨୦୧୯ ମସିହାରେ ଅର୍ଥାତ ୧୦ ମାସ ୨୯ ଦିନ ମଧ୍ୟରେ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ନୟାଗଡ଼ ଜିଲ୍ଲାର ଜଣେ ଠିକାଦାର ଫୁଲବାଣୀ ଗ୍ରାମ୍ୟ ଉନ୍ନୟନ ଡିଭିଜନରେ ଚୁକ୍ତି କରିଥିଲେ ।

Advertisment

କିନ୍ତୁ ଉକ୍ତ ରାସ୍ତା ନିର୍ମାଣରେ ନିୟୋଜିତ ଥିବା ଠିକା ସଂସ୍ଥା ନିର୍ଦ୍ଧାରିତ ସମୟରେ ମଧ୍ୟରେ ରାସ୍ତା ନିର୍ମାଣ କରିପାରି ନଥିଲା, ଗଟାମାହା ଗ୍ରାମ ବାସିନ୍ଦା ବାରମ୍ବାର ବିଭାଗୀୟ କର୍ତ୍ତୁପକ୍ଷଙ୍କୁ ଅବଗତ କରାଇବା ପରେ ଶେଷରେ ଉକ୍ତ ଠିକା ସଂସ୍ଥା ଗତ ୨ ବର୍ଷ ତଳେ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିଥିଲା ।  ଉକ୍ତ ରାସ୍ତାର ୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ଏବଂ ମରାମତି ପାଇଁ ୧୯ ଲକ୍ଷ ୪୨ ହଜାର ଟଙ୍କାର ବିଭାଗୀୟ ବ୍ୟୟବରାଦ ରହିଛି । କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷ ଏବଂ ଠିକା ସଂସ୍ଥା ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଉକ୍ତ ରାସ୍ତାର ବାର୍ଷିକ ମରାମତି କରାଯାଉନାହିଁ ।  ଯାହା ଦ୍ଵାରା ରାସ୍ତାର ଦୁଇ ପାର୍ଶ୍ଵରେ ଜଙ୍ଗଲର ଅନାବନା ଗଛଲତା ଗୁଡ଼ିକ ରାସ୍ତାକୁ ମାଡ଼ିଗଲାଣି ।

 ରାସ୍ତା ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଯୋଗୁଁ ବର୍ତ୍ତମାନ ରାସ୍ତାର ୫୦ ଭାଗରୁ ଉର୍ଦ୍ଧ୍ବ ଭାଗରେ ପିଚୁ ଉଠି ପଡ଼ିଲାଣି ଏବଂ ଏହା ସହିତ ରାସ୍ତାର ଅଧିକାଂଶ ଭାଗରେ ଘାସ ମାଡ଼ି ଗଲାଣି । ଯାହା ଦ୍ଵାରା ପ୍ରାୟ ସମୟରେ ଛୋଟମୋଟ ସଡ଼କ ଦୁର୍ଘଟଣା ଘଟୁଛି । ରାସ୍ତା ମରାମତି ବାବଦରେ ଗଟାମାହା ଗ୍ରାମର ରାଜେଶ କୁମାର ବଗର୍ତ୍ତୀ ବିଭାଗୀୟ କର୍ତ୍ତୁପକ୍ଷଙ୍କୁ ବାରମ୍ବାର ଅବଗତ କରାଇବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆ ଯାଇନଥିବା କହିଛନ୍ତି।, ଏହା ଏକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା କହିଲେ ଅତ୍ୟୁକ୍ତି ହେବ ନାହିଁ । ଯଦିଓ ଆଗାମୀ ଏକ ସପ୍ତାହ ମଧ୍ୟରେ ବିଭାଗ ତରଫରୁ ଉକ୍ତ ରାସ୍ତା ନିର୍ମାଣ କରା ନ ଯାଏ ତାହାହେଲେ ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କୁ ଲିଖିତ ଭାବେ ଅବଗତ କରାଇବେ ବୋଲି ରାଜେଶ ନିଜର ମତପ୍ରକାଶ କରିଛନ୍ତି ।