କନ୍ଧମାଳପ୍ରଶାସନ ଓ ପୁଲିସର ନିରବତା: ତେଜୁଛି ମଦ ବିରୋଧୀ ଅଭିଯାନ

ବାଲନ୍ଦାପଡ଼ାରେ ଏକଜୁଟ୍‌ ହେଲେ ଆଦିବାସୀ ମହିଳା ଓ ପଞ୍ଚାୟତ ଜନପ୍ରତିନିଧି 

ଫୁଲବାଣୀ,: କନ୍ଧମାଳରେ ପ୍ରଶାସନ ଓ ପୁଲିସର ନିରବତା ପାଇ ଗଂଜେଇ ଓ ଚୋରା ମଦ କାରବାର ବଢି ଚାଲିଛି। ମାଫିଆଙ୍କ ସହ କିଛି ସରକାରୀ ବାବୁ ଓ ପୁଲିସର ଭିତିିର ବୁଝାମଣା ଯୋଗୁଁ ଏହା କମିବାର ନାଁ ଧରୁନାହିଁ । ହେଲେ, ଏହାକୁ ନେଇ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମଦ ବିରୋଧୀ ଅଭିଯାନ ତେଜିବାରେ ଲାଗିଛି। ବିଶେଷତଃ ମହିଳାମାନେ ଏହାର ନେତୃତ୍ୱ ନେଉଛନ୍ତି। ଫିରିଙ୍ଗିଆ ବ୍ଳକର ମାଓ ଇଲାକା କୁହାଯାଉଥିବା ବାଲନ୍ଦାପଡା ଅଞ୍ଚଳରେ ଏକ ବିରାଟ ମଦ ବିରୋଧୀ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇ ଯାଇଛି। ନାଗରିକ ସଚେତନ ମଂଚ ଆନୁକୂଲ୍ୟରେ ଲୁଇସିଂଠାରେ ଅନୁଷ୍ଠିତ ଏହି ମଦ ବିରୋଧୀ ଅଭିଯାନ କାର୍ଯ୍ୟକ୍ରମରେ ଲୁଇସିଂ, ପାହିରାଜୁ ଓ ବାଲନ୍ଦାପଡା ପଞ୍ଚାୟତର ୫ଶହରୁ ଉର୍ଦ୍ଧ୍ୱ ମହିଳା ଯୋଗ ଦେଇଥିଲେ।

ସେମାନଙ୍କ ସହ ପଞ୍ଚାୟତ ଜନ ପ୍ରତିନିଧିମାନେ ବି ସାମିଲ ହୋଇଥିଲେ। ଦେଶୀ ଓ ବିଦେଶୀ ମଦ କାରବାର ଯୋଗୁଁ ସଂପୃକ୍ତ ଅଞ୍ଚଳରେ ଘରେ ଘରେ ଅଶାନ୍ତି ଦେଖା ଦେଉଛି। ଏହା ମହିଳା ଓ ଛୋଟ ପିଲାମାନଙ୍କ ଉପରେ କୁପ୍ରଭାବ ପକାଉଛି । ମଦ ପିଇ ଯୁବକମାନେ ବିଭିନ୍ନ ଅସମାଜିକ କାର୍ଯ୍ୟରେ ସଂପୃକ୍ତ ହେଉଛନ୍ତି। ରାଜସ୍ୱ ବୃଦ୍ଧି ନ୍ୟାୟରେ ଖୁଲମଖୁଲା ଚୋରା ମଦ କାରବାରକୁ ପ୍ରଶାସନ ଓ ପୁଲିସ ପ୍ରଶୟ ଦେଉଛନ୍ତି। ଏହାକୁ ଦୃଢ ବିରୋଧ କରାଯିବା ସହ ପ୍ରତି ଘରର ଲୋକଙ୍କୁ ସଚେତନ କରାଯାଉଛି। ମଦ ବିକ୍ରି ଉପରେ ଅଙ୍କୁଶ ଲଗାଯିବ। ଯଦି କେହି ମଦ ବିକ୍ରି କରେ ତାକୁ ସାବାଡ଼ କରାଯିବ। ଏଥିରେ ପ୍ରଶାସନ ଓ ପୁଲିସ ସହଯୋଗ ପରିବର୍ତ୍ତେ ଅସହଯୋଗ କଲେ ପରିସ୍ଥିତି ଭୟାବହ ହେବ ବୋଲି ମଦ ବିରୋଧୀ ମହିଳାମାନେ କାର୍ଯ୍ୟକ୍ରମରେ ସତର୍କ କରାଇ ଦେଇଥିଲେ। ପାହିରାଜୁ ପଞ୍ଚାୟତ ସମିତି ସଭ୍ୟ ତଥା ସ୍ଥାନୀୟ ଅଞ୍ଚଳର ସମାଜସେବୀ ସୁଦର୍ଶନ କହଁର, ବେନାରି କହଁର ଓ ମଦ ବିରୋଧୀ ମହିଳା ମହାସଂଘର ସଭାନେତ୍ରୀ ଜଟଣୀ କହଁରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର