ସନ୍ଦିଗ୍ଧ ଡାକ୍ତରଖାନାରୁ ଚମ୍ପଟ ଘଟଣା : ଶ୍ବଶୁର ଘରୁ ଉଦ୍ଧାର, ଲକ୍ଷଣ ନଥିବାରୁ ଛାଡ଼ିଲା ସ୍ବାସ୍ଥ୍ୟ ବିଭାଗ

ଫୁଲବାଣୀ : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚମ୍ପଟ ମାରିଥିବା କରୋନା ସନ୍ଦିଗ୍ଧ ଯୁବକଙ୍କୁ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ବାଲନ୍ଦାପଡ଼ାରେ ଥିବା ତାଙ୍କ ଶ୍ବଶୁର ଘରୁ ଉଦ୍ଧାର କରିଛନ୍ତି। ବାଲିଗୁଡ଼ା ଅଞ୍ଚଳର ସଂପୃକ୍ତ ଯୁବକ କେରଳରେ କାମ କରୁଥିଲେ। ଥଣ୍ଡା ଓ ଜ୍ବର ଲାଗି ରହିବାରୁ ସେ ନିକଟରେ ଘରକୁ ପଳାଇ ଆସିଥିଲେ। ଔଷଧ ଓ ଘରୋଇ ଚିକିତ୍ସା ପରେ ଦେହ ଭଲ ନ ହେବାରୁ ତାଙ୍କୁ କାଳେ କରୋନା ହୋଇଥିବ ବୋଲି ସେ ନିଜେ ସନ୍ଦେହ କରିଥିଲେ। ଏହାପ‌ରେ ନିଜେ ଆସି ୩ ଦିନ ପୂର୍ବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଡାକ୍ତରଙ୍କ ସ୍ବତନ୍ତ୍ର ଚିକିତ୍ସା ବ୍ୟବସ୍ଥାରେ ରହି ଚିକିତ୍ସିତ ହେଉଥିବା ଯୁବକ ଜଣକ କାହାରିକୁ ନ ଜଣାଇ ରାତିରେ କେଉଁ ଆଡେ ଚମ୍ପଟ ମାରିଥିଲେ। ଗତକାଲି ସକାଳେ ଏହା ଜଣାପଡ଼ିବା ପରେ ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଏନେଇ ଫୁଲବାଣୀ ଟାଉନ ଥାନାରେ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ଯୁବକଙ୍କୁ ଠାବ କରିବାକୁ ଉଦ୍ୟମ ଚଳାଇଥିଲା। ଯୁବକ ନିଜ ଗାଁକୁ ନ ଯାଇ ଶ୍ବୁଶୁର ଘରକୁ ଯାଇଥିବା କୌଣସି ସୂତ୍ରରୁ ଖବର ପାଇ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ତେବେ କରୋନା ଆକ୍ରାନ୍ତ ଲକ୍ଷଣ ନଥିବାରୁ ଯୁବକଙ୍କୁ ଆଜି ଛାଡ଼ି ଦିଆଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ରାଜଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର