କନ୍ଧମାଳରେ କମୁନି ଗୁଣିଗାରେଡି:ସରକାରୀ ନିର୍ଦ୍ଦେଶ ପାଳନ କରୁନାହାନ୍ତି ପ୍ରଶାସନ ଓ ପୁଲିସ

ଦୋଷ ଛଡ଼ାଇବା ନ୍ୟାୟରେ ସଚେତନତା କାର୍ଯ୍ୟକ୍ରମ

ଫୁଲବାଣୀ: ଦେଶ ସ୍ବାଧୀନ ହେଲା। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଅଗ୍ରଗତି ହେଲା। ତଥାପି ଅନ୍ଧବିଶ୍ବାସ ଭଳି ପ୍ରଥା ଏବେ ବି ଲୋକଙ୍କ ମନରୁ ଯାଇନି। ଏ ନେଇ ପ୍ରଶାସନ ଓ ପୁଲିସ ପକ୍ଷରୁ ଯେଭଳି ସଚେତନତା କାର୍ଯ୍ୟକ୍ରମ ହେବା କଥା ହେଉ ନାହିଁ। ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲାର ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳରେ ଏବେ ବି ବହୁ ମାତ୍ରାରେ ଚାଲିଛି ଗୁଣି ଗାରେଡି। ଲୋକମାନେ ଗୁଣିଗାରେଡିକୁ ବିଶ୍ବାସକୁ ନେଉଛନ୍ତି। କାହାର ଦେହ ଖରାପ ହେଲେ ତାକୁ ଡାକ୍ତରଖାନା ନେବା ବଦଳରେ ଗୁଣିଆ ପାଖକୁ ନେଉଛନ୍ତି। ଏଥିରେ ଲୋକ ମୃତ୍ୟୁର ଶିକାର ହେଉଛନ୍ତି। ଗ୍ରାମାଞ୍ଚଳରେ କାହିଁକି ଏମିତି କି ଜିଲ୍ଲା ସଦର ମହକୁମା ଫୁଲବାଣୀ ବି ଗୁଣିଗାରେଡି ଚାଲିଛି। ଏସବୁ କୁସ˚ସ୍କାର ଓ ଅନ୍ଧବିଶ୍ବାସ ପ୍ରଥାକୁ ବନ୍ଦ କରିବା ନିମନ୍ତେ ପ୍ରଶାସନ ଓ ପୁଲିସ ପକ୍ଷରୁ କୌଣସି ସଚେତନତା କାର୍ଯ୍ୟକ୍ରମ ହେଉ ନାହିଁ।
ଅଢେଇ ବର୍ଷ ପୂର୍ବେ ରାଜ୍ୟର କେତେକ ଜିଲ୍ଲାରେ ଶିଶୁଙ୍କୁ ଚେଙ୍କ ଦେବାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା। ଏହାକୁ ଗୁରୁତର ସହ ନେଇ ରାଜ୍ୟ ସରକାର ଏ ଦିଗରେ ଜନସଚେତନତା ସୃଷ୍ଟି ଉପରେ ଗୁରୁତ୍ବ ଦେଇଥିଲେ। ବିଶେଷତଃ ଦୁର୍ଗମ ଓ ଗ୍ରାମାଞ୍ଚଳରେ ଏହି ସଚେତନତା କାର୍ଯ୍ୟକ୍ରମ ନିୟମିତ ଭାବେ କରିବା ନିମନ୍ତେ ପ୍ରଶାସନ ଓ ପୁଲିସକୁ ଦାୟିତ୍ବ ଦିଆଯାଇଥିଲା। ଏ ନେଇ ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଏଥି ନିମନ୍ତେ ଅର୍ଥର ମଧୢ ବ୍ୟବସ୍ଥା ରହିଥିଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଅନ୍ୟ ଜିଲ୍ଲା ଭଳି କନ୍ଧମାଳରେ ପ୍ରଶାସନ ଓ ପୁଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କାଁଭାଁ ଉପରଠାଉରିଆ ସଚେତନତା କାର୍ଯ୍ୟକ୍ରମ ହେବା ପରେ ତାହା ବନ୍ଦ ହୋଇ ଯାଇଥିଲା। ଆଉ ସଚେତନତା କାର୍ଯ୍ୟକ୍ରମର ନାଁ ଗନ୍ଧ ନାହିଁ। ଏହି କାର୍ଯ୍ୟକ୍ରମକୁ ସତେ ଯେମିତି ପ୍ରଶାସନ ଓ ପୁଲିସ ସମ୍ପୂର୍ଣ୍ଣ ଭୁଲିଯାଇଛି। ଶିଶୁ ନିର୍ଯାତନା, ବାଲ୍ୟ ବିବାହ ରୋକିବା ଆଦି ବିିଭନ୍ନ କାର୍ଯ୍ୟକ୍ରମକୁ ଗୁରୁତ୍ବ ଦିଆଯାଉଥିବା ବେଳେ ଗୁଣିଗାରେଡି ନେଇ ସଚେତନତା କାର୍ଯ୍ୟକ୍ରମକୁ ଅଣଦେଖା କରାଯାଉଛି ବୋଲି ବିଭିନ୍ନ ମହଲରୁ ଅଭିଯୋଗ ହେଉଛି। ଏ ନେଇ ବିଭିନ୍ନ ସମୟରେ ଆସୁଥିବା ଅର୍ଥ ବାଟମାରଣା ହେଉଛି। ନାମକୁ ମାତ୍ର ଦୋଷ ଛଡା ନ୍ୟାୟରେ ସଚେତନତା କାର୍ଯ୍ୟକ୍ରମ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇ ଅର୍ଥକୁ ଚଳୁ କରି ଦିଆଯାଉଥିବା କୁହାଯାଉଛି। ଏ ନେଇ ଜିଲ୍ଲାପାଳ ଓ ଏସପି ଦୃଷ୍ଟି ଦେବା ସହ ଗୁଣିଗାରେଡି ବନ୍ଦ ନିମନ୍ତେ କନ୍ଧମାଳରେ ସଚେତନତା କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାକୁ ବିିଭନ୍ନ ମହଲରୁ ଦାବି ହୋଇଛି।

ସମ୍ବନ୍ଧିତ ଖବର