ଫୁଲବାଣୀ: ଅଗ୍ନିଶମ କର୍ମଚାରୀ ଫେଲ ମାରିଛନ୍ତି କିନ୍ତୁ ଜୀବନକୁ ବାଜି ଲାଗାଇ ନଦୀକୁ ଡେଇଁ ଭାସିଯାଉଥିବା ୨ ମହିଳାଙ୍କୁ ଉଦ୍ଧାର କରିଛନ୍ତି ୩ ଜଣ ଯୁବକ। ସାହସିକତାର ପରିଚୟ ଦେଇ ମହିଳାଙ୍କୁ ଉଦ୍ଧାର କରିଥିବା ଏହି ସାହାସୀ ଯୁବକ ହେଲେ ଫୁଲବାଣୀ ବ୍ଲକ ଆଲାମି ପଞ୍ଚାୟତ ମାର୍ଦେଜୁ ଗାଁର କେଶବ କହଁର, ସମୀର କହଁର ଓ ଶିବାନନ୍ଦ କହଁର।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ ମାର୍ଦେଜୁ ଗାଁର ସବିତା କହଁର ଓ ପଦ୍ମିନୀ କହଁର ନାମ୍ନୀ ୩ ଜଣ ମହିଳା ବିଲକୁ କାମ କରିବାକୁ ଯାଇଥିଲେ। କାମ ସାରି ଅପରାହ୍ନ ୩ଟାରେ ଗାଁ ଦେଇ ପ୍ରବାହିତ ପିଲାସାଲୁଙ୍କି ନଦୀରେ ଗାଧୋଉ ଥିଲେ। ଏହି ସମୟରେ ନଦୀରେ ବନ୍ୟା ଜଳ ଆସିଥିଲା। ପ୍ରଖର ସ୍ରୋତରେ ଭାସିଯିବା ନିଶ୍ଚିତ ଭାବି ଦୁହେଁ ବଞ୍ଚାଅ ବଞ୍ଚାଅ ବୋଲି ଡାକ ପକାଇ ଥିଲେ। ନଦୀ ଘାଟରେ ବୁଲୁଥିବା ଜଣେ ଟ୍ରାକ୍ଟର ଡ୍ରାଇଭର ଏହା ଦେଖି ଗାଁକୁ ଯାଇ ଘଟଣା ସମ୍ପର୍କରେ କହିଥିଲେ। ଅଳ୍ପ ସମୟ ମଧ୍ୟରେ ଗ୍ରାମବାସୀ ସେଠାରେ ପହଞ୍ଚିଥିଲେ। ହେଲେ କେହି ସେମାନଙ୍କୁ ଉଦ୍ଧାର କରିବାକୁ ସାହାସ କରି ପାରି ନଥିଲେ। ସାହାସୀ ଯୁବକ କେଶବ, ସମୀର ଓ ଶିବାନନ୍ଦ ହଠାତ୍ ନଦୀକୁ ଡେଇଁ ପ୍ରଥମେ ସବିତା କହଁରଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ।
ପାଣିର ସୁଅ ପ୍ରଖର ଥିବାରୁ ପଦ୍ମିନୀ କହଁରଙ୍କୁ ଉଦ୍ଧାର କରିବାକୁ ସେମାନେ ସାହସ କରି ପାରି ନଥିଲେ। ଏହା ପରେ ଅଗ୍ନିଶମକୁ ଖବର ଦିଆଯାଇଥିଲା। ଅଗ୍ନିଶମ କର୍ମଚାରୀ ସେଠାରେ ପହଞ୍ଚି ଅପରେସନ ଆରମ୍ଭ କରିଥିଲେ। ହେଲେ କିଛି ଲାଭ ମିଳି ନଥିଲା। କର୍ମଚାରୀମାନେ ବି ନଦୀ ଭିତରକୁ ଯାଇ ପଦ୍ମିନୀଙ୍କୁ ଉଦ୍ଧାର କରିବାକୁ ସାହାସ କରି ପାରି ନଥିଲେ। ଶେଷରେ କେଶବ, ସମୀର ଓ ଶିବାନନ୍ଦ ପୁଣି ନଦୀକୁ ଡେଇଁ ପଦ୍ମିନୀଙ୍କୁ ଉଦ୍ଧାର କରିଥିଲେ। ପଦ୍ମିନୀଙ୍କୁ ଉଦ୍ଧାର କରିବାକୁ ସେମାନଙ୍କୁ ୨ ଘଣ୍ଟା ସମୟ ଲାଗିଥିଲା। ନିଶ୍ଚିତ ମୃତ୍ୟୁ ମୁଖରୁ ସବିତା ଓ ପଦ୍ମିନୀଙ୍କୁ ବଞ୍ଚାଇଥିବା କେଶବ, ସମୀର ଓ ଶିବାନନ୍ଦଙ୍କ ସାହାସିକତାକୁ ସମସ୍ତେ ସାବାସ ଦେଇଥିବା ବେଳେ ବିଭିନ୍ନ ମହଲରୁ ସେମାନଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟିଛି।