ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲାର ଘୁମୁସର ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ଡୁଗୁଡ଼ିପାରି ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଅଞ୍ଚଳର ମନୋଜ ପ୍ରଧାନଙ୍କ ପୁଅ ବାପୁନ(୯) ନିଜ ଘର ପାଖରେ ଖେଳୁଥିବା ସମୟରେ ପଡ଼ି ଯାଇଥିଲେ ଏବଂ ତାଙ୍କର ହାତ ଭାଙ୍ଗି ଯାଇଥିଲା। ଫଳରେ ସଙ୍ଗେ ସଙ୍ଗେ ବାପା ଏକ ଅଟୋରେ ତାଙ୍କୁ ଘୁ.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା କରିବା ନିମନ୍ତେ ନେଇଯାଇଥିଲେ। ସେଠାରେ ଡାକ୍ତର ଦେଖିବା ପରେ ତାଙ୍କର ହାତକୁ ଏକ୍ସରେ କରିବା ନିମନ୍ତେ ଲେଖି ଦେଇଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ୍ସରେ ମେସିନ ଥିଲେ ମଧ୍ୟ ତାଙ୍କୁ ବାହାରକୁ ବେସରକାରୀ କ୍ଲିନିକରେ ଏକ୍ସରେ କରିବା ନିମନ୍ତେ ମେଡିକାଲ କର୍ତ୍ତୃପକ୍ଷ କହିଥିଲେ। ଶେଷରେ ସେ ଟଙ୍କା ଦେଇ ବାହାରେ ଏକ୍ସରେ କରିଥିଲେ। ଡାକ୍ତର ଲେଖିଥିବା ଔଷଧ ଓ ହାତରେ ଲଗାଇବା ନିମନ୍ତେ ପ୍ଲାଷ୍ଟର ଅଫ ପ୍ୟାରିସ ପ୍ଲାଷ୍ଟର ମଧ୍ୟ ବାହାର ମେଡ଼ିସିନ ଷ୍ଟୋରରୁ ଟଙ୍କା ଦେଇ କିଣିବା ନିମନ୍ତେ କହିଥିଲେ।

Advertisment

ଉପାୟ ନ ପାଇ ମନୋଜ ବାହାରୁ ଔଷଧ ଏବଂ ପ୍ଲାଷ୍ଟର ପ୍ୟାରିସ ପ୍ଲାଷ୍ଟର କିଣି ଆଣି ମେଡ଼ିକାଲରେ ପୁଅର ଭାଙ୍ଗିଥିବା ହାତକୁ ପ୍ଲାଷ୍ଟର କରିବା ନିମନ୍ତେ ସେଠାରେ କାର୍ଯ୍ୟରତ ଥିବା ଦୁଇଜଣ କର୍ମଚାରୀଙ୍କୁ କହିଥିଲେ। ପରେ  ଜଣେ ପୁରୁଷ ଓ ମହିଳା କର୍ମଚାରୀ ତାଙ୍କୁ ୫୦୦ ଟଙ୍କା ମାଗିଥିଲେ। ପାଞ୍ଚ ଶହ ଟଙ୍କା ଦେଲେ ପ୍ଲାଷ୍ଟର କରିଦେବୁ ବୋଲି କହିଥିଲେ। ମନୋଜଙ୍କ ପାଖରେ ଟଙ୍କା ନଥିବାରୁ କଣ କରିବେ କିଛି ଚିନ୍ତା କରିପାରିଲେନି।

ଗରିବ ଲୋକ। ଖଟିଲେ ଖାଇବେ। ଏତେ ଟଙ୍କା ଖର୍ଚ୍ଚ କଲେଣି, ଆହୁରି ପାଞ୍ଚ ଶହ ଟଙ୍କା କୋଉଠୁ ଆଣିବେ? ଯାହାହେଲେ ବି ପୁଅକୁ ଭଲ କରିବାକୁ ପଡ଼ିବ। ବାଧ୍ୟ ହୋଇ ନିଜର ଜଣେ ପରିଚିତ ଲୋକଙ୍କୁ ଦେଖି କାକୁତି ମିନତି ହୋଇ ଧାର ମାଗିଥିଲେ। ସେଇ ଧାର ଟଙ୍କା ଆଣି ମେଡିକାଲ କର୍ମଚାରୀଙ୍କୁ ଦେଇଥିଲେ। ତାପରେ ତାଙ୍କ ପୁଅର ଭାଙ୍ଗିଥିବା ହାତଟିକୁ ପ୍ଲାଷ୍ଟର କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

ରାଜ୍ୟ ସରକାର ଗରିବଙ୍କ ସ୍ୱାସ୍ଥ୍ୟ ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ସ୍ୱାସ୍ଥ୍ୟ କେନ୍ଦ୍ରରେ ସମସ୍ତ ପ୍ରକାର ଔଷଧ ଉପଲବ୍ଧ ରହୁଥିବା ନେଇ ପ୍ରଚାର ପ୍ରସାର ଜୋରସୋରରେ ହେଉଛି। ହେଲେ ହାତ ଭାଙ୍ଗି ଯାଇଥିଲେ ହାତରେ ପ୍ଲାଷ୍ଟର ଅଫ ପ୍ୟାରିସ ପକେଇବା ପାଉଡର ନାହିଁ। ଏହାଛଡା ଏମିତି ବହୁ ସାଧାରଣ ଔଷଧ ଲୋକଙ୍କ ପାଇଁ ଉପଲବ୍ଧ ନଥିବା ବେଳେ ସରକାରୀ ଚାକିରୀ କରି ମାସିକ ହଜାର ହଜାର ଟଙ୍କା ଦରମା ପାଇବା ସତ୍ତ୍ୱେ ସ୍ୱାସ୍ଥ୍ୟ କେନ୍ଦ୍ରରେ ହାତର ପ୍ଲାଷ୍ଟର ପକେଇବା ପାଇଁ ପାଞ୍ଚ ଶହ ଟଙ୍କା ହାତ ଗୁଞ୍ଜା ନେବା ସରକାରୀ ସ୍ୱାସ୍ଥ୍ୟ ସେବା ପ୍ରତି ଏକ ଉପହାସ। ତାହାସହ ସ୍ୱାସ୍ଥ୍ୟ କେନ୍ଦ୍ରର ବ୍ୟବସ୍ଥାକୁ ଫିୟୁଜ କଲା ଭଳି ମନେ ହେଉଛି।

87bd5a6a-8314-45f8-92b9-592150b13006

ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଏହିଭଳି ଘଟଣା ପରେ ଆମେ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡା ରତିକାନ୍ତ ସାହୁଙ୍କ ସହ ଯୋଗାଯୋଗ କରି ଘଟଣା ବିଷୟରେ ପ୍ରତିକ୍ରିୟା ନେଇଥିଲୁ। ସେ ନିଜ ପ୍ରତିକ୍ରିୟା ରେ କହିଛନ୍ତି ‘‘ମୁଁ ଏହି ବିଷୟରେ ଜାଣିନି କି ମୋ ପାଖକୁ କୌଣସି ଅଭିଯୋଗ ଆସିନି। ଆପଣଙ୍କ ଠାରୁ ଶୁଣିଲି। ମୁଁ ତଦନ୍ତ କରିବି। ଯଦି ଘଟଣା ସତ ହୋଇଥିବ। ଏହି କମରେ ଯେଉଁ କର୍ମଚାରୀ ସଂପୃକ୍ତ ଥିବେ ସେମାନଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 Health | Kandhamal