କରୋନା ଲଢ଼େଇ‌େର ମହିଳା ଯୋଦ୍ଧା : ଶଯ୍ୟାଶାୟୀ ମା’ଙ୍କୁ ଦେଖିବାକୁ ଯାଇ ପାରୁନାହାନ୍ତି ରଚିତା

୬ ମାସ ହେଲା ଘରକୁ ଯାଇନାହାନ୍ତି

ଫୁଲବାଣୀ : କରୋନା ମୁକାବିଲା ପାଇଁ ଡାକ୍ତର ଓ ପୁଲିସ ଯୋଦ୍ଧା ଭଳି ଅକ୍ଲାନ୍ତ ପରିଶ୍ରମ ଜାରି ରଖିଛନ୍ତି। ଜଟିଳ ପରିସ୍ଥିତିରେ ଦେଶପାଇଁ ସେମାନଙ୍କ ଉତ୍ସର୍ଗୀକୃତ ସେବା ସଭିଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି। ଏଭଳି ଜଣେ ମହିଳା ପୁଲିସ ଅଫିସର୍ ହେଲେ, ଫୁଲବାଣୀ ଟାଉନ୍ ଥାନାର ମହିଳା ସବ୍‌ଇନ୍ସପେକ୍ଟର ରଚିତା ମାଡ଼କାନି। ମାଲକାନଗିରିର ମୂଳବାସିନ୍ଦା ରଚିତା ୬ ମାସ ହେଲା ଘରକୁ ଯାଇ ନଥିବା ବେଳେ ପରିବାର ସଦସ୍ୟାଙ୍କୁ ଦେଖିନାହାନ୍ତି। ଯାହା କେବଳ ଫୋନ୍‌ରେ କଥା ହୋଇ ଦୁଃଖସୁଖ ବୁଝୁଛନ୍ତି। ମାର୍ଚ୍ଚରେ ଘରକୁ ଯିବାକୁ ଚାହିଁଥିଲେ। ଏଥିପାଇଁ ଉଚ୍ଚପଦସ୍ଥ ଅଧିକାରୀଙ୍କ ଅନୁମତି ବି ପାଇଥିଲେ। ହେଲେ କରୋନା ସବୁ କିଛି ଗୋଳମାଳ କରିଦେଲା। ଛୁଟି ବାତିଲ୍ ହେବା ସାଙ୍ଗକୁ ନିଜର ଦାୟିତ୍ବ ବଢ଼ିଗଲା। ଆଉ ଘରକୁ ଯିବା କଥା ଭୁଲିଗଲେ ରଚିତା। ସ୍ଥିତି ଏମିତି ହୋଇଛି ‌ଯେ, ଦୁର୍ଘଟଣା ପରେ ଶଯ୍ୟାଶାୟୀ ପାଲଟିଥିବା ମାଆଙ୍କ ପାଖକୁ ଯିବା ତ ଦୂରର କଥା, ତାଙ୍କ କଥା ବୁଝିବାକୁ ବି ସମୟ ମିଳୁନି।

ରଚିତାଙ୍କ ମାଆ ସରୋଜିନୀ ଦେବୀ କିଛି ମାସ ପୂର୍ବେ ଏକ ଦୁର୍ଘଟଣାରେ ଗୁରୁତର ହେବା ଶଯ୍ୟାଶାୟୀ ପାଲଟିଯାଇଥିଲେ। ପରିବାର କହିଲେ ଗୋଟିଏ ଭଉଣୀ ଓ ୨ଟି ଛୋଟଭାଇ। ହେଲେ କରୋନା ସମୟରେ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଲାଗି ପଡ଼ିଥିବା ରଚିତା ନା ଘରକୁ ଯାଇ ପାରୁଛନ୍ତି, ନା ମାଆଙ୍କ ‌ଭଲମନ୍ଦ କଥା ବୁଝି ପାରୁଛନ୍ତି। ପରିବାର ଓ ମାଆଙ୍କୁ ଦେଖା କରିବାକୁ ଇଛା ଥିଲେ ବି ଲୋକଙ୍କ ସୁରକ୍ଷା ତାଙ୍କ ଆଖି ସାମ୍ନାକୁ ଆସିଯାଉଛି। ଆଉ ଏଭଳି ମହାବିପତ୍ତିରେ ଲୋକଙ୍କ ଜୀବନ ରକ୍ଷାକୁ ସେ ପ୍ରାଥମିକତା ଦେବା ସହ ପରିବାରର କଥା ପରେ ବିଚାର କରିବେ ବୋଲି ରଚିତା କହିଛନ୍ତି। ନିଜର କର୍ତ୍ତବ୍ୟ ଓ ଦାୟିତ୍ବ ପ୍ରତି ବେଶ୍ ସଚେତନ ଥିବା ରଚିତା ଅନ୍ୟ ପୁଲିସ ଅଧିକାରୀ ଓ କମର୍ଚାରୀଙ୍କ ପ୍ରତି ଉଦାହରଣ। କରୋନା ମୁକାବିଲାରେ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ରଚିତାଙ୍କ ଉତ୍ସର୍ଗୀକୃତ ମନୋଭାବକୁ ଫୁଲବାଣୀ ଟାଉନ୍ ଥାନାର ଥାନାଧିକାରୀ ନରେଶ କୁମାର ସାହୁଙ୍କ ସମେତ ବିଭାଗର ପଦସ୍ଥ ଅଧିକାରୀ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର