ଦିବ୍ୟାଙ୍ଗ ଯୁବତୀ ଗର୍ଭବତୀ ଘଟଣାରେ କଙ୍ଗାରୁ କୋର୍ଟରେ ୨ ଲକ୍ଷ ୫୦ ହଜାର ଟଙ୍କା ଜରିମାନା

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କାଲିମେଳା ବ୍ଲକର ଦୁର୍ଗମ ସୁଧାକୋଣ୍ଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବିବାହିତ ବ୍ୟକ୍ତି ନିଜର ଶାରିରୀକ କ୍ଷୁଧା ମେଣ୍ଡାଇବାକୁ ଯାଇ ଜଣେ ଦିବ୍ୟାଙ୍ଗ ଯୁବତୀକୁ ବାରମ୍ବାର ଦୁଷ୍କର୍ମ କରି ତାକୁ ଗର୍ଭବତୀ କରିବା ଏବଂ କଙ୍ଗାରୁ କୋର୍ଟରେ ଏହାକୁ ସ୍ବୀକାର କରି ୨ ଲକ୍ଷ ୫୦ ହଜାର ଟଙ୍କା ଜରିମାନା ଦେବାକୁ ରାଜି ହେବା ଏବଂ ପରେ ଦିବ୍ୟାଙ୍ଗ ଯୁବତୀଙ୍କ ନବ ଜନ୍ମିତ ଶିଶୁକୁ ଏକ ଲକ୍ଷ ଟଙ୍କାରେ ବିକ୍ରି କରି ଗ୍ରାମ୍ୟକମିଟିକୁ ପ୍ରାଦନ କରିବା ଘଟଣା ସାମ୍ନାକୁ ଆସିଛି।

କାଲିମେଳା ଥାନା ଅନ୍ତର୍ଗତ ଦିବ୍ୟାଙ୍ଗ ଯୁବତୀ ତାଙ୍କ ମା’ଙ୍କ ସହ ରହୁଛନ୍ତି। ଭାଇ ମାଲା କାବାସୀ ବିବାହ କରି ଅନ୍ୟତ୍ର ରହୁଛନ୍ତି। ଝିଅ ମୁକ ଥିବାରୁ ସେ କଥା କହି ପାରୁନାହାନ୍ତି। ଏହାର ଫାଇଦା ଉଠାଇଥିଲେ ଏମଭି-୭୭ ଗ୍ରାମର କାଲୁ ନାମକ ଜଣେ ବ୍ୟକ୍ତି। କାଲୁ ବାରମ୍ବାର ଏହି ଦିବ୍ୟାଙ୍ଗ ଯୁବତୀଙ୍କ ଘରକୁ ଆସି ତାକୁ ଜବରଦସ୍ତ ଶାରିରୀକ ସମ୍ପର୍କ ରଖି ତାକୁ ଗର୍ଭବତୀ କରିଥିଲେ। ତେବେ ଏନେଇ ପରିବାର ଲୋକେ ଏବଂ ଗ୍ରାମବାସୀ ଜାଣିବା ପରେ ଗାଁରେ କଙ୍ଗାରୁ କୋର୍ଟ ବସିଥିଲା। ଯୁବତୀଙ୍କୁ ଗର୍ଭବତୀ କରିଥିବା କାଲୁ ନାମକ ବ୍ୟକ୍ତିଙ୍କୁ ଏହି ବୈଠକରେ ହାଜର କରାଇ ଏଭଳି କାହିଁକି କଲୁ ବୋଲି ପଚରା ଯାଇଥିଲା। ବ୍ୟକ୍ତି ଜଣକ ନିଜର ଭୁଲକୁ ସ୍ବୀକାର କରିବା ସହ ଏଥିପାଇଁ ସେ ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ବୋଲି କହିଥିଲେ। ତେବେ ଗ୍ରାମବାସୀ କ୍ଷତିପୂରଣ ବାବଦକୁ ୨ ଲକ୍ଷ ୫୦ ହଜାର ଟଙ୍କା ଦେବାକୁ ବାଧ୍ୟ କରିଥିଲେ। କାଲୁ ନାମକ ବ୍ୟକ୍ତି ଏହାକୁ ସ୍ବୀକାର କରିବା ସହ ୧୦ ହଜାର ଟଙ୍କା ଅଗ୍ରୀମ ଦେଇଥିଲେ। ପରେ ୨ ଲକ୍ଷ ୪୦ ହଜାର ଟଙ୍କା ଜାନୁଆରି ୨୫ ତାରିଖେ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଟଙ୍କା ଦେବାରେ ବିଳମ୍ବ କରିଥିଲେ।

ଏହି ମଧ୍ୟରେ ଚଳିତ ମାସରେ ଦିବ୍ୟାଙ୍ଗ ଯୁବତୀ ଜଣକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ତେବେ ସେହି ବ୍ୟକ୍ତି ଜଣକ ଦିବ୍ୟଙ୍ଗ ଯୁବତୀଙ୍କୁ ନେଇ କାଲିମେଳାର ଏକ ଘରୋଇ ଡାକ୍ତରଖାନାରେ ଡେଲିଭେରୀ କରାଇଥିବା ଗ୍ରାମବାସୀ କହିଥିଲେ। ତେବେ ପୁତ୍ର ସନ୍ତାନକୁ ଏକ ଲକ୍ଷ ଟଙ୍କାରେ ବିକ୍ରି କରି ସେ କମିଟିକୁ ଟଙ୍କା ଦେବେ ବୋଲି କହିଥିଲେ। ଏବେ ପୁଅଟିକୁ ୨୫ ଦିନ ହୋଇଥିବା ବେଳେ ସେହି ବ୍ୟକ୍ତି ଜଣକ ପୁଅକୁ ଅନ୍ୟତ୍ର ବିକ୍ରି କରିଦେଇଛି। ସେହି ଏକ ଲକ୍ଷ ଟଙ୍କାକୁ ଗ୍ରାମ୍ୟ କମିଟି ନିକଟରେ ପୈଠ କରିଥିବା ଜଣାପଡିଛି। ବଳକା ଟଙ୍କା ସେ ତୁରନ୍ତ ପ୍ରଦାନ କରିବ ବୋଲି କହିଛି। ତେବେ ଯୁବତୀଙ୍କୁ କିନ୍ତୁ କୌଣସି ଟଙ୍କା ମିଳିନଥିବ ପରିବାର ଲୋକେ କହନ୍ତି। ତେବେ ଏନେଇ କାଲିମେଳା ପୁଲିସ ନିକଟରେ କୌଣସି ଏତଲା ଦାୟର କରାଯାଇନଥିବାରୁ ପୁଲିସ ଏନେଇ ଅବଗତ ନଥିବା ଜଣାପଡିଛି। ତେବେ ଏନେଇ ପୁଲିସ ନିଜ ତରଫରୁ ତଦନ୍ତ କରି ବିକ୍ରି କରାଯାଇଥିବା ପିଲାଙ୍କୁ ଉଦ୍ଧାର କରିବା ସହ ଦୁଷ୍କର୍ମ କରି ଗର୍ଭବତୀ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର