ସଂସଦର ଶୂନ୍ୟକାଳରେ ଉଠିଲା କଂସାରିଗୁଡ଼ା ଶିଳ୍ପ ପ୍ରସଙ୍ଗ

କାରଖାନା ନ ହେଲେ ଖଣି ବନ୍ଦ: ସପ୍ତଗିରି

ରାୟଗଡ଼ା : କଂସାରିଗୁଡ଼ାରେ ହିଣ୍ଡାଲକୋର ରିଫାଇନେରୀ ୟୁନିଟ୍ ପ୍ରତିଷ୍ଠା ପାଇଁ ଜନଶୁଣାଣି ଶେଷ ହୋଇଛି। ଶତ ପ୍ରତିଶତ ଲୋକ ଜନଶୁଣାଣିକୁ ସମର୍ଥନ କରିବା ସହ ୧୪ ବର୍ଷ ହେଲା ଜମି ଦେଇ କାରଖାନାକୁ ଚାହିଁ ବସିଛନ୍ତି। ଇତି ମଧ୍ୟରେ ଜନଶୁଣାଣିକୁ ଦୁଇ ମାସ ବିତିଲାଣି। ଅଥଚ ରାଜ୍ୟ ସରକାର ହିଣ୍ଡାଲକୋ ସହ ଏମଓୟୁ କରୁନାହାନ୍ତି। ତୁରନ୍ତ ସରକାର ଓ କମ୍ପାନି କର୍ତ୍ତୃପକ୍ଷ ଏମଓୟୁ କରି କାରଖାନା ପ୍ରତିଷ୍ଠା ଆରମ୍ଭ କରିବା ସହ ଜମି ହରାଇଥିବା ବ୍ୟକ୍ତିଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ସଂସଦର ଶୂନ୍ୟକାଳରେ ଦାବି କରିଛନ୍ତି କୋରାପୁଟ ସାଂସଦ ଇଂ. ସପ୍ତଗିରି ଉଲାକା।

ଶ୍ରୀ ଉଲାକା କେନ୍ଦ୍ର ଶିଳ୍ପ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି କହିଛନ୍ତି, ନିଯୁକ୍ତି ଓ ଥଇଥାନ ଆଶାରେ ଚାଷୀ ଦୁଇ ଫସଲ ଜମିକୁ ସରକାର ଓ ଶିଳ୍ପ ସଂସ୍ଥା ହାତରେ ଶାଗମାଛ ଦରରେ ଟେକିଦେଲେ। ଜମି ଅଧିଗ୍ରହଣ ସମୟରେ କ୍ଷତିପୂରଣ ବାବଦକୁ ଯେଉଁ ଟଙ୍କା ମିଳିଥିଲା ତାହା କେବେଠାରୁ ସରିଗଲାଣି। ଅଧିଗ୍ରହଣ ହୋଇଥିବା ଜମିରେ ଶିଳ୍ପ ହେଉନଥିବା ବେଳେ ଚାଷ ପାଇଁ ମଧ୍ୟ ଚାଷୀଙ୍କୁ ଛଡ଼ା ଯାଉନି। ବିରାଟ ଗର୍ତରେ ଉକ୍ତ ଅଞ୍ଚଳ ପରିପୂର୍ଣ୍ଣ ହୋଇଥିବାରୁ ଜମି ବିକ୍ରି ପରେ ଚାଷୀ ଦେବାଳିଆ ହୋଇ ଘରେ ବସି ରହିଛି। କିଛି ପୁରୁଷ ପୁରୁଷର ଜମିକୁ କମ୍ପାନି ହାତରେ ଟେକି ଦେଇ ଏବେ ଦାଦନ ଶ୍ରମିକ ପାଲଟିଛନ୍ତି। ଶିଳ୍ପ ନ ହେଲେ ଜମି ଫେରାଇବାକୁ ସଂସଦରେ ପ୍ରଶ୍ନ ସହ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଘେରିବା ପରେ ଗତ ଅକ୍ଟୋବରରେ କାରଖାନା ପ୍ରତିଷ୍ଠା ପାଇଁ ଜନଶୁଣାଣି ଶେଷ ହୋଇଛି । ଅଞ୍ଚଳରବାସୀ ଜନଶୁଣାଣିକୁ ସମର୍ଥନ କରି ଶିଳ୍ପ ହେଲେ କୌଣସି ଆପତ୍ତି ନଥିବା କହିଥିଲେ। ଜନଶୁଣାଣି ପରେ ସରକାର ଏମଓୟୁ ଦିଗରେ ଦୃଷ୍ଟି ଦେଉନଥିବାରୁ କାରଖାନା ପ୍ରତିଷ୍ଠା ଆରମ୍ଭ ହୋଇପାରୁନି। ଶିଳ୍ପ ପ୍ରତିଷ୍ଠା ଦିଗରେ ତୁରନ୍ତ ପଦକ୍ଷେପ ନ ନେଲେ ଖଣି ଖନନ ବନ୍ଦ ସହ ଆନ୍ଦୋଳନକୁ ଜୋରଦାର୍ କରାଯିବ ବୋଲି ସପ୍ତଗିରି କହିଛନ୍ତି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଲୋକଙ୍କୁ ଭୂଆଁ ବୁଲାଇ ଭୋଟ ହାତେଇବାକୁ ସରକାର ଜନଶୁଣାଣିକୁ ଅସ୍ତ୍ର କରିଛନ୍ତି ବୋଲି ଅଭି‌ଯୋଗ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା । କାରଖାନା ନ ହେଲେ ରାୟଗଡ଼ା ଜିଲ୍ଲା ବନ୍ଦ ଡାକରା ଦେବାକୁ ଶ୍ରୀ ପଣ୍ଡା ଚେତାବନୀ ଦେଇଛନ୍ତି ।

କଂସାରୀଗୁଡ଼ାରେ ବାର୍ଷିକ ୧.୫ ଲକ୍ଷ ମିଲିୟନ୍ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ କମ୍ପାନି ପ୍ରତିଷ୍ଠା ପାଇଁ କୋରାପୁଟ ଓ ରାୟଗଡ଼ା ଜିଲ୍ଲାରୁ ୧୮୮୬.୨୨ ଏକର ସରକାରୀ ଓ ବେସରକାରୀ ଜମି ଅଧିଗ୍ରହଣ ହୋଇଛି। ସେଥି ମଧ୍ୟରୁ ୧୩୮୫.୩୯ ଏକର ଜମି କମ୍ପାନି ପ୍ରତିଷ୍ଠା ଲାଗି ହିଣ୍ଡାଲକୋ ନେଇଛି। ୨୦୦୫ ମସିହାରେ କମ୍ପାନି ପ୍ରତିଷ୍ଠା ପାଇଁ ହିଣ୍ଡାଲକୋ ଓଡ଼ିଶା ସରକାରଙ୍କ ସହ ଏମଓୟୁ କରିଥିଲା। ୨୦୧୫ ପର୍ଯ୍ୟନ୍ତ କମ୍ପାନି ନିର୍ମାଣ ଆରମ୍ଭ ନ ହେବାରୁ ୨୦୧୭ ପର୍ଯ୍ୟନ୍ତ ଏମଓୟୁ ଅବଧିକୁ ବଢ଼ାଇଥିଲେ ରାଜ୍ୟ ସରକାର। ୨୦୨୧ ଅକ୍ଟୋବର ୫ ତାରିଖରେ ‌ବାର୍ଷିକ ୩ ଲକ୍ଷ ମିଲିୟନ୍ ଟନ୍ ବକ୍ସାଇଟ୍ ଓ ୧୫୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ପାଇଁ ଜନଶୁଣାଣି ହୋଇଥିଲା। ହେଲେ ଆଜି ସୁଦ୍ଧା କମ୍ପାନି ନିର୍ମାଣ ଆରମ୍ଭ ହୋଇପାରୁନି ।

 

ସମ୍ବନ୍ଧିତ ଖବର