ଜିଲ୍ଲାସ୍ତରୀୟ ଜାତୀୟ କନ୍ୟାରତ୍ନ ଦିବସ ପାଳିତ

ଖୋର୍ଦ୍ଧା : ଜିଲ୍ଲାସ୍ତରୀୟ ଜାତୀୟ କନ୍ୟାରତ୍ନ ଦିବସ ଆଜି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ ଉପସ୍ଥିତ ଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ । ଭାରତୀୟ ସଂସ୍କୃତିରେ କନ୍ୟାଙ୍କୁ ଦେବୀ ରୂପେ ପୂଜା କରାଯାଏ ଓ ତାଙ୍କର ସମ୍ମାନ କରାଯାଏ । କନ୍ୟାମାନେ ଦେଶର ଭବିଷ୍ୟତର ସୃଷ୍ଟିକାରିଣୀ, ସେମାନଙ୍କ ସୁରକ୍ଷା ସମସ୍ତଙ୍କ ପାଇଁ ଜରୁରୀ ବୋଲି ଅତିଥିମାନେ ନିଜ ବକ୍ତବ୍ୟରେ ମତ ଦେଇଥିଲେ । ଶିଶୁ ସୁରକ୍ଷା ୟୁନିଟ୍ ଅଧିକାରୀ ଶ୍ରୀମତି ପଟ୍ଟନାୟକ ଜିଲ୍ଲାରେ ୟୁନିଟ୍ ପକ୍ଷରୁ କନ୍ୟା ସନ୍ତାନଙ୍କ ସୁରକ୍ଷା ପାଇଁ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ୧୦ଜଣ ଝିଅ ଯେଉଁମାନେ ଆତ୍ମନିର୍ଭରଶୀଳ ହୋଇଛନ୍ତି ସେମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା ।

ସମ୍ବନ୍ଧିତ ଖବର