ସିଙ୍ଗଡ଼ା: ୧୨ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ କରଞ୍ଜିଆ ତହସିଲଦାର ଚାର୍ଲସ ନାୟକଙ୍କ ବିରୋଧରେ ଆପାତତଃ ପ୍ରମାଣ ମିଳିବା ପରେ ଆଜି ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଶ୍ରୀ ନାୟକଙ୍କ ବିରୋଧରେ ବାରିପଦା ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ୭/୧୨ ପିସି ଆମେଣ୍ଡମେଣ୍ଟ ଆକ୍ଟ ୨୦୧୮, କେସ୍ ନମ୍ବର ୫/୨୩ରେ ମାମଲା ରୁଜୁ କରାଯାଇଛି। କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ଶ୍ରୀ ନାୟକଙ୍କୁ ଜୁନ୍ ୯ ତାରିଖ ଯାଏ ନ୍ୟାୟିକ ହାଜତକୁ ପଠାଯାଇଛି। ଗତକାଲି ମୟୂରଭଞ୍ଜ, କଟକ ଓ ଭୁବନେଶ୍ୱର ଭିଜିଲାନ୍ସର ୪ଟି ଟିମ୍ ତହସିଲଦାରଙ୍କ ସରକାରୀ ବାସଭବନ, କରଞ୍ଜିଆ ତହସିଲ କାର୍ଯ୍ୟାଳୟ, ଭଦ୍ରକ ଜିଲ୍ଲା ହସ୍ପିଟାଲ ନିକଟ ନୂଆବଜାରସ୍ଥିତ ପୈତୃକ ଘର ଓ କରଞ୍ଜିଆ ଚଢ଼େଇଭୋଳଠାରେ ଥିବା ଏକ ଘରେ ଚଢ଼ଉ କରିଥିଲା।
ଯାଞ୍ଚ ବେଳେ ଶ୍ରୀ ନାୟକଙ୍କର ଭଦ୍ରକ ନୂଆବଜାରଠାରେ ୭୧ ଲକ୍ଷ ଟଙ୍କାର ଏକ ତିନିମହଲା ଘର, ୧୨.୩୭ ଲକ୍ଷ ଟଙ୍କାର ଗୋଟିଏ ଚାରଚକିଆ ଯାନ (ହୁଣ୍ଡାଇ କ୍ରେଟା କାର୍), ଗୋଟିଏ ଦୁଇଚକିଆ ଯାନ, ସୁନା ଅଳଙ୍କାର, ଦାମୀ ଘରୋଇ ଉପକରଣ ଆଦି ଠାବ କରାଯାଇଛି। ଏଥିସହିତ ୧ କୋଟି ୨୫ ଲକ୍ଷ ଟଙ୍କାର ବ୍ୟାଙ୍କ, ପୋଷ୍ଟାଲ ଓ ବୀମା ଜମା ସଂକ୍ରାନ୍ତୀୟ କାଗଜପତ୍ର ଜବତ କରି ଏହି ଅର୍ଥର ଉତ୍ସ ସଂପର୍କରେ ତଦନ୍ତ ଜାରି ରଖିଛି ଭିଜିଲାନ୍ସ। ପ୍ରକାଶଥାଉକି, ୨୦୧୦ ମସିହାରେ ଓଡ଼ିଶା ରାଜସ୍ବ ସେବା (ଓଆର୍ଏସ୍) ଅଧିକାରୀ ଭାବେ ଯୋଗଦାନ କରିଥିବା ଶ୍ରୀ ନାୟକ ୨୦୧୫ ମସିହାରେ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍)କୁ ପଦୋନ୍ନତି ପାଇଥିଲେ।