ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ନିକଟବର୍ତ୍ତୀ ମା’ କରେଇଶୁଣୀ ପୀଠ। ସହରଠୁ ମାତ୍ର ୫ କିଲୋମିଟର ଦୂରରେ ଅବସ୍ଥିତ ଏହି ପୀଠ ଗତ କିଛି ବର୍ଷ ହେଲା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ସହ ପିକ୍ନିକ୍ ସ୍ପଟ୍ ଭାବେ ପରିଚୟ ତିଆରି କରିଛି। ଋଷିକୂଲ୍ୟା ନଦୀ ନିକଟରେ ଥିବା ଏହି ପୀଠକୁ ଶୀତଦିନରେ ଭକ୍ତ ଓ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ଏଠାକାର ବାଉଁଶ ବଣ, ହରିଣପଲ ଓ ସବୁଜିମା ପରିବେଶ ସମସ୍ତଙ୍କୁ ଆକୃଷ୍ଟ କରିଥାଏ। କିମ୍ବଦନ୍ତୀ ଅନୁସାରେ,୨୫୦ ବର୍ଷ ତଳେ ଉକ୍ତ ସ୍ଥାନରେ ଆଦିବାସୀ ମାନେ ବସବାସ କରୁଥିଲେ। ସେବେଠାରୁ ମା’ଙ୍କ ପୂଜାର୍ଚ୍ଚନା ଜାରି ରହିଛି। ସମୟଚକ୍ରରେ ସେମାନଙ୍କ ସଭ୍ୟତା ଲୋପ ପାଇଥିଲା।
୧୯୭୨ରେ ବନ୍ୟା ବେଳେ ମା’ଙ୍କ ନିକଟରେ ଥିବା ଏକ ବୃକ୍ଷ ଭାସି ପ୍ରାୟ ୨ କିଲୋମିଟର ଦୂରରେ ଅଟକି ରହିଲା। ମା’ଙ୍କ ଶୂନ୍ୟବାଣୀ ଆଦେଶରେ ଉକ୍ତ ବୃକ୍ଷ ପୁଣି ମା’ଙ୍କ ନିକଟରେ ଆସି ଛିଡ଼ା ହେଲା। ଭକ୍ତିର ସହକାରେ ମା’ଙ୍କୁ ଡାକିଲେ ସେ ସବୁ ଦୁଃଖ ଶୁଣନ୍ତି। ଆଉ ସବୁ ମନସ୍କାମନା ପୂରଣ ହୁଏ। ଏହାସହ ଝିଅଟିଏ ବାହା ହୋଇ ଶାଶୁଘରକୁ ଯିବା ବେଳେ ଏଠାରେ ଦାନ ଓ ପୂଜାର୍ଚ୍ଚନା କରି ଗଲେ ତା’ର ମଙ୍ଗଳ ହୁଏ ବୋଲି ଏବେବି ବିଶ୍ବାସ ରହିଛି। ଚୈତ୍ର ମଙ୍ଗଳବାର ଯାତ୍ରା ଏକ ପ୍ରମୁଖ ପର୍ବ।
ପଣା ସଂକ୍ରାନ୍ତିରେ ପୀଠ ଚଳଚଞ୍ଚଳ ହୋଇ ଉଠେ। କିଛି ବର୍ଷ ମଧ୍ୟରେ ପୀଠରେ ଭିତ୍ତିଭୂମିର ବିକାଶ ହୋଇଛି। ଗମନାଗମନ ପାଇଁ ସରକାରଙ୍କ ତରଫରୁ ଗୋଟିଏ ବସ୍ ବ୍ୟବସ୍ଥା କରାଯାଇଥିଲେ ଅଧିକ ଭକ୍ତଙ୍କ ସମାଗମ ହୁଅନ୍ତା ବୋଲି କମିଟି ସମ୍ପାଦକ ସୀମାଞ୍ଚଳ ମହାରଣା କହିଛନ୍ତି। ହିଞ୍ଜିଳିକାଟୁ ବ୍ଲକ ପ୍ରଶାସନ ସବୁ ସମୟରେ ଆର୍ଥିକ ସହାୟତା ଯୋଗାଇଆସିଥିବା ସଭାପତି ଅଭିମନ୍ୟୁ ସାହୁ କହିଛନ୍ତି। ତେବେ ଏହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ଶ୍ରଦ୍ଧାଳୁ ନିବେଦନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/IMG-20210119-WA0101.jpg)