ଚୀନ ଫେରନ୍ତା ଡାକ୍ତରୀ ଛାତ୍ରଙ୍କୁ ରକ୍ତ ପରୀକ୍ଷା ପାଇଁ କନ୍ଧମାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ କଟକ ଏସ୍‌ସିବି ସ୍ଥାନାନ୍ତର

ଫୁଲବାଣୀ: ଚୀନ ଫେରନ୍ତା ଡାକ୍ତରୀ ଛାତ୍ର ମୃତ୍ୟୁଞ୍ଜୟ ମୁନି(୨୨) କରୋନା ଭାଇରସ ସନ୍ଦେହରେ ରକ୍ତ ପରୀକ୍ଷା ପାଇଁ କନ୍ଧମାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ଆଜି କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ୍‌ ସ୍ଥାନାନ୍ତର ହୋଇଛନ୍ତି। ତାଙ୍କୁ ଆଜି ରାତି ସାଢ଼େ ୮ଟାରେ କନ୍ଧମାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ୧୦୮ ଆମ୍ବୁଲାନ୍ସରେ କଟକ ନିଆଯାଇଛି। ଏହି ଆମ୍ବୁଲାନ୍ସଟି ରାତି ପ୍ରାୟ ୨ଟାରେ ଏସ୍‌ସିବିରେ ପହଞ୍ଚିବା ପରେ ରକ୍ତ ପରୀକ୍ଷା ହେବ। ଆମ୍ବୁଲାନ୍ସରେ ମେଡିକାଲ ଷ୍ଟାଫ ଓ ସଦିଗ୍ଧଙ୍କ ପିତା ଅଛନ୍ତି।

ସୂଚନା ଅନୁସାରେ କନ୍ଧମାଳର ମୃତ୍ୟୁଞ୍ଜୟ ଚୀନର ସିଚୁଆନ୍‌ ରାଜ୍ୟର ଲୁଜୁ ସହରରେ ଥିବା ସାଉଥ ୱେଷ୍ଟ ମେଡିକାଲ ୟୁନିଭରସିଟିରେ ଏମବିବିଏସ୍‌ ପାଠ ପଢୁଥିଲେ। ହେଲେ ସେ ଗତ ୧୧ ତାରିଖରେ ଘରକୁ ଆସିଥିଲେ। ସେ ଘରକୁ ଆସିବାର ୪ ଦିନ ପରେ ଅର୍ଥାତ ଗତ ୧୫ ତାରିଖ ପରେ ଚୀନରେ କରୋନା ଭାଇରସ ଜଣାପଡ଼ିଥିଲା। କିନ୍ତୁ ଲୁଜୁ ଠାରୁ ଉହାନ ପ୍ରାୟ ୭୨୦ କିଲୋମିଟର ଦୂରରେ ଥିବାରୁ କନ୍ଧମାଳ ମୃତ୍ୟୁଞ୍ଜୟ କରେନା ଭାଇରସ୍‌ ଆକ୍ରାନ୍ତ ନଥିବେ ବୋଲି ଅଧିକ ଆଶା କରାଯାଉଛି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୨-୩ ଦିନ ହେଲା ମୃତ୍ୟୁଞ୍ଜୟଙ୍କୁ ଥଣ୍ଡା ଓ କାଶ ହୋଇଛି। ଔଷଧ ଖାଇଲେ ବି ସୁସ୍ଥ ନ ହେବାରୁ ସେ ନିଜେ ସନ୍ଦେହ କରି ରକ୍ତ ପରୀକ୍ଷା କରିବାକୁ ଅନୁରୋଧ କରିଛନ୍ତି। ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ରାଜଶ୍ରୀ ପଟ୍ଟନାୟକ କହିଛନ୍ତି, ଛାତ୍ର ଜଣକ କରୋନା ଭାଇରସ ଆକ୍ରାନ୍ତ ବୋଲି କୁହାଯାଇ ପାରିବ ନାହିଁ। ଏଠାରେ ପରୀକ୍ଷା ହେବାର ସୁବିଧା ନଥିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ପଠାଯାଇଛି।

ସମ୍ବନ୍ଧିତ ଖବର