ବୋଇତବନ୍ଦାଣ ଉତ୍ସବରେ ଶୁଣାଯିବନି ହୁଳହୁଳି ସହ ଆକାମାବୈ 

ଖୋର୍ଦ୍ଧା: ଆଉ ୨ ଦିନ ପରେ କାର୍ତ୍ତିକ ପୂର୍ଣ୍ଣମୀ । ଓଡ଼ିଶାର କାହିଁ କେଉଁ କାଳରୁ ଚାଲିଆସିଥିବା ବୋଇତବନ୍ଦାଣ ଉତ୍ସବ ପାଳିତ ହୋଇ ଆସୁଛି। ମାଣିକଗଡ଼, ଚିଲିକା ଭଳି ପୁରାତନ ବନ୍ଦରର ଦୃଷ୍ଟିରୁ ପାରମ୍ପରିକ ଭାବେ ଖୋର୍ଦ୍ଧାରେ ବୋଇତବନ୍ଦାଣ ଉତ୍ସବର ମହତ୍ତ୍ବ ରହିଆସିଛି । କିନ୍ତୁ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଆଉ ପୋଖରୀ, ନଦୀରେ ଆକାମାବୈ ଶୁଣାଯିବନି କି ହୁଳହୁଳି ସହ ବୋଇତ ଭସାଯିବ ନାହିଁ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଉପଖଣ୍ଡରେ କାର୍ତ୍ତିକ ପୂର୍ଣ୍ଣମୀ, ବଡ଼ ଓଷା ଓ ଅନ୍ୟ ଧାର୍ମିକ ପରମ୍ପରା କାର୍ଯ୍ୟ ପାଳିତ ହେବନାହିଁ । ଏଥିପାଇଁ ଉପଖଣ୍ଡ ମାଜିଷ୍ଟ୍ରେଟ (ଉପଜିଲ୍ଲାପାଳ)ଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ନଦୀ ଘାଟ, ପୋଖରୀ ହୁଡ଼ା ଆଦିରେ ବୋଇତ ଭସାଇବା, ମନ୍ଦିର ଓ ଦେବାଳୟରେ ପୂଜାର୍ଚ୍ଚନା ଉପରେ କଟକଣା ଜାରି କରାଯାଇଛି । ଏନେଇ ସମସ୍ତ ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି । ଏହି ପ୍ରାଶାସନିକ ନିର୍ଦେଶ ଭାଙ୍ଗିଲେ ଆଇନଅନୁସାରେ କଡ଼ାପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ମାଇକ ଯୋଗେ ଜନସାଧାରଣଙ୍କୁ ସତର୍କ କରିଦିଆଯାଇଛି ।

ଏପରିସ୍ଥଳେ କରୋନା କଟକଣା କୋହଳ ହେବା ପରେ ବୋଇତବନ୍ଦାଣ, ବଡ଼ ଓଷାକୁ ଅନୁମତି ମିଳିବ ବୋଲି ଶ୍ରଦ୍ଧାଳୁ ଓ ବ୍ୟବସାୟୀମାନେ ଆଶା ବାନ୍ଧିଥିଲେ । ଧୀମେଇ ଯାଇଥିବା ବ୍ୟବସାୟ ଏହି ସମୟରେ ବୋଇତ, ପୂଜା ସାମଗ୍ରୀ ଆଦି ବିକ୍ରିରେ ଦୁଇ ପଇସା ଆୟ କରିବେ ବୋଲି ଭରସା କରିଥିଲେ । କିନ୍ତୁ ପ୍ରଶାସନର ନିର୍ଦେଶ ପରେ ସେମାନଙ୍କ ସମସ୍ତ ଆଶା ଓ ଭରସାରେ ପାଣି ଫାଟିଯାଇଛି । ପାରମ୍ପରିକ ଭାବେ ବୋଇତ ପ୍ରସ୍ତୁତ କରି ବିକ୍ରି କରୁଥିବା ବ୍ୟବସାୟୀ ଓ କଳାକାର ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

ଖୋର୍ଦ୍ଧାରେ କାର୍ତ୍ତିକ ପୂର୍ଣ୍ଣିମୀ ଓ ବଡ଼ ଓଷାର ଦୁଇ ତିନି ପୂର୍ବରୁ ସମଗ୍ର ବଜାରରେ ଭଳିକି ଭଳି ବୋଇତ, କାଗଜ ତିଆରି ଡଙ୍ଗା ଆଦି ବିକ୍ରି ହେଉଥିବା ଦେଖିବାକୁ ମିଳୁଥିଲା । କିନ୍ତୁ ଚଳିତ ବର୍ଷ ଏହା ଫିକା ପଡ଼ିଯାଇଛି । ଯେଉଁମାନେ ଗତ ୧୫-୨୦ ଦିନ ଧରି ଘରେ ଅନେକ କଷ୍ଟ କରି ଡଙ୍ଗା ପ୍ରସ୍ତୁତ କରିଥିଲେ ବୋଇତ ବନ୍ଦାଣ ବନ୍ଦ ହୋଇଯିବା ଯୋଗୁଁ ନିଜର ସାମଗ୍ରୀପାଇଁ ଧାରଉଧାର କରି ବିନିଯୋଗ କରିଥିବା ଅର୍ଥ ଫେରିପାଇପାରିବେ ନାହିଁ ।

ଖୋର୍ଦ୍ଧା ମୁଖ୍ୟ ବଜାରରେ ଗତ ୩୫ ବର୍ଷ ଧରି ପୂଜା ସାମଗ୍ରୀ ଓ ବୋଇତ ପ୍ରସ୍ତୁତ କରି ବିକ୍ରି କରୁଥିବା ରବିନାରାୟଣ ପ୍ରଧାନ କହିଛନ୍ତି ଯେ ଗତ ବର୍ଷ କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ସେ ୫ହଜାର ବୋଇତ, କାଗଜ ଡଙ୍ଗା ବିକ୍ରି କରିଥିଲେ । କିନ୍ତୁ ଚଳିତ ବର୍ଷ ବର୍ତମାନ ସୁଦ୍ଧା ମାତ୍ର ୨୫ଟି ବୋଇତ ବିକ୍ରି କରିଛନ୍ତି ।

ସେହିଭଳି ଅନ୍ୟଜଣେ ବ୍ୟବସାୟୀ ଚଳିତ ବର୍ଷ ପ୍ରଥମ ଥର ପାଇଁ ଦୁଇ ପଇସା ରୋଜଗାର କରିବାକୁ ଘରେ ବୋଇତ ତିଆରି କରି ବିକ୍ରି କରିବାକୁ ବଜାରକୁ ଆସିଛନ୍ତି । ସେ ବୋଇତବନ୍ଦାଣ ଉପରେ କଟକଣା ନେଇ ଜାଣନ୍ତି ନାହିଁ । ଚଳିତ ବର୍ଷ ସେ ୧୦୦ଟି ବୋଇତ ପ୍ରସ୍ତୁତ କରିଥିଲେ । ଗତ ଦୁଇ ଦିନ ମଧ୍ୟରେ ମାତ୍ର ୪ଟି ବିକ୍ରି କରିଛନ୍ତି ।

୮ ବର୍ଷ ଧରି ବୋଇତ ପ୍ରସ୍ତୁତ କରୁଥିବା ଓ ବିକ୍ରି କରୁଥିବା ବସନ୍ତ ସାହୁ କହିଛନ୍ତି ଯେ କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ସେ ଓ ତାଙ୍କ ପରିବାର ମିଶି କାଗଜର ବୋଇତ ପ୍ରସ୍ତୁତ କରିଥାନ୍ତି । ଏହି ଦୁଇ ତିନି ଦିନ ମଧ୍ୟରେ ସେ ୮-୧୦ ହଜାର ଟଙ୍କାର ବ୍ୟବସାୟ କରିବା ସହ ୩-୪ ହଜାର ଟଙ୍କା ଲାଭ ପାଇଥାନ୍ତି । ଚଳିତ ବର୍ଷ ସେ କଟକଣାକୁ ଦୃଷ୍ଟିରେ ରଖି ୫୦୦ ଡଙ୍ଗା ପ୍ରସ୍ତୁତ କରିଥିଲେ । ତାହା ମଧ୍ୟ ବିକ୍ରି ହେବକି ନାହିଁ ସନ୍ଦେହ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର