ବହ୍ମପୁର: ଧର୍ମ ହବିଷର ମାସ କାର୍ତ୍ତିକ। ଏହି ମାସରେ ଗାଁ ଗହଳି ଠାରୁ ଦେବାଳୟ ହରିନାମ ସ˚କୀର୍ତ୍ତନରେ ଗୁଞ୍ଜରିତ ହୁଏ। ଗାଁ ଗାଁରେ ଅଷ୍ଟପ୍ରହର ଓ ୨୪ ପ୍ରହର ନାମଯଜ୍ଞ ବି ହୁଏ। ହେଲେ ଚଳିତ ବର୍ଷ କରୋନା ଲାଗି ନିରବି ଯାଇଛି। ମୃଦଙ୍ଗ ଆଉ ସ˚କୀର୍ତ୍ତନରେ ଗୁଞ୍ଜରଣ ହେଉନି ଦେବାଳୟ କି ଗାଁ ଦାଣ୍ତ। ପରମ୍ପରାକୁ ବଜାୟ ରଖିବାକୁ କାଁ ଭାଁ ଗାଁଗହଳିରେ ହେଉଛି ସ˚କୀର୍ତ୍ତନ। ଜନ୍ମଦିନ, ଶୁଦ୍ଧି କାର୍ଯ୍ୟ, ରାଧାଷ୍ଟମୀ, ଭାଗବତ ଜନ୍ମ, ଚୈତନ୍ୟ ଜନ୍ମ ଓ କୃଷ୍ଣଜନ୍ମ ଆଦିରେ ହେଉଥିବା ଆଡ଼ମ୍ବରପୂର୍ଣ୍ଣ ସଂକୀର୍ତ୍ତନ ମଧ୍ୟ ଆୟୋଜନ ହେଉନି। ଫଳରେ ଏହା ଉପରେ ନିର୍ଭରଶୀଳ ଗଞ୍ଜାମ ଜିଲ୍ଲାର ଶତାଧିକ କଳାକାରଙ୍କ ଜୀବନ ଦୁର୍ବିଷହ ପାଲଟିଯାଇଛି।

Advertisment

ଗଞ୍ଜାମ ଜିଲ୍ଲାର ପ୍ରତି ଗାଁରେ ସ˚କୀର୍ତ୍ତନମଣ୍ତଳୀ ଅଛନ୍ତି। ଧାର୍ମିକ ମାସ କାର୍ତ୍ତିକ ଓ ମାଘରେ ପ୍ରାତଃ ଏବଂ ସନ୍ଧ୍ୟାରେ ସ˚କୀର୍ତ୍ତନମଣ୍ତଳୀ ହରିନାମ ଗାଇ ଗାଁରେ ସଂକୀର୍ତ୍ତନ କରନ୍ତି। ଗାଁର ଭାଗବତ ଘରେ ବି ସ˚କୀର୍ତ୍ତନ ହୁଏ। ଯାହାକି ଭାଇଚାରା ଓ ଆଧ୍ୟାତ୍ମିକମୟ ପରିବେଶ ସୃଷ୍ଟି କରିଥାଏ। ଅନ୍ୟପକ୍ଷରେ ଜିଲ୍ଲାରେ ଏଭଳି କିଛି ସ˚କୀର୍ତ୍ତନ କଳାକାର ରହିଛନ୍ତି ଯେଉଁମାନେ କି ଏହାକୁ ପେସା କରି ଜୀବିକା ନିର୍ବାହ କରନ୍ତି। ଶୁଦ୍ଧିକ୍ରିୟା, ବାର୍ଷିକ ଉତ୍ସବ, ଜନ୍ମଦିନ, ଅନ୍ନପ୍ରାସନ୍ନ ଓ ନାମକରଣ ସ˚ସ୍କାର ଏବଂ କାର୍ତ୍ତିକ ଓ ମାଘ ମାସରେ ବିଭିନ୍ନ ସ୍ଥାନରେ ହେଉଥିବା ଅଷ୍ଟପ୍ରହର, ୨୪ ପ୍ରହର ନାମଯଜ୍ଞ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆଦିରେ ଯୋଗ ଦେଇ ଭଲ ଦିପଇସା ରୋଜଗାର କରନ୍ତି। କିନ୍ତୁ କରୋନା ମହାମାରୀ ଏବେ ସେମାନଙ୍କ ଉପରେ ଯେମିତି ଦାଉ ସାଧୁଛି। ମୃଦଙ୍ଗବାଦକଙ୍କୁ ମୃଦଙ୍ଗ ଠାରୁ ଦୂରେଇ ଦେଇଛି। ଦୀର୍ଘ ୮ମାସ ହେଲା କଳାକାରଙ୍କ ଆର୍ଥିକ ସ୍ଥିତି ଶୋଚନୀୟ ପାଲଟିଥିବା ବେଳେ ସ୍ଥିତି ପୁଣି କେବ‌େ ସ୍ବାଭାବିକ ହେବ ଏହାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି।

publive-image

କୋଦଳାର ପ୍ରଖ୍ୟାତ ମୃଦଙ୍ଗ ବାଦକ ତଥା ଗୁରୁ ଶଙ୍କର ସ୍ବାଇଁ କହିଛନ୍ତି, ଶାସ୍ତ୍ର ଅନୁସାରେ ସ˚କୀର୍ତ୍ତନ ୭ ପ୍ରକାର। କୀର୍ତ୍ତନ, ନାମ କୀର୍ତ୍ତନ, ଗୁଣ କୀର୍ତ୍ତନ, ମହା କୀର୍ତ୍ତନ, ମହାମହା କୀର୍ତ୍ତନ, ରଥ କୀର୍ତ୍ତନ ଓ ଉଦଣ୍ତ କୀର୍ତ୍ତନ। ଶୁଦ୍ଧିକ୍ରିୟାର ୧୨ କିମ୍ବା ୧୪ ଦିନରେ ଓ ବାର୍ଷିକ ଉତ୍ସବରେ କୀର୍ତ୍ତନ ହୋଇଥାଏ। ଜନ୍ମ ଉତ୍ସବ, ଅନ୍ନ ପ୍ରାସନ୍ନ, ନାମକରଣ ସ˚ସ୍କାରରେ ନାମ କୀର୍ତ୍ତନ, ଅଷ୍ଟପ୍ରହର ଓ ୨୪ ପ୍ରହରରେ ଗୁଣ କୀର୍ତ୍ତନ ହୋଇଥାଏ। ୧୬ମୃଦଙ୍ଗ ଓ ୬୪ହଳ ତାଳ ସମାହାର ବାଦନକୁ ମହାକୀର୍ତ୍ତନ କୁୁହାଯାଏ। ୩୨ ମୃଦଙ୍ଗ ଓ ୧୦୮ ଯୋଡ଼ି ତାଳର ସମାହାର ବାଦନକୁ ମହା ମହା କୀର୍ତ୍ତନ କୁହାଯାଏ। ସତସଙ୍ଗ ଓ ପାରାୟଣ ଆଦିରେ ହେଉଥିବା କୀର୍ତ୍ତନକୁ ରଥ କୀର୍ତ୍ତନ ଏବଂ ଠାକୁର ବିସର୍ଜନ, କୁମ୍ଭ ବିସର୍ଜନ ଓ ଗ୍ରାମ ପରିକ୍ରମାରେ ଆଦି ହେଉଥିବା କୀର୍ତ୍ତନକୁ ଉଦଣ୍ତ କୀର୍ତ୍ତନ ହୋଇଥାଏ। 'ସ˚କୀର୍ତ୍ତନ ହେଉଛି ଆଧ୍ୟାତ୍ମିକ ଜାଗରଣଣ ବାର୍ତ୍ତାବହ। ମୁଁ ରାଜ୍ୟର ୧୨ଟି ଜିଲ୍ଲା ବୁଲି ସ˚କୀର୍ତ୍ତନ କରିଥାଏ। କାର୍ତ୍ତିକ ଓ ମାଘରେ ୨୦ରୁ ୨୫ହଜାର ଟଙ୍କା ରୋଜଗାର ହୁଏ। କିନ୍ତୁ କରୋନା ପାଇଁ ଗତ ୭ମାସ ହେଲା ସବୁ କିଛି ବନ୍ଦ ଥିବା ଟଙ୍କାଟିଏ ବି ରୋଜଗାର ନାହିଁ। ଜିଲ୍ଲାରେ ପ୍ରାୟ ୩ହଜାର ସ˚କୀର୍ତ୍ତନ କଳାକାର ରହିଛନ୍ତି। ଏ ସ˚କ୍ରାନ୍ତରେ କିଛି ସ˚କୀର୍ତ୍ତନ କଳାକାର ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଅବଗତ କରିଥିଲେ ବି କୌଣସି ସୁଫଳ ମିଳୁନି।

publive-image

ଗଞ୍ଜାମ ବ୍ଲକ ଆର.ବିଛଣାପଲ୍ଲୀ ଗ୍ରାମର ମୃଦଙ୍ଗ ବାଦକ ତଥା ଗୁରୁ କୁମାର ପ୍ରହଲ୍ଲାଦ କହିଛନ୍ତି, ଗୋଟିଏ ସ˚କୀର୍ତ୍ତନ ଦଳରେ ଅନ୍ୟୁନ ୧୫ଜଣ କଳାକାର ରହିଥାନ୍ତି। ଦୁଇଜଣ ମୃଦଙ୍ଗ ବାଦକ, ଜଣେ ହାରମୋନିୟମ୍‌, ଗାୟକ, ବାୟକ ଓ ପାଳିଆଙ୍କୁ ମିଶାଇ ପ୍ରାୟ ୧୫ଜଣ କଳାକାର ରହିଥାନ୍ତି। ବଡ଼ ଦଳରେ ଏହି ସ˚ଖ୍ୟା ବଢିଥାଏ। ଗାୟକ ଓ ବାଦକ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ପୋଥି ଉପରେ ଜ୍ଞାନ ରହିବା ଦରକାର। ସ˚କୀର୍ତ୍ତନ ପରିବେଷଣ ବେଳେ ତାଳ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। କାର୍ତ୍ତିକ ଓ ମାଘ ଏହି ଦୁଇମାସରେ ସ˚କୀର୍ତ୍ତନରେ ଭଲ ରୋଜଗାର ହୁଏ। ବର୍ଷର ଅନ୍ୟ ସମୟରେ ଗୃହ ପ୍ରବେଶ, ମନ୍ଦିର ପ୍ରତିଷ୍ଠା, ଜନ୍ମଦିନ ଓ ଶୁଦ୍ଧି କ୍ରିୟା ଆଦିରେ ସ˚କୀର୍ତ୍ତନ କଲେ ଦୁଇ ପଇସା ମିଳିଥାଏ। କିନ୍ତୁ ଗତ ମାର୍ଚ୍ଚ ମାସ ଠାରୁ ଜିଲ୍ଲାରେ କରୋନା କଟକଣା ଫଳରେ ଆଉ କୌଣସି କାର୍ଯ୍ୟକ୍ରମ ହେଉନାହିଁ। ରୋଜଗାର ବି ବୁଡ଼ିଯାଇଛି। ବର୍ତ୍ତମାନ କାର୍ତ୍ତିକ ମାସ। ଗାଁଗଣ୍ତା ଓ ମନ୍ଦିରରେ ସ˚କୀର୍ତ୍ତନ ଓ ଅଷ୍ଟପ୍ରହର ଆଦି ହେବା କଥା। କିନ୍ତୁ ସେ ମାହୋଲ ବି ନାହିଁ। ଦେବାଳୟରେ ତାଲୁ ଝୁଲିଛି। ପୁଣି ପୂର୍ବ ସ୍ଥିତି କେବେ ଫେରିବ ସେହି ସମୟକୁ ଅପେକ୍ଷା।